ବିଦ୍ୟୁତ ବିଭାଗର ମନମୁଖୀ:ଅନୁମତି ବିନା ଗଛ କାଟିଲା

ଦେଓଗାଁ: ବିଦ୍ୟୁତ ତାର ଟାଣିବା ପାଇଁ ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତ ବାଙ୍କିଆମୁଣ୍ଡା ଗାଁରେ ବିଦ୍ୟୁତ ବିଭାଗ ମୂଲ୍ୟବାନ ଗଛ କାଟି ଦେଇଛି। ରୟତି ଜମିରୁ ଏହି ଗଛ କଟା ହୋଇଥିଲେ ମଧ୍ୟ ସଂପୃକ୍ତ ପ୍ରଜା କିମ୍ବା ବନ ବିଭାଗର ଅନୁମତି ନିଆ ଯାଇ ନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ତୁଷୁରା ଥାନା ଅଧୀନସ୍ଥ ବନ୍ଧପଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି ବାଙ୍କିଆମୁଣ୍ଡା ଗାଁର ଜୁଗୁଲାଲ ଦନ୍ତା।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୨ ତାରିଖ ଦିନ ବିଦ୍ୟୁତ ବିଭାଗର ଠିକା ଶ୍ରମିକ ସତ୍ୟ ନାରାୟଣ ନାଗ, ଲଳିତ ଧରୁଆଙ୍କ ସହ ଆଉ କିଛି ବ୍ୟକ୍ତି ବାଙ୍କିଆମୁଣ୍ଡା ମୌଜାରେ ଥିବା ୫ଟି ବଡ଼ ବଡ଼ ମହୁଲ ଗଛ କାଟି ଦେଇଛନ୍ତି। ପ୍ରତି ବର୍ଷ ୭ କ୍ୱିଣ୍ଟାଲରୁ ଅଧିକ ମହୁଲ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିଲେ। ଯାହାର ହାରାହାରି ମୂଲ୍ୟ ପ୍ରତି ବର୍ଷ ୧୬ ହଜାରରୁ ଅଧିକ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏପରି କ୍ଷତି ହୋଇଥିବା ଗଛ କାଟିଥିବା ଲୋକ ପ୍ରତି କାର୍ଯ୍ୟାନୁଷ୍ଠାନ କରିବା ସହ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି। କେବଳ ସେତିକି ନୁହେଁ ତାର ଯାଉଥିବା ରାସ୍ତାରେ ଯେତେ ଗଛ ପଡ଼ିବ, ସେହି ଗଛ ଯେତେ ମୂଳ୍ୟବାନ ମଧ୍ୟ ହେଉ ଅନାୟସରେ କଟାଯାଉଛି। ଗୋଟିଏ ଗଛ କାଟିଲେ ଗୋଟିଏ ଗଛ ଲଗାଇବା ପାଇଁ ନିୟମ ଥିବା ବେଳେ କେଉଁଠାରେ ବିଦ୍ୟୁତ ବିଭାଗ ବନୀକରଣ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ତାର ଟାଣି ଆମକୁ ହସ୍ତାନ୍ତର ହେଲା ପରେ ଆମେ ସେହି ବିଷୟରେ ମତାମତ ଦେଇ ପାରିବୁ; ବର୍ତ୍ତମାନ ଏ ବିଷୟରେ କିଛି କହି ପାରିବି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର