ଅସ୍ତିତ୍ବ ଖୋଜୁଛି ସରକାରୀ ଉର୍ଦ୍ଦୁ ସ୍କୁଲ:ପରିତ୍ୟକ୍ତ କୋଠାରେ ଚାଲିଛି ପାଠପଢ଼ା

ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ନଗର ପଡ଼ାରେ ଥିବା ଜିଲ୍ଲାର ଏକ ମାତ୍ର ସରକାରୀ ଉର୍ଦ୍ଦୁ ସ୍କୁଲ ଅସ୍ତିତ୍ବ ହରାଇବାରେ ବସିଛି। ନିଜସ୍ବ କୋଠା ନ ଥିବାରୁ ବହୁ ବର୍ଷ ହେଲା ଏକ ପରିତ୍ୟକ୍ତ କୋଠା ବାରଣ୍ଡାରେ ବସି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଜିଲ୍ଲା ମୁଖ୍ୟାଳୟରେ ଥିଲେ ସୁଦ୍ଧା ପ୍ରଶାସନ ସ୍କୁଲର ସ୍ଥିତିକୁ ଅଣଦେଖା କରିଚାଲିଛି। ବଲାଙ୍ଗୀର ସହରର ମୁସଲିମ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ଗାନ୍ଧୀ ନଗର ପଡ଼ାରେ ରହିଛି। ସରକାରୀ ଉଦାସୀନତା ଯୋଗୁଁ ୧୯୭୨ରେ ଆରମ୍ଭ ହୋଇଥିବା ଏହି ସ୍କୁଲ ଆଜି ପର୍ଯ୍ୟନ୍ତ ଯାଯାବର ପରି ଘୁରି ବୁଲୁଛି। ୪୭ ବର୍ଷ ପରେ ସୁଦ୍ଧା ନିଜସ୍ବ କୋଠା ନାହିଁ। ପର ପିଣ୍ଡା‌ରେ ବୁଲି ନିଜ ଅସ୍ତିତ୍ବ ଖୋଜି ପାଉନି। ପ୍ରଥମେ ଗାନ୍ଧୀ ନଗର ପଡ଼ାର ବୈଜମୀ ସ୍କୁଲରେ ଆରମ୍ଭ ହୋଇଥିଲା। ବୈଜମୀ ସ୍କୁଲ ବନ୍ଦ ହେବା ପରେ ୨୦୦୩ରେ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ କୋଠାକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଦିନଠାରୁ ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସାଧାରଣ ପ୍ରାଥମିକ ସ୍କୁଲ ଭଳି ବ୍ୟବସ୍ଥା ମଧ୍ୟରେ ଏଠାରେ ଅତିରିକ୍ତ ଭାବରେ ଉର୍ଦ୍ଦୁ ବିଷୟ ରହିଛି। ସେମାନଙ୍କ ପାଇଁ ରହିଛନ୍ତି ଜଣେ ଉର୍ଦ୍ଦୁ ଶିକ୍ଷକ ଓ ଜଣେ ସାଧାରଣ ସ୍କୁଲର ଶିକ୍ଷୟତ୍ରୀ। ସ୍କୁଲର ଦୟନୀୟ ଅବସ୍ଥା ଯୋଗୁଁ ଅଭିଭାବକମାନେ ମଧ୍ୟ ସ୍କୁଲ ପ୍ରତି ବିମୁଖ ହେଉଥିବା ଦେଖାଯାଉଛି। ଉର୍ଦ୍ଦୁ ଭାଷାଭାଷୀଙ୍କ ପାଇଁ ସ୍ଥାପିତ ହୋଇଥିଲେ ସୁଦ୍ଧା ମୁସଲିମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୬ ଜଣ। ପ୍ରତିଦିନ ସ୍କୁଲର ପସରା ଆରମ୍ଭ ହୁଏ। ଶିକ୍ଷକମାନେ ଆସି ଚୌକି, ଟେବୁଲ ଓ ପାଠ ପଢ଼ାଇବା ଉପକରଣ ଅଫିସ କୋଠରୀରୁ ବାରଣ୍ଡାକୁ ବାହାର କରନ୍ତି। ସ୍କୁଲ ଛୁଟି ହେବା ପରେ ପୁନଶ୍ଚ ସେ ସବୁକୁ ସାଉଟି ଅଫିସ ଘରେ ଭର୍ତ୍ତି କରନ୍ତି। ଜିଲ୍ଲା ପ୍ରଶାସନ ସ୍କୁଲ ପାଇଁ ସ୍ଥାୟୀ କୋଠାର ବ୍ୟବସ୍ଥା କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର