ବଲାଙ୍ଗୀର : ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ବଲାଙ୍ଗୀର ଜିଲ୍ଲା। ଏଠି ରାଜନୀତିରେ ଅଧିକ ପରିବାର ପ୍ରୀତି। ଦଶନ୍ଧି ଦଶନ୍ଧି ଧରି ନିର୍ଦ୍ଦିଷ୍ଟ କିଛି ପରିବାର ଭିତରେ ସୀମିତ ହୋଇରହିଛି ବଲାଙ୍ଗୀର ରାଜନୀତି। ଆଉ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସର ବରିଷ୍ଠ ନେତା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପରିବାରରେ ଏଥର ‘ଫ୍ୟାମିଲି ଫାଇଟ୍‌’ ଦେଖିବାକୁ ମିଳିଛି। ନିର୍ବାଚନ ମଇଦାନରେ ଭାଇ ବିରୋଧରେ ଭାଇ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏପରିକି ରୋଚକ ମୋଡ଼ରେ ଦୁଇ ଯାଆଙ୍କ ଲଢ଼େଇ।

Advertisment

କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗୀର ବିଧାୟକ ନରିସିଂହ ମିଶ୍ର। ନିଜେ ନରସିଂହ ବଲାଙ୍ଗୀର ବିଧାୟକ ଥିବାବେଳେ ଗତଥର ସାଂସଦ ପ୍ରାର୍ଥୀ ଥିଲେ ତାଙ୍କ ପୁଅ ସମରେନ୍ଦ୍ର। ଜିଲ୍ଲା କଂଗ୍ରେସ ରାଜନୀତିରେ ନରସିଂହ ପରିବାରର ବେଶ୍‌ ଦବଦବା ରହିଛି। ନରସିଂହଙ୍କ ନିଜ ଗାଁ ଛତାମଖନା ଓ ପିପିର୍ଡା ପଞ୍ଚାୟତରେ ନିଜ ପରିବାର ସଦସ୍ୟଙ୍କ ଭିତରେ ପ୍ରତିଦ୍ୱନ୍ଦ୍ବିତା ହେଉଛି। ନରସିଂହ ମିଶ୍ରଙ୍କ ଦୁଇଭାଇ ହେଉଛନ୍ତି ବିନାୟକ ମିଶ୍ର ଏବଂ ବିଘ୍ନରାଜ ମିଶ୍ର। ବିନାୟକଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ ମିଶ୍ର ଏବଂ ବିଘ୍ନରାଜଙ୍କ ପୁଅ ହେଉଛନ୍ତି ସ୍ମାରକ ମିଶ୍ର। ସଂର୍ପକରେ ସିଦ୍ଧାର୍ଥ ଏବଂ ସ୍ମାରକ ହେଉଛନ୍ତି ଦୁଇ ଭାଇ। ଏ ଦୁଇ ଭାଇ ଗତ ପଂଚାୟତ ନିର୍ବାଚନରେ ଛତାମଖନା ପଂଚାୟତରେ ସମିତିସଭ୍ୟ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ସେତେବେଳେ ଚର୍ଚ୍ଚାରେ ଥିଲା ଦୁଇ ଭାଇଙ୍କ ଲଢ଼େଇ। ପଂଚାୟତକୁ ସମ୍ବେଦନଶୀଳ ପଂଚାୟତ ଭାବରେ ଘୋଷଣା ମଧ୍ୟ କରାଯାଇଥିଲା। ଉକ୍ତ ନିର୍ବାଚନରେ ସ୍ମାରକଙ୍କୁ ମାତ୍‌ ଦେଇ ଜିତିଥିଲେ ସିଦ୍ଧାର୍ଥ। ଏଥର ପୁଣିଥରେ ଦୁଇ ଭାଇ ସାମ୍ନାସାମ୍ନି ହୋଇଛନ୍ତି। କିନ୍ତୁ ବଦଳିଯାଇଛି ଯୁଦ୍ଧକ୍ଷେତ୍ର। ଏଥର ଦୁଇ ଭାଇ ପୁଇଁନ୍ତଲା ବ୍ଲକ୍‌ ପିପିର୍ଡା ପଂଚାୟତରେ ସମିତି ସଭ୍ୟ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି।

ସେହିପରି ଛତାମଖନା ପଞ୍ଚାୟତରେ ସିଦ୍ଧାର୍ଥ ଓ ସ୍ମାରକ ଉଭୟଙ୍କର ମା’ ତଥା ଦୁଇ ଯାଆ ବି ମୁହାଁମୁହିଁ। ଉଭୟ ନରସିଂହ ମିଶ୍ରଙ୍କ ଭାଇବୋହୂ। ନରସିଂହ ମିଶ୍ରଙ୍କ ନିଜ ପୈତୃକ ଗାଁ ଛତାମଖନା ସମିତି ସଭ୍ୟ ପାଇଁ ଦୁଇ ଭାଇବୋହୂ ଗୀତାଞ୍ଜଳି ମିଶ୍ର ଓ ଜ୍ୟୋତ୍ସ୍ନା ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଗୀତାଞ୍ଜଳି ଓ ଜ୍ୟୋତ୍ସ୍ନାମୟୀ ଉଭୟ ଯାଆ। ପୂର୍ବରୁ ୨୦୦୭ ମସିହାରେ ଗୀତାଞ୍ଜଳି ଛତାମଖନା ପଂଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୧୨ ମସିହାରେ ପିପିର୍ଡା ପଂଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ପୁଇଁନ୍ତଲା ବ୍ଲକ୍‌ ଅଧ୍ୟକ୍ଷା ହୋଇଥିଲେ ଜ୍ୟୋତ୍ସ୍ନାମୟୀ। ଏବେ ଅଧ୍ୟକ୍ଷା ପଦ ହାତେଇବା ପାଇଁ ଦୁଇ ଯାଆ ପରସ୍ପର ସହ ଲଢ଼େଇ କରୁଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ନରସିଂହ ମିଶ୍ରଙ୍କ ପରିବାର ଭିତରେ ‘ଫ୍ୟାମିଲି ଫାଇଟ୍‌’ ଏଥର ଚର୍ଚ୍ଚାର ବିଷୟ ହୋଇଛି।