ଠିକାଦାର କ୍ୟାମ୍ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ:କୁକୁଡ଼ା ମାଂସ ନେଲା ସାଙ୍ଗର ଜୀବନ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଶୁଣ୍ଢିମୁଣ୍ଡା କେନ୍ଦୁକଟାଠାରେ ଥିବା ଏକ ଠିକାଦାର କ୍ୟାମ୍ପରେ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ କରି ପୁଲିସ ଅଭିଯୁକ୍ତ ଗିରଫ କରିଛି। କୁକୁଡ଼ା ମାଂସକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଅଭିଯୁକ୍ତ ହେଉଛି ରାଉରକେଲା ରଘୁନାଥପାଲି ଥାନା ଲାଲମାଟି ଜଲଦା-ଏ ବ୍ଲକ୍‌ର ମନୀଷ ଏକ୍କା (୩୪)। ମନିଷ ସୋମବାର ସକାଳେ ରେଢ଼ାଖୋଲ ରେଳ ଷ୍ଟେସନରେ ବୁଲୁଥିବା ବେଳେ ଖବର ପାଇ ରେଢ଼ାଖୋଲ ଥାନାଧିକାରୀ ପ୍ରଶାନ୍ତ ସାମଲ ଓ ଏସଆଇ ସୁଷମା କୁଅଁର ତାକୁ ଗିରଫ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ଗତ ୨୪.୦୩.୧୮ରେ ମନିଷ ନିଜ ଅଂଚଳର ସୁରେନ୍ଦ୍ର ତନ୍ତିକୁ ହତ୍ୟା କରିଥିଲା। ସୁରେନ୍ଦ୍ର ଓ ମନୀଷ ଦୁଇ ସାଂଗ ଥିଲେ ଏବଂ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ଘଟଣା ଦିନ ରାତିରେ ବଂଶଲ ଇନଫ୍ରା କଂପାନିର ଠିକା କ୍ୟାମ୍ପରେ ଅଭିଯୁକ୍ତ ମନୀଷ ଓ ଇନ୍ଦର ଲୁହାର କୁକୁଡ଼ା ମାଂସ ରୋଷେଇ କରି ବାହାରକୁ ବୁଲିବାକୁ ଯାଇଥିଲେ। ମନୀଷ ବାହାରୁ ହାଣ୍ଡିଆ ପିଇ କ୍ୟାମ୍ପକୁ ଆସିଲା ବେଳେ ରନ୍ଧା ମାଂସ ଗାଏବ ହୋଇଯାଇଛି। ପରେ କ୍ୟାମ୍ପ ଭିତରେ ଏକୁଟିଆ ସୁରେନ୍ଦ୍ରକୁ ଦେଖି ମନିଷର ମନରେ ସନ୍ଦେହ ହୋଇଥିଲା। ‘ଇଏ ହିଁ ଚିକେନ ଖାଇଛି’ ବୋଲି ଆକ୍ଷେପ କରିଥିଲା। ସୁରେନ୍ଦ୍ର ଚିକେନ ବିଷୟରେ କିଛି ଜାଣି ନଥିବା କହିଥିଲା। ମନୀଷ ଓ ସୁରେନ୍ଦ୍ର ମଧ୍ୟରେ ବଚସା ହୋଇଥିଲା। ରୋଷେଇ ଘରେ ଥିବା ଏକ ଚକୁ ସାହାଯ୍ୟରେ ମନୀଷ ଆକ୍ରମଣ କରିଥିଲା ଏବଂ ସୁରେନ୍ଦ୍ରର ଛାତିରେ ଗୁରୁତର ଭାବେ ଆଘାତ ଦେଇଥିଲା। ରେଢ଼ାଖୋଲ ଡାକ୍ତରଖାନାରେ ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରାଯାଇଥିଲା। ଉଭୟେ ମହାନଦୀରୁ ରେଢ଼ାଖୋଲକୁ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ବିଛା ଯାଉଥିବା ପାଇପଲାଇନ କାମରେ ନିୟୋଜିିତ ଥିଲେ। ଛତିଶଗଡ଼ ବିଲାସପୁରର ଠିକାଦାର ରାଜେଶ ସୋନକାର ଏହି ଦୁଇ ଜଣଙ୍କୁ ନିୟୋଜିତ କରିଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତ ମନୀଷଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର