କଣ୍ଟାବାଞ୍ଜି: ଗତ ମାର୍ଚ୍ଚ ମାସରେ କଣ୍ଟାବାଞ୍ଜି ଓ ବେଲପଡ଼ା ଥାନା ଡୁଂଗୁରିପାଲି ବିସ୍ଫୋରକ ସାମଗ୍ରୀ ଲୁଟ୍ ମାମଲାରେ ବଲାଙ୍ଗୀର ପୁଲିସକୁ ସଫଳତା ମିଳିଛି। ଏ ସଂକ୍ରାନ୍ତରେ ବୁଧବାର ବେଲପଡ଼ା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କେ.ଶିବା ସୁବ୍ରମଣି ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁସାରେ, ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଣ୍ଟାବାଞ୍ଜି ଚଟୁଅନକାର ଚୈତନ୍ୟ ପୁଟେଲ (୨୩), ତୁରେକେଲା ଥାନା ବଡବାଙ୍କି ଗାଁର ଗିରିଧାରୀ ରଣା (୨୨), କଣ୍ଟାବାଞ୍ଜି ଓ୍ଵାର୍ଡ ନମ୍ବର ୪ର ପଙ୍କଜ ଅଗ୍ରଓ୍ଵାଲ, ୨ ନମ୍ବର ଓ୍ଵାର୍ଡର ସୁଜିତ ସିଂ, ମୁରିବାହାଲ ଥାନା ଅର୍ତଲା ଗାଁର ବନମାଲି ଥପା (୩୮)। ବେଲପଡା ଥାନା ମାମଲାରେ ୭୧୫ ଟି ଶକ୍ତି ପ୍ରାଇମ ବୁଷ୍ଟର, ୧୧୧ ବଣ୍ଡଲ ଆଇଡିଏଲ ଡେଟୋନେଟର, ୬୩ ବଣ୍ଡଲ ଇଇଏଲ ଡେଟୋନେଟର, ୨୨ ଟି ଇଡି, ୩ ଟି ମୋବାଇଲ ଫୋନ ଉଦ୍ଧାର ହୋଇଥିବା ବେଳେ କଣ୍ଟାବାଞ୍ଜି ମାମଲାରେ ୭୦୦ ଟି ନନ୍ ଇଲେକଟ୍ରିକ ଡେଟୋନେଟର, ୨୭୦୦ଟି ଜୀବନ୍ତ ନନ୍ ଇଲେକଟ୍ରିକ ଡେଟୋନେଟର ଓ ୧୧୧ ବଣ୍ଡଲ ଆଇଡିଏଲ ଡେଟୋନେଟର ପୁଲିସ ଉଦ୍ଧାର କରିଛି। ତେବେ ଏହି ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲଣ କରିଥିବା ବେଲେ ଆଗାମୀ ଦିନରେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଏସ୍ପି କହିଛନ୍ତି।
କଣ୍ଟାବାଞ୍ଜିର କୈଳାସ ଚନ୍ଦ୍ର ଅଗ୍ରଓ୍ଵାଲ ରେଂଗାଲି ସ୍ଥିତ ବିସ୍ଫୋରକ ଗୋଦାମରେ ଫେବ୍ରୁଆରି ୨୭ରେ ଓ ବେଲପଡ଼ା ଥାନା ଡୁଙ୍ଗୁରିପାଲିରେ ଥିବା ପ୍ରଦୀପ ନାରାୟଣ ଖଣ୍ଡେଲଓ୍ଵାଲଙ୍କ ଗୋଦାମରୁ ମାର୍ଚ୍ଚ ୩ ତାରିଖ ରାତିରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ହୋଇଥିଲା। ରେଙ୍ଗାଲିରୁ ଲୁଟ୍ ହୋଇଥିବା ସାମଗ୍ରୀ ନିକଟସ୍ଥ ପଖଣମୁଣ୍ଡା ଗାଁର ଏକ କୂଅରୁ ଏବଂ ଡୁଙ୍ଗୁରିପାଲିରୁ ଲୁଟ୍ ହୋଇଥିବା ସାମଗ୍ରୀ ଟିକ୍ରାପଡା ଫାଣ୍ଡି ସରଗୁଲ ଗାଁ ନିକଟସ୍ଥ ଏକ କ୍ରସର ମାଟିତଳୁ ଉଦ୍ଧାର ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି।