ଗୁଣ୍ଡାଗିରି ନୁହେଁ, ଘରୋଇ ହିଂସା: କୁଖ୍ୟାତ ଟିମନକୁ ବାନ୍ଧିବା ପାଇଁ ଖୋଜୁଛି ପୁଲିସ

ବଲାଙ୍ଗୀର: ସବୁ ଜାଣିବି ନିରବ ରହୁଥିବା ଟିମନର ସ୍ତ୍ରୀ ପୁନମ କୁମ୍ଭାର ଏବେ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଖବର ଅନୁସାରେ, ଗତ ୧୬ ତାରିଖ ଦିନ ପୁନମ ଆସି ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ଜଣେ ମହିଳାଙ୍କୁ ଲାଲଟିକ୍ରାସ୍ଥିତ ଘରକୁ ଆଣିବା ସହ ତାଙ୍କୁ ଘରେ ରଖିବାକୁ ଚାହିଁଥିଲେ। ଯାହାକୁ ପୁନମ ବିରୋଧ କରିଥିଲେ। ଫଳରେ ଉତ୍ତେଜିତ ଟିମନ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ଟାଉନ୍‌ ଥାନାରେ। ଏହି ଘଟଣା ପରେ ଘରକୁ ନେଇ ଆସିଥିବା ମହିଳାଙ୍କ ସହ ସେ ଫେରାର ହୋଇଯାଇଛି। ସ୍ୱାମୀକୁ ଗିରଫ କରି ତାଙ୍କୁ ନ୍ୟାୟ ଦେବାକୁ ପୁଲିସ ନିକଟରେ ବାରମ୍ବାର ଫେରାଦ ହେଉଛନ୍ତି ପୁନମ। ସେହିପରି ମାମଲାକୁ ଚପେଇ ଦେବା ସହ ବୁଝାମଣା କରିନେବା ପାଇଁ ତାଙ୍କ ଉପରେ ଚାପ ବି ଦିଆଯାଉଥିବା ଖବର ମିଳିଛି। ଟାଉନ୍‌ ପୁଲିସ ଆଇପିସିର ୩୦୭ (ହତ୍ୟା ଉଦ୍ୟମ) ସହ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଛି। କୁଖ୍ୟାତ ଟିମନକୁ ଗିରଫ କରିବା ପାଇଁ ଟାଉନ୍‌ ପୁଲିସ ଜାଲ ବିଛାଇଛି।
ଶ୍ରୀକାନ୍ତ କୁମ୍ଭାର ଓରଫ ଟିମନ। ବଲାଙ୍ଗୀର ସହରରେ କୁଖ୍ୟାତ ଟିମନ ଜମି ହଡ଼ପ, ଟେଣ୍ଡର ଫିକ୍ସିଂ, ଧମକ ଚମକ ଦେବା ଭଳି ମାମଲାରେ ବଲାଙ୍ଗୀର ଟାଉନ୍‌ ପୁଲିସ ଦ୍ୱାରା ଗିରଫ ହୋଇଥିଲା। ବେଆଇନ ଭାବେ ସରକାରୀ ଜମି ମାଡି ବସିବା ସହ ବିରାଟ ସାମ୍ରାଜ୍ୟ ସୃଷ୍ଟି କରିଥିଲା। ଯାହାକୁ ପୁଲିସ ଓ ପ୍ରଶାସନ ଛାରଖାର କରିଦେଇଥିଲେ। ଟିମନ ପଛରେ ପୁଲିସ ଏମିତି ଭାବେ ପଡିଥିଲା ଯେ ସେ ଆଉ ବାଟ ପାଇ ନଥିଲା। ଟିମନର ଗୋଷ୍ଠୀକୁ ଜେଲ୍‌ ଭିତରକୁ ପଠାଇ ଦେଇଥିଲା ପୁଲିସ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜେଲ୍‌ରୁ ଜାମିନ ପାଇ ଆସିଥିବା ଟିମନ କିଛି ଦିନ ଗାୟବ ହେଇଯାଇଥିଲା।

ନିର୍ବାଚନ ପରେ ବଲାଙ୍ଗୀର ଫେରିବା ସହ ସେ ଆରମ୍ଭ କରିଦେଇଥିଲା ତାର ପୂର୍ବ କାରବାର। ତାର ଗୋଷ୍ଠୀକୁ ବଢାଇବା ସହ ସେ ଅଣଓଡ଼ିଆ ବେପାରୀଙ୍କ ଜମି କାରବାର ଉପରେ ନଜର ରଖୁଥିଲା। ସେମାନଙ୍କଠାରୁ ବ୍ୟାପକ ଅର୍ଥ ଆଦାୟ ଚଳାଇଥିଲା। ନହେଲେ ଧମକ ଚମକ ଦେଇ ଭୟଭୀତ କରୁଥିଲା। ପୂର୍ବରୁ ଟିମନର ଗୁରୁଜୀ ବୋଲି କୁହାଯାଉଥିବା କ୍ଷୀରୋଦ୍ର ମିଶ୍ରଙ୍କୁ ଧମକଚମକ ଦେବା ଯୋଗୁଁ ପୁଣିଥରେ ତା’ ନାଁରେ ମାମଲା ରୁଜୁ ହୋଇଥିଲା ଟାଉନ ଥାନାରେ। ଟାଉନ୍‌ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ମାସ ହେଲା ସେ ଜେଲ୍‌ରୁ ଫେରିଥିବା ବେଳେ ତାକୁ ନେଇ ଠୋସ୍‌ ଚର୍ଚ୍ଚା ନଥିଲା। ଜମି ହେରଫେର, ଧମକ ଚମକ ଦେବା ତାର ଅଭ୍ୟାସ ହୋଇଥିବା ବେଳେ ପ୍ରେମ ପ୍ରସଙ୍ଗରେ ବି ବିବାଦୀୟ ହୋଇଥିଲା ସେ।

ସମ୍ବନ୍ଧିତ ଖବର