ବିସ୍ଫୋରକ ବ୍ଲାକ୍‌ ଡିଲ୍‌ରେ ବିଜୟନଗରମ୍‌ ଲିଙ୍କ୍‌:ମାଓବାଦୀଙ୍କ ଭୂମିକା ନେଇ ବି ଚାଲିଛି ତଦନ୍ତ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ପୁଲିସ ସଦାଇପାଲିରୁ ବିପୁଳ ପରିମାଣର ବେଆଇନ ବିସ୍ଫୋରକ ଠାବ କରିଥିଲା। ଏହି ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ପଚରା ଉଚୁରା କରିପାରି ନଥିଲା। ଦୁଇ ଦିନ ହେଲା ଗିରଫ ସୁଦାମ ମହାଲିଙ୍ଗ, କଣ୍ଟାବାଞ୍ଜିର ମୁରାରୀଲାଲ ଅଗ୍ରୱାଲ, ପୁଅ ମହେଶ ଅଗ୍ରୱାଲଙ୍କୁ ଜେରା କରୁଥିଲା ପୁଲିସ। ଆଉ ଏଥିରେ ବିସ୍ଫୋରକ ବ୍ଲାକ୍‌ ଡିଲ୍‌ରେ ବିଜୟନଗରମ୍‌ ଲିଙ୍କ୍‌ ଖୋଜି ପାଇଛି ପୁଲିସ। କେବଳ ଜିଲ୍ଲା ନୁହେଁ, ରାଜ୍ୟ ବାହାରୁ ଦକ୍ଷିଣ ଓଡ଼ିଶା ଦେଇ ପଶ୍ଚିମ ଓଡ଼ିଶାକୁ ଲମ୍ବିଥିଲା ବେଆଇନ କାରବାରର ନେଟୱାର୍କ। ସେହି ଅନୁସାରେ ଆରମ୍ଭ ହୋଇଛି ପୁଲିସ ତଦନ୍ତ।
ସଦାଇପାଲିର ସୁଦାମଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ପାଇଥିଲା ପୁଲିସ। ଏତେ ପରିମାଣର ବିସ୍ଫୋରକ ଦେଖି ତାଜୁବ ପୁଲିସ ବମ୍‌ ସ୍କ୍ଵାର୍ଡ ସହାୟତାରେ ବିସ୍ଫୋରକଗୁଡ଼ିକୁ ଜବତ କରିଥିଲା। ତେବେ ପଚରା ଉଚୁରା ବେଳେ ସୁଦାମ କଣ୍ଟାବାଞ୍ଜିର ବିସ୍ଫୋରକ ଲାଇସେନ୍ସଧାରୀ ମୁରାରୀ ଲାଲ ଅଗ୍ରୱାଲ ଓ ତାଙ୍କ ପୁଅ ମହେଶ ଅଗ୍ରୱାଲଙ୍କୁ ବି ଛନ୍ଦିଥିଲା। ବେଲପଡ଼ା ପୁଲିସ ବିସ୍ଫୋରକ ଗୋଦାମରେ ଚଢ଼ଉ ବେଳେ ଷ୍ଟକ୍‌ରୁ ଅଧିକ ପରିମାଣର ବିସ୍ଫୋରକ ଥିବା ଧରାପଡ଼ିଥିବା ବେଳେ ସୁଦାମଙ୍କୁ ଗିରଫ ପରେ ମୁରାରୀଙ୍କ ପୁଅ ମହେଶ ବ୍ୟବସାୟିକ ସହଯୋଗ ଦେଇଥିବା ସାମ୍ନାକୁ ଆସିଥିଲା। ସଦର ପୁଲିସ ୨୧୦ ନମ୍ବର ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ।
ମଙ୍ଗଳବାର ପୁଲିସ ଗିରଫ ମୁରାରୀ, ପୁଅ ମହେଶ ଓ ବେଆଇନ ବିସ୍ଫୋରକ କାରବାରର ମାଷ୍ଟର ସୁଦାମଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା ଚଳାଇଥିଲା। ବିସ୍ଫୋରକ ପାଇଁ ମୁରାରୀ ଲାଇସେନ୍ସ ପାଇଥିବା ବେଳେ ପୁଅ ମହେଶ କାରବାର ଦେଖାରେଖା କରୁଥିଲେ। ସୁଦାମ ମହେଶଙ୍କ ଜରିଆରେ ବିସ୍ଫୋରକ ଆଣୁଥିଲେ। ତେବେ ସଲଫର୍‌, ଆମୋନିୟମ୍‌ ନାଇଟ୍ରେଟ୍‌ ରାଜ୍ୟ ବାହାରୁ ଅର୍ଥାତ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ରୁ ଆଣୁଥିବା କହିଥିଲେ ଜେରା ବେଳେ। ବ୍ରହ୍ମପୁର ଦେଇ ସଲଫର୍‌ ଓ ଆମୋନିୟମ୍‌ ବଲାଙ୍ଗୀର ଆସୁଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ପୁଲିସ ଟିମ୍‌ କରି ଖୁବଶୀଘ୍ର ଏହି ବେଆଇନ ଚାଲାଣକାରୀଙ୍କୁ ଧରିବା ପାଇଁ ଯିବ ବୋଲି ବଲାଙ୍ଗୀର ସଦର ଏସ୍‌ଡିପିଓ ନାରାୟଣ ନାୟକ ସୂଚନା ଦେଇଛନ୍ତି। ସେହିପରି ମାଓବାଦୀଙ୍କୁ ମଧ୍ୟ ବିସ୍ଫୋରକ ଯୋଗାଉଥିବା ନେଇ ପ୍ରଶ୍ନ କରାଯାଇଥିଲା। ବେଆଇନ ପଥର ଫଟାଉଥିବା ଲୋକଙ୍କୁ ବିସ୍ଫୋରକ ଦେଉଥିବା ସୁଦାମ କହୁଥିବା ବେଳେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଣ ନେଇ ତଦନ୍ତ ଚାଲିଛି ବୋଲି ଏସ୍‌ଡିପିଓ ଶ୍ରୀ ନାୟକ କହିଥିଲେ। ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ବିସ୍ଫୋରକ ରଖିବା ପାଇଁ ଲାଇସେନ୍ସ ପାଇଥିବା ମୁରାରୀଲାଲ ଓ ତାଙ୍କ ପୁଅ ମହେଶ ବେଆଇନ କାରବାର ଚଳାଇଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ଦିଗ ଉପରେ ତର୍ଜମା ଚାଲିଛି ବୋଲି ମତ ଦେଇଛନ୍ତି ଏସ୍‌ଡିପିଓ ଶ୍ରୀ ନାୟକ।

ସମ୍ବନ୍ଧିତ ଖବର