ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ବିଜେପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି)ରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଲୁଟ୍ ଉଦ୍ୟମ ହେବା ସହ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଗୁଳିମାଡ଼ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ଶାଖା ପରିଚାଳକ କୋଶଳ ଚନ୍ଦ୍ର ଦୋରାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ରେ ଗୁରୁତର ଆହତ ଶ୍ରୀ ଦୋରାଙ୍କୁ ବୁର୍ଲା ମେଡିକାଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ବିଭିନ୍ନ ରାସ୍ତା ସିଲ୍‌ କରି ଛାନ୍‌ଭିନ୍‌ କରୁଛି। ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ରିପୋର୍ଟ ମିଳିବା ପରେ ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି ପୁଲିସ ପକ୍ଷରୁ କୁହାଯାଉଛି।

Advertisment

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ବ୍ୟାଙ୍କ ପରିସରକୁ ୩ ଜଣ ଯୁବକ ପଶିଥିଲେ। ସେମାନଙ୍କ ମଧୢରୁ ୨ ଜଣ ବାହାରେ ଥିବା ବେଳେ ଜଣେ ଶାଖା ପରିଚାଳକ ଶ୍ରୀ ଦୋରାଙ୍କ ନିକଟକୁ ଯାଇ ନୂଆ ଖାତା ଖୋଲିବା ପାଇଁ ଫର୍ମ ମାଗିଥିଲା। ଶ୍ରୀ ଦୋରା ଫର୍ମ ଦେବାକୁ ଝୁଙ୍କି ପଡ଼ିଥିବା ବେଳେ ଯୁବକ ଜଣକ ଅଚାନକ ତାଙ୍କ ପଛ ପଟକୁ ଯାଇ ମୁହଁକୁ ଚାପି ଧରିଥିଲା। ଏହି ସମୟରେ ବାହାରେ ଥିବା ଅନ୍ୟ ଦୁଇଜଣ ଯୁବକ ଶ୍ରୀ ଦୋରାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ୨ଟି ଗୁଳି ଶ୍ରୀ ଦୋରାଙ୍କ ପେଟରେ ଓ ଅନ୍ୟ ଗୋଟିଏ ତାଙ୍କ ବାମ ଜଙ୍ଘରେ ବାଜିଥିଲା। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବ୍ୟାଙ୍କ ପଟକୁ ଦୌଡ଼ିଥିଲେ। ଏହା ପରେ ତିନିଜଣ ଦୁର୍ବୃତ୍ତ ଏକ ପଲ୍‌ସର ବାଇକରେ ସେଠାରୁ ଫେରାର ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ମଧୢ ଭୟରେ ତାଙ୍କୁ ପିଛା କରିବାକୁ ସାହସ କରି ପାରି ନଥିଲେ। ଲୋକେ ଗୁରୁତର ଶ୍ରୀ ଦୋରାଙ୍କୁ ଏକ ଗାଡ଼ିରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଦୁର୍ବୃତ୍ତମାନେ କେଉଁଠୁ ଆସିଥିଲେ ଓ କୁଆଡ଼େ ଗଲେ ସଠିକ ଭାବେ ଜଣା ପଡ଼ି ନଥିବା ବେଳେ ସେମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରୁଥିବା ଏବଂ ସେମାନେ ବିଜେପୁରରୁ ଟିଟିଲାଗଡ଼ ରାସ୍ତାରେ ପଳାଇ ଯାଇଥିବା ଉପସ୍ଥିତ ଲୋକେ କହିଛନ୍ତି।