ବଲାଙ୍ଗୀର: ଏଥର ସର୍ଦ୍ଦାର ପ୍ରାର୍ଥୀ, ଭୋଟର ଦାଦନ!

ମତଦାନ ପାଇଁ ଫେରିବେ କି ଶ୍ରମିକ?

ବଲାଙ୍ଗୀର, (ବିଶ୍ୱଜିତ ଦାଶ) : ବଲାଙ୍ଗୀରରେ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଦାଦନପ୍ରବଣ ଅଂଚଳଗୁଡ଼ିକରେ ଯେଉଁମାନଙ୍କ ନାଁ ଶୁଣିବାକୁ ମିଳୁଛି, ସେମାନେ ସମସ୍ତେ ଦାଦନ ସର୍ଦ୍ଦାର। ନିର୍ବାଚନ ଲଢ଼ିବାକୁ ଆଗଧାଡ଼ିରେ ଅଛନ୍ତି। ହେଲେ ଦାଦନପ୍ରବଣ ଅଂଚଳରେ ଭୋଟ ଦେବ କିଏ? କାରଣ ଏବେ ଅନେକ ଗାଁ ଖାଁ ଖାଁ। ଗାଁଗୁଡ଼ିକରେ ଅଧାରୁ ଅଧିକ ଭୋଟର ଦାଦନ ଯାଇଛନ୍ତି।

ବଲାଙ୍ଗୀର ଜିଲ୍ଲାର ଦାଦନପ୍ରବଣ ତୁରେକେଲା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା, ବେଲପଡ଼ା, ମୁରିବାହାଲ, ପାଟଣାଗଡ଼ ଆଦି ବ୍ଲକ୍‌ର ଶତାଧିକ ପଂଚାୟତରେ ଅଧାରୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଇଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ସୁରଟକୁ ଶ୍ରମିକଙ୍କ ସୁଅ ଛୁଟିଛି। ଜିଲ୍ଲାର ତୁରେକେଲା ବ୍ଲକ୍‌ ଖଗସା, ଚଟୁଅନକା, ଝରଣୀ, ଢୋଲମାନ୍ଦଲ, ମହୁଲପାଟି, ହଲନଭଟା, ହିଆଁଲ, ଚାଉଲଶୁଖା, ବଙ୍ଗୋମୁଣ୍ଡା ବ୍ଲକ୍‌ର କପିଲାଭଟା, ଗନ୍ଧରାବନ୍ଧ, ଗନ୍ଧର୍ଲା, ଝଲପ, ଅଲଣ୍ଡା, ମୁରିବାହାଲ ବ୍ଲକ୍‌ର ଚଲକି, ପତ୍ରାପାଲି, ବାନ୍ଦୁପଲା, ବିଟାବନ୍ଧ, ମାଲିଶିରା ଓ  ବେଲପଡ଼ା ବ୍ଲକ୍‌ର ଗମ୍ଭାରୀ, କାନୁଟ, ଭରୁଆପାଲି, ମଣ୍ଡଳ, ସଲଣ୍ଡି, ସୁଲେକେଲା, ନୁନହାଡ଼, ବାଗଦୋର ଆଦି ପଂଚାୟତର ଶହ ଶହ ଗାଁର ଅଧାରୁ ଅଧିକ ଶ୍ରମିକ ବାହାର ରାଜ୍ୟକୁ ଯାଇଛନ୍ତି। ଶତାଧିକ ଗାଁରେ ବୁଢ଼ାବୁଢ଼ୀ ଘର ଜଗିଥିବା ବେଳେ ଛୋଟଛୋଟ ପିଲାଛୁଆ କିଛି ଅଛନ୍ତି। ଏମିତି ସମୟରେ ଆଗକୁ ତ୍ରିସ୍ତରୀୟ ନିର୍ବାଚନର ବିଗୁଲ ବାଜିଛି। ଆଉ ଏବେ ଦାଦନପ୍ରବଣ ବ୍ଲକ୍‌ ଅଂଚଳରେ ସେଠିକାର ଜଣାଶୁଣା ଦାଦନ ସର୍ଦ୍ଦାରମାନଙ୍କ ରାଜନୀତିରେ ଦବଦବା। କେତେଜଣ ସର୍ଦ୍ଦାର ତ ଆଗଧାଡ଼ିର ନେତା ହୋଇସାରିଲେଣି। ଏଣୁ ଆଗକୁ ଆସୁଥିବା ନିର୍ବାଚନରେ ସେମାନେ ନହେଲେ ତାଙ୍କ ସମର୍ଥନରେ ଥିବା ଗାଁର କୁଜି ନେତାମାନେ ନାମାଙ୍କନ ଦାଖଲ କରି ଛିଡ଼ାହେବେ। କିଛି ପଂଚାୟତରେ ଦାଦନ ସର୍ଦ୍ଦାର କିଙ୍ଗ୍‌ ମେକର୍‌ ହୋଇ ଜଣେ ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇବାକୁ ସଜବାଜ ହେଉଛନ୍ତି। ଅନେକ ଏମିତି ସର୍ଦ୍ଦାର ଅଛନ୍ତି, ଯେଉଁମାନେ ପ୍ରମୁଖ ରାଜନୈତିକ ଦଳ ସହ ଯୋଡ଼ି ହୋଇ ରହିଛନ୍ତି। ପଦପଦବି ବି ପାଇ ଜିଲ୍ଲା ପରିଷଦ ଟିକଟ ପାଇଁ ଲବି କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, କେତେ ଜଣ ଦାଦନ ସର୍ଦ୍ଦାର ନିର୍ବାଚନ ଥିବାରୁ ଯେଉଁ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ପଠାଇଛନ୍ତି, ସେମାନଙ୍କ ଭୋଟରକାର୍ଡ ବି ନିଜ ପାଖରେ ରଖିଛନ୍ତି। କେତେ ଜଣ ସର୍ଦ୍ଦାର ଭୋଟ ସମୟରେ ଶ୍ରମିକମାନଙ୍କୁ ଆଣିବାର ବ୍ୟବସ୍ଥା ବି କରିବାକୁ ପ୍ରସ୍ତୁତ ହେଲେଣି। ଏଣୁ ଏଥର ନିର୍ବାଚନରେ ଦାଦନପ୍ରବଣ ଅଂଚଳଗୁଡ଼ିକର ଚିତ୍ର ଟିକିଏ ଏଥର ଭିନ୍ନ ରହିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର