ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭରତବାହାଲ ଗ୍ରାମ ନିକଟରେ ଶନିବାର ବିଳମ୍ବିତ ରାତିରେ ବଲାଙ୍ଗୀର ଡିଏଫଓ ଓ କର୍ମଚାରୀମାନେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କୁରୁଡ଼ୁ କାଠ ଓ ଏକ ଟ୍ରକ୍କୁ ଜବତ କରିଥିବା ଜଣାପଡ଼ିଛି। ବନ ବିଭାଗର ସୂଚନାନୁଯାୟୀ ଶନିବାର ବିଳମ୍ବିତ ରାତିରେ ବଲାଙ୍ଗୀର ଡିଏଫଓ ସମିର ଶତପଥୀଙ୍କ ନେତୃତ୍ବରେ ଏସିଏଫ ବାବାଜୀ ଚରଣ ରାଉଳ, ପାଟଣାଗଡ଼ ରେଞ୍ଜର ବାସୁଦେବ ନାଥଙ୍କ ସମେତ ପାଟଣାଗଡ଼ ବନ ବିଭାଗର କର୍ମଚାରୀମାନେ ଭରତବାହାଲ ଗ୍ରାମ ଅଭିମୁଖେ ଯାଇଥିଲେ। ଭରତବାହାଲରେ ଏକ ଦଶଚକିଆ ଟ୍ରକ (ନଂ. ସିଜି ୦୪ ଜେଡି ୦୭୩୧)ରେ ବହୁ ପରିମାଣରେ କୁରୁଡୁ କାଠ ବୋଝେଇ ହୋଇ ଅନ୍ୟତ୍ର ଚାଲାଣ ହେବାକୁ ରହିଥିଲା। ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ କାଠ ଓ ଟ୍ରକ ଛାଡ଼ି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। କାଠ ବୋଝେଇ ଟ୍ରକକୁ ବନ ବିଭାଗ ଜବତ୍ କରି ପାଟଣାଗଡ଼ କାର୍ଯ୍ୟାଳୟକୁ ଅଣିଥିଲା। ଜବତ୍ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି ଜଣାପଡିଛି। ତେବେ ଏହି କାଠ ଛତିଶଗଡ଼କୁ ଚାଲାଣ ହେବାକୁ ଥିବା ଜଣାପଡ଼ିଥିବା ବେଳେ ଏହି କାଠରେ ମୂଲ୍ୟବାନ ମୂର୍ତ୍ତି ତିଆରି ହୋଇଥାଏ। ତେଣୁ ଏଠାରୁ ଚୋରା ଚାଲାଣ କରାଯାଉଥିବା ନେଇ ସନ୍ଦେହ କରାଯାଉଛି ବୋଲି ପାଟଣାଗଡ଼ ରେଞ୍ଜର ବାସୁଦେବ ନାଥ ସୂଚନା ଦେଇଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp