ବଲାଙ୍ଗୀର: କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲା, ପୁଲିସ ହେପାଜତରେ ମାଆ-ପୁଅ

ବଲାଙ୍ଗୀର: କୋଟି କୋଟି ଟଙ୍କାର ଜିଏସଟି ଠକେଇ । ବିକ୍ରି ଓ ଦ୍ରବ୍ୟ ସେବା କର ବିଭାଗ ଚଢ଼ଉ ପରେ ଆରମ୍ଭ ହୋଇଛି ତନାଘନା। ବଲାଙ୍ଗୀର ଜିଲ୍ଲାର ୩ଟି ଥାନାରେ ରୁଜୁ ହେଲାଣି ମାମଲା । ବଲାଙ୍ଗୀର ପୁଲିସ ଏବେ ମାମଲାକୁ ନେଇ ତଦନ୍ତ ଜାରି ରଖିଛି । ଜିଏସଟି ବିଭାଗ ପକ୍ଷରୁ ଅଧିକାରୀମାନେ ବି ଠକେଇ ପଛରେ ଥିବା ମାଆ-ପୁଅ ଯୋଡ଼ିଙ୍କୁ ଜେରା କରୁଛନ୍ତି । କୋଟି କୋଟି ଟଙ୍କାର ଜିଏସଟି ଠକେଇ ମାମଲା ଦେଓଗାଁ ଥାନା ସାରସମାଲ ଗାଁରୁ ନେଇ ସଇଁତଲା ଥାନା ଘଣ୍ଟାମାଲ ଯାଏଁ ଲମ୍ବିଛି । ଏସବୁ ଗାଁର ଲୋକଙ୍କ କାଗଜପତ୍ର ହାତେଇ ଭୂତ କମ୍ପାନି କରି କୋଟିକୋଟି ଟଙ୍କାର କାରବାର କରାଯାଇଛି, ଯେଉଁଥିରେ କୋଟିକୋଟି ଟଙ୍କାର ଜିଏସଟି ଫାଙ୍କି ହୋଇଛି । ସମଗ୍ର ଘଟଣାରେ ବଲାଙ୍ଗୀର ଟିକ୍ରାପଡାରେ ଦୀର୍ଘ ଦିନ ହେଲା ରହୁଥିବା ଗାୟତ୍ରୀ ଜୈସୱାଲ ଓ ତାଙ୍କ ପୁଅ ବୀରେନ୍ଦ୍ର ଜୈସୱାଲଙ୍କ କାରନାମା ଏବେ ଚର୍ଚ୍ଚାରେ । ଏମାନଙ୍କ ପଛରେ ବି ଆହୁରି ବଡବଡିଆ ଏହି ଠକେଇରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

ଘଟଣାରୁ ଜଣାଯାଏ ଯେ, ଗତ ଛଅସାତ ମାସ ପୂର୍ବରୁ ଗାୟତ୍ରୀ ଦେଓଗାଁ ଥାନା ଅନ୍ତର୍ଗତ ସାରସମାଲ ଗାଁକୁ ଯାଇଥିଲେ । ସେଠାରେ ସେ ମହିଳାମାନଙ୍କୁ ହସ୍ତତନ୍ତ ଉପରେ ସିଲାଇ ତାଲିମ ଦେଉଥିଲେ । ଏପରିକି ବିଭିନ୍ନ ସମୟରେ କାର୍ଯ୍ୟକ୍ରମମାନ କରି ସେ ପୁରସ୍କାର ସବୁ ଦେଉଥିଲେ । ଧୀରେ ଧୀରେ ସାରସମାଲ ଗାଁର ମୀନା ସାହୁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା । ମୀନାଙ୍କୁ ସେ ଋଣ କରାଇଦେବେ କହି କାଗଜପତ୍ର ଦେବାକୁ କହିଥିଲେ । ଜଣଙ୍କର କଲେ ହେବ ନାହିଁ, ଏକାଥରକେ ୧୦ ଜଣରୁ ଅଧିକଙ୍କର ଋଣ କରିହେବ ବୋଲି କହିଥିଲେ । ପ୍ରମାଣପତ୍ର ସହ ବିଦ୍ୟୁତ ବିଲ, ଘରର ପାର୍ଚ୍ଚା କାଗଜପତ୍ର ଆଦି ସେ ସଂଗ୍ରହ କରିଥିଲେ । ଗାୟତ୍ରୀଙ୍କ କହିବା ମୁତାବକମୀନା ଗାଁର କେତେ ଜଣଙ୍କ କାଗଜପତ୍ର ଯୋଗାଡ଼ କରିଥିଲେ। ପରେ ମୀନା ସଇଁତଲା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁରେ ରହୁଥିବା ନିଜ ସଂପର୍କିୟ ମହେନ୍ଦ୍ର ସାହୁଙ୍କୁ ବି ଯୋଗାଯୋଗ କରିଥିଲେ । ସେ ନିଜେ ତାଙ୍କ କାଗଜପତ୍ର ଦେବା ସହ ସେହି ଗାଁର ଆଉ କେତେ ଜଣଙ୍କ କାଗଜପତ୍ର ସଂଗ୍ରହ କରି ଦେଇଥିଲେ । ଋଣ କିନ୍ତୁ ହୋଇନଥିଲା । ଗାୟତ୍ରୀଙ୍କୁ ପଚାରିଲେ ସେ ଋଣ ଲକଡାଉନ କାରଣରୁ ହୋଇପାରୁନଥିବା କହୁଥିଲେ । ଅନ୍ୟପଟେ ଘଣ୍ଟମାଲ ଗାଁର ଚାଷୀ ରବୀନ୍ଦ୍ର ଭୋଇଙ୍କ ନାଁରେ ଜାଲ କମ୍ପାନୀ ଚାଲୁଥିବା ସୂଚନା ପାଇ ଜିଏସଟି ବିଭାଗର ୩ ଜଣ ବ୍ୟକ୍ତି ରବୀନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ ।

ଗତ ତିନି ମାସ ଭିତରେ ସିନ୍ଦୁଜା ଷ୍ଟିଲ ୧କୋଟିରୁ ଅଧିକ ଟଙ୍କାର ଜିଏସଟି କାରବାର କରିଛି । ରବୀନ୍ଦ୍ର କୌଣସି କମ୍ପାନି କରିନଥିବା ଜିଏସଟି ବିଭାଗର ଅଧିକାରୀଙ୍କୁ କହିଥିଲେ। ଆଉ ସେ ମହେନ୍ଦ୍ରଙ୍କୁ କାଗଜପତ୍ର ଦେଇଥିବା କହିଥିଲେ । ଅନ୍ୟପଟେ ମୀନା ସାରସମାଲ ଗାଁରୁ କିଛି କାଗଜପତ୍ର ଦେଇଥିଲେ । ସେହି କାଗଜପତ୍ର ବ୍ୟବହାର କରି ଏକ ପରିବହନ କମ୍ପାନି ବି ଖୋଲାଯାଇଛି । ସବିତା ରାଣାଙ୍କ ଓ ବୀରେନ୍ଦ୍ର ଜୈସୱାଲଙ୍କ ମଧ୍ୟରେ ତାହାର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେହି କାଗଜପତ୍ର ବଳରେ ଦୁଇଟି କମ୍ପାନି ହୋଇଥିବା ଜିଏସଟି ବିଭାଗ ଜାଣିବାକୁ ପାଇଥିବା ବେଳେ ଅଧିକ ତଦନ୍ତ ଚଲାଇଛି । ସବିତା ରାଣା ଏ ନେଇ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସବୁ ବିଷୟ ସାମ୍ନାକୁ ଆସିବା ପରେ ମୀନା ସାହୁ ବଲାଙ୍ଗୀର ଟାଉନ ଥାନାରେ ଗାୟତ୍ରୀ ଜୈସୱାଲଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏବେ ପୁଲିସ ଗାୟତ୍ରୀ ଓ ତାଙ୍କ ପୁଅ ବୀରେନ୍ଦ୍ରଙ୍କୁ ଥାନାକୁ ଡାକି ଅଟକ ରଖିଛି । ଜିଏସଟି ବିଭାଗ ଅଧିକାରୀ ଆସି ଜେରା କରୁଛନ୍ତି ।

ସମ୍ବନ୍ଧିତ ଖବର