ମୁରିବାହାଲ: ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଗଛରୁ ପଡ଼ିଯାଇ ଆହତ ହୋଇଥିଲେ। ଅର୍ଥାଭାବରୁ ଚିକିତ୍ସା କରାଇ ପାରି ନଥିଲେ। ଗତ ୪ ବର୍ଷ ହେଲା ଅସହାୟ ଅବସ୍ଥାରେ ଖଟରେ ପଡ଼ି ରହିଛନ୍ତି ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା(ଡେଙ୍ଗପଦର) ଗାଁର ସନ୍ତ କୁଅଁର (୪୦)। ଫଳରେ ଏବେ ତାଙ୍କ ୭ ପ୍ରାଣୀ କୁଟୁମ୍ବ ଦୁର୍ଦ୍ଦିନରେ ରହିଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ସନ୍ତ କୁଅଁର ଦିନମଜୁରିଆ ଭାବେ କାମ କରୁଥିଲେ। ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କ ସହ ୫ଜଣ ଝିଅଙ୍କୁ ନେଇ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳୁଥିଲେ। ୪ ବର୍ଷ ତଳେ ସନ୍ତ ଜାଳେଣି କାଠ ସଂଗ୍ରହ କରିବାକୁ ଏକ ଗଛକୁ ଚଢ଼ି ଥିବା ବେଳେ ହଠାତ୍ ତଳକୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କ ଅଣ୍ଟା ତଳକୁ ଓ ଦୁଇ ଗୋଡ଼ ସହ ମେରୁଦଣ୍ଡ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା। ସେ ପ୍ରଥମେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଟିଟିଲାଗଡ଼ ଓ ଘସିଏନକୁ ଯାଇ ଚିକିତ୍ସତ ହୋଇ ଫେରି ଆସିବା ପରେ ଏବେ ସର୍ବସ୍ୱାନ୍ତ ହୋଇ ୪ବର୍ଷ ଧରି ଖଟରେ ପଡି ରହିଛନ୍ତି। ଚିକିତ୍ସା ପାଇଁ ନିଜର ଥିବା କିଛି ଜମିବାଡ଼ିକୁ ମଧ୍ୟ ବିକ୍ରି କରି ସାରିଥିବା ବେଳେ ଏବେ ପତ୍ନୀଙ୍କ କୁଳିମଜୁରି ଅର୍ଥରେ ଘର ଚଳୁଛି। ବଡ଼ଝିଅ ଯଶୋଦା ଏ ବର୍ଷ ହାଇସ୍କୁଲରେ ୯ମ ଶ୍ରେଣୀରେ ନାମ ଲେଖାଇ ପଢିବାକୁ ଇଚ୍ଛାଥିଲେ ମଧ୍ୟ ଅର୍ଥାଭାବରୁ ତା’ ପାଇଁ ବ୍ୟାଙ୍କରେ ପାସବୁକ ଖୋଲା ଯାଇ ନ ଥିବାରୁ ହାଇସ୍କୁଲରେ ନାମଲେଖା ହୋଇପାରି ନାହିଁ। ଏବେ ସନ୍ତଙ୍କ ଚିକିତ୍ସା ଅଭାବରୁ ତାକୁ ମାଆ ସହ କୁଳିମଜୁରି କରିବା ପାଇଁ ଯିବାକୁ ପଡୁଥିବାରୁ ପାଠରେ ଡୋରି ବାନ୍ଧିବାକୁ ପଡିଛି। ପଞ୍ଚାୟତ ତରଫରୁ ସନ୍ତଙ୍କୁ କେବଳ ୩୫କେଜି ଚାଉଳ ଓ ୫୦୦ଟଙ୍କା ଭତ୍ତା ମିଳୁଥିଲେ ମଧ୍ୟ ଏହା ୭ପ୍ରାଣୀ କୁଟୁମ୍ବଙ୍କୁ ସମୁଦ୍ରକୁ ଶଙ୍ଖେ। ସନ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଗୁଡ଼ିଘାଟ ନାଏବ ସରପଞ୍ଚ ଅଙ୍ଗଦ ଭୋଇ ଦାବି କରିଛନ୍ତି। ଏ ସମ୍ପର୍କରେ ମୁରିବାହାଲ ସିଏଚ୍ସିର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସଂଗ୍ରାମ କେଶରୀ ନାୟକଙ୍କୁ ପଚାରିବାରୁ ସେ ପୂର୍ବରୁ ଜାଣି ନଥିଲେ, ସନ୍ତଙ୍କୁ କି ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବିଚାର କରାଯିବ ବୋଲି ପ୍ରକାଶ କରିଥିଲେ। ମୁରିବାହାଲ ବିଡିଓ ଶିପକ ପାତ୍ରଙ୍କୁ ଜଣାଇବାରୁ ସନ୍ତଙ୍କୁ ରେଡ଼କ୍ରସ ତରଫରୁ ସହାୟତା ପାଇଁ ଚିଠି କରାଯିବ ବୋଲି ସୂଚନା ଦେଇଥିଲେ।
ଚିକିତ୍ସା ପାଇଁ ଅର୍ଥାଭାବ ବାଧକ:୪ବର୍ଷ ହେଲା ଶଯ୍ୟାଶାୟୀ ସନ୍ତ କୁଅଁର
ଦୁର୍ଦ୍ଦିନରେ ୭ ପ୍ରାଣୀ କୁଟୁମ୍ବ
/sambad/media/post_attachments/wp-content/uploads/2019/05/blgr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)