ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ: ଦୁର୍ଦ୍ଦଶାରେ ଛୋଟ ଚାଷୀ, ଫସଲରେ ଲାଗିଛି ରୋଗପୋକ

କିଣାବିକାରେ ସହୁଛନ୍ତି କ୍ଷତି

ବଲାଙ୍ଗୀର/କଣ୍ଟାବାଞ୍ଜି: ଜଳସେଚନ ବିହୀନ ଜିଲ୍ଲା ହେଉଛି ବଲାଙ୍ଗୀର । ଯାହା ବି ଜଳସେଚନ ହାର ସରକାରୀ ତଥ୍ୟରେ ଦେଖାଯାଏ ସେସବୁ କାଗଜପତ୍ରରେ ସୀମିତ । ନିଶ୍ଚିତ ଜଳସେଚନ ହାର ୩ ପ୍ରତିଶତ । ଏଭଳି ସ୍ଥିତିରେ ଚାଷୀକୁଳ ବାରମ୍ବାର ମରୁଡିର ସାମ୍ନା କରିଥାଏ । ମରୁଡି ମାଡ ସହିଆସୁଥିବା ଚାଷୀ ବିଗତ ଦିନରେ ଜଳପ୍ରଳୟର ସାମ୍ନା କରିଥିଲା । ଏଥର ଚାଷୀକୁ କରୋନା ଭାଇରସ ଚିନ୍ତାରେ ପକାଇଛି । ବାହାରକୁ ବାହାରିଲେ କରୋନାର ଭୟ । ବିଲ ପାଇଁ ସାର କି ଔଷଧ କିଣିବାକୁ ଗମନାଗମନ ନାହିଁ । ଯଦି ବି ଗଲେ ପୁଲିସର ଭୟ । ଏଭଳି ସ୍ଥିତିରେ ଗରିବ ଚାଷୀମାନେ କ୍ଷତିରେ ରହିଲେଣି । ସହରତଳି ଅଂଚଳର ପନିପରିବା ଚାଷୀ ଦୁଇ ପଇସା ଯେଣତେଣ ରୋଜଗାର କରୁଥିବା ବେଳେ ଉପାନ୍ତ ଅଂଚଳର ଚାଷୀ ଅନେକ କ୍ଷତି ସହୁଛନ୍ତି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦେଖିଲେ ଚାଷୀଙ୍କ ଗୋଟିଏ କଥା- ‘ପେଟ ପାଇଁ ଦାନା ଆଗ, ପରେ ବିଲର ରୋଗପୋକ ପାଇଁ ଯାହା କରିବୁ ।’
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବେହେରନସିଲେଟ ଗାଁ । ୩ଟି ପଡାର ଲୋକେ ରହୁଛନ୍ତି । ଗାଁର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ପରିବାର ଚାଷ ଉପରେ ନିର୍ଭରଶୀଳ । ଏହି ଗାଁକୁ ଭଲ ରାସ୍ତାଟିଏ ବି ନାହିଁ । ଏଥର ଗାଁର ଚାଷୀମାନେ ଆଖୁ, ପିଆଜ ଓ ପନିପରିବା ଯଥା-କୋବି ବାଇଗଣ ଆଦି ଚାଷ କରିଛନ୍ତି । ଗାଁର ଜଣେ ଚାଷୀ ହେଉଛନ୍ତି ଶଶି ପୁଟେଲ । ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଏଥର ଶଶି କୋବି, ପିଆଜ ସହ ଅନ୍ୟ ପନିପରିବା ଚାଷ କରିଛନ୍ତି । ସେ କହିଛନ୍ତି, ଅଦିନିଆ ବର୍ଷାରେ ତାଙ୍କର ଫସଲ କିଛିଟା ଖରାପ ହୋଇଥିଲା । କୋବି ବଂଚିଥିବା ବେଳେ ଏବେ ବର୍ଷା ଯୋଗୁଁ ସେଥିରେ କୀଟ ଲାଗିଛି । କୀଟ ହଟାଇବାକୁ ହେଲେ ଔଷଧ ଦରକାର । ହେଲେ କିଣିବାକୁ ହାତରେ ଟଙ୍କା ନାହିଁ । ଯାହା ଟଙ୍କା ଥିଲା ଲକଡାଉନ ସମୟରେ କେମିତି ରହିବେ ଭାବି ସବୁ ଖର୍ଚ୍ଚ ହୋଇସାରିଲାଣି ।

କଣ୍ଟାବାଞ୍ଜି ଗଲେ ପୁଲିସର କଡାକଡି ଚେକିଂ । ଏଣୁ ଚୁପଚାପ ଗାଁରେ ଘରେ ରହୁଥିବା ସେ କହିଥିଲେ । ସେହିପରି ଗାଁର ଆଉ ଏକ ଚାଷୀ ହେଉଛନ୍ତି କମଲ ମାଝୀ । କମଲ ଆଖୁ ଚାଷ କରିବା ସହ ପିଆଜ କରିଛନ୍ତି । ବିଗତ ବର୍ଷରେ ସେ ନିଜେ ବଜାରକୁ ଯାଇ ଆଖୁ ପେଡି କିଛି ରୋଜଗାର କରୁଥିଲେ । ହେଲେ ଏଥର ଆଉ ବଜାର ଯିବା ବନ୍ଦ ହୋଇଯାଇଛି । ଏପରିକି ଆଖୁ ରସ ପାଇଁ ଠେଲାବାଲାମାନେ ବି ଆଉ ନେଉ ନାହାନ୍ତି । ଖରାରେ ଆଖୁ ରହି ଶୁଖିବାକୁ ବସିଲାଣି । ଲକଡାଉନ ଯେତେ ଦିନ ଯାଏଁ ରହିଛି ବହୁ ଆଖୁ ତାଙ୍କର ନଷ୍ଟ ହେବାର ଆଶଙ୍କା ଥିବା ସେ କହିଥିଲେ । ସେହିପରି ଗାଁର ଶତୃଘ୍ନ ପଟେଲ ବୟସ୍କ ହେଲେ ବି ଚାଷ ହିଁ ତାଙ୍କର ଏକମାତ୍ର କାମ । କେବେବି ଏଭଳି ସ୍ଥିତି ଉପୁଜିନଥିଲା ଓ ଏହା ଚାଷୀଙ୍କୁ ବହୁମାତ୍ରାରେ ପ୍ରଭାବିତ କରିବ ବୋଲି ସେ କହିଥିଲେ । ଗାଁର ଚାଷୀଙ୍କ କହିବା ହେଲା, ଏଭଳି ସ୍ଥିତିରେ ନିଜେ ଖାଇବାକୁ ସଂଚୟ କରିଥିବା ଟଙ୍କାରୁ ସାମଗ୍ରୀ କିଣିଛନ୍ତି । ଚାଷ କାମ ପାଇଁ ଖର୍ଚ୍ଚ କରିବାକୁ ବି ଆଉ ସେତେଟା ଟଙ୍କା ନାହିଁ ବୋଲି କହୁଛନ୍ତି ।

ଅବଶ୍ୟ ରାଜ୍ୟ ସରକାର ଏହାରି ଭିତରେ ସାର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଗାଁଗହଳର ଲୋକେ ଲକଡାଉନ ପାଇଁ ଗାଁରୁ ବାହାରକୁ ବାହାରୁ ନାହାନ୍ତି । ଅନ୍ୟପଟେ ପୁଲିସ କାଳେ କାର୍ଯ୍ୟାନୁଷ୍ଠାନ ନେବ ଭାବି ଗାଁର ଚାଷୀ ସହରକୁ ଆଉ ଭୟରେ ଆସୁ ନାହାନ୍ତି । ଗମନାଗମନ ବି ଏକ ବଡ ସମସ୍ୟା ଉପୁଜିଛି । ଆଗଭଳି ବସ ଚାଳୁନି, କି ଗାଡିମୋଟର । ଛୋଟ ଚାଷୀ କେମିତି ସହରକୁ ଆସି କୀଟନାଶକ କିଣିବ? ଏଣୁ ଉପାନ୍ତ ଅଂଚଳରେ ଛୋଟ ଚାଷୀଙ୍କ ଚାଷ କାର୍ଯ୍ୟ ପ୍ରଭାବିତ ହେବାରେ ଲାଗିଛି । ଯାହା ଅମଳ ହେବାର ଚାଷୀ ଆଶା ରଖିଥିଲେ ତାହା ହେବ ନା ନାହିଁ ଦ୍ବନ୍ଦରେ ରହିଛନ୍ତି । ଚାଷୀଙ୍କ ମୁହଁରେ ଏବେ ଗୋଟିଏ କଥା । ବିଲରେ ପୂର୍ବରୁ ଚକଡା ରୋଗପୋକର ଭୟ ଥିଲା । ଏବେ କରୋନା ଭୟରେ ମଣିଷ ନିଜେ ଚିନ୍ତାଗ୍ରସ୍ତ । ମଣିଷ ରୋଗ ଏବେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଯାହା ବି ହେଉ ଏଭଳି ସମୟରେ ଚାଷୀଙ୍କ ପାଖକୁ କୃଷି ବିଭାଗ ପକ୍ଷରୁ କୀଟନାଶକ ଓ ସାର ପହଞ୍ଚାଇବାର ବ୍ୟବସ୍ଥା କରିବା ଦରକାର । ଏପରିକି ଅଧିକାରୀ ପହଂଚି ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ସଚେତନ କରାଇବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର