ଭାଲୁମୁଣ୍ଡା: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନବ୍ୟାପୀ ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। 

Advertisment

ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାରମାନଙ୍କୁ ସୁଯୋଗ ଦେବାର ଏକ ମଞ୍ଚ ପାଲଟିଛି ଗିରିଗୋବର୍ଦ୍ଧନ ମହୋତ୍ସବ ମଞ୍ଚ।

ଏହି ଅବସରରେ ଅଂଚଳର ବିଶିଷ୍ଟ ପ୍ରତିଭାବାନ ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ମଞ୍ଚ ଉପସ୍ଥାପକ ସୁଶୀଲ କୁମାର ପୋଢ଼, ଯୁବ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ, ଯୁବ ସାମ୍ବାଦିକ ରାଧେଶ୍ୟାମ ମେହେର, ଯୁବ ଗୀତିକାର ଅନନ୍ତରାମ ହଂସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। 

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଗୁଡ଼ିକ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟିର ଆବାହକ ହୁଲେଶ୍ୱର ହଂସ, ଉପଦେଷ୍ଟା ଦୁର୍ଦ୍ଦକ୍ଷ ହଂସ, ସମ୍ପାଦକ ବିଷ୍ଣୁପ୍ରସାଦ ଗହିର, ସମିତି ସଭ୍ୟ କେଦାର ଭୋଇ, ସଦସ୍ୟ ହରେଶ ବେହେରା, ଧର୍ମେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସବୁ ବର୍ଷ ଭଲି ଚଳିତ ବର୍ଷ ପାଇଁ ଆୟୋଜନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Balangir