ବଲାଙ୍ଗୀର : ସାରା ରାଜ୍ୟରେ ଜିଏସଟି ଠକେଇକୁ ନେଇ ନାନା ରକମର ଖବର ଆସୁଛି। ରାଉରକେଲା ପରେ ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଥିଲା ଜିଏସ୍ଟି ଜାଲିଆତି ମାମଲା। ଗରିବଗୁରୁବାଙ୍କ ଡକ୍ୟୁମେଣ୍ଟ ହାତେଇ ଭୂତ କମ୍ପାନି ସବୁ ହୋଇଥିଲା। ବିଭାଗୀୟ ଅଧିକାରୀଙ୍କ ଖୋଲତାଡ଼ରେ ବଲାଙ୍ଗୀରର ଗାୟତ୍ରୀ ଜୈସୱାଲଙ୍କ ନାଁ ସାମ୍ନାକୁ ଆସିଥିଲା। ମାମଲା ଥାନାକୁ ଯିବା ପରେ ଗାୟତ୍ରୀ ଜୈସୱାଲ ଓ ତାଙ୍କ ପୁଅଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିଲା। ଏହି ଘଟଣା ପରେ ପରେ ଜିଏସ୍ଟି ବିଭାଗର ଅଧିକାରୀ ଭୂତ କମ୍ପାନି ସବୁ କେଉଁ କେଉଁଠି ରହିଛି ତାହାର ଅନୁସନ୍ଧାନ ଜାରି ରଖିଛନ୍ତି। ବଲାଙ୍ଗୀରରୁ ସୁବର୍ଣ୍ଣପୁରକୁ ଏହି ଚେର ଲମ୍ବିଥିବା ଏବେ ଜଣାପଡ଼ିଛି। ସେଠାରେ ବି କଟକ ଲିଙ୍କ୍ ଜିଏସ୍ଟି ବିଭାଗ ଅଧିକାରୀ ପାଇଛନ୍ତି। ହେଲେ କଟକରେ ଥିବା ମାଷ୍ଟରମାଇଣ୍ଡ କିଏ? ଗାୟତ୍ରୀଙ୍କ ଭଳି ଏଜେଣ୍ଟ ସବୁ ରଖି କିଏ ହାତଉଥିଲା ଡକ୍ୟୁମେଣ୍ଟ? ଏସବୁର ତଦନ୍ତ ଚଲାଇଛନ୍ତି ଜିଏସ୍ଟି ବିଭାଗର ଅଧିକାରୀ। ଅନ୍ୟପଟେ ବଲାଙ୍ଗୀର ଟାଉନ ଥାନା ପୁଲିସ ଗାୟତ୍ରୀଙ୍କୁ ଜେଲ ପଠାଇବା ପରେ କଟକ ଲିଙ୍କ୍ ଖୋଜିବାକୁ ତତ୍ପରତା ପ୍ରକାଶ କରୁନି।
ମିଳିଥିବା ସୂଚନାରୁ ଜଣାଯାଏ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ରାମପୁର ଅଂଚଳରେ ୩ଟି ଭୂତ କମ୍ପାନି ଠାବ କଲେଣି ଜିଏସ୍ଟି ଅଧିକାରୀ। ବାଗ୍ ଆଣ୍ଡ ବାଗ୍, ନମସ୍କାର ଟ୍ରେଡର୍ସ, କାଲେଶ୍ୱରୀ ଷ୍ଟିଲ କମ୍ପାନି ଖୋଲି ଜିଏସ୍ଟି ଠକେଇ ହୋଇଛି। ଆଉ ଏହି କମ୍ପାନିର କଟକ ଲିଙ୍କ୍ର ସୂଚନା ଦେଇଛି କାଲେଶ୍ୱରୀ ଷ୍ଟିଲ। ବଲାଙ୍ଗୀରରେ ଭୂତ କମ୍ପାନି ଜଣାପଡ଼ିବା ପରେ ଜିଏସ୍ଟି ବିଭାଗ ଅଧିକାରୀ ଆଗକୁ ଆହୁରି ଖୋଲତାଡ଼ ସବୁ କରିଥିଲେ। ସେହି ଖୋଳତାଡ଼ କରୁ କରୁ ଠକେଇର ଚେର ପଡ଼ୋଶୀ ଜିଲ୍ଲାକୁ ବି ଲମ୍ବିଥିବା ସ୍ପଷ୍ଟ ହୋଇଛି।
ବଲାଙ୍ଗୀରରେ ପାଖାପାଖି ୬ ମାସ ତଳେ ଗାୟତ୍ରୀ ଦେଓଗାଁ ବ୍ଲକ୍ ଅଂଚଳକୁ ଯାଇ ସେଠାରେ ମହିଳାଙ୍କୁ ସିଲାଇ ତାଲିମ ସବୁ ଦେଉଥିଲେ। ମିନା ସାହୁ ନାମକ ଜଣେ ମହିଳାଙ୍କ ସହ ସେ ସଂପର୍କ ରଖି ଋଣ କରାଇଦେବା ନାଁରେ ଡକ୍ୟୁମେଣ୍ଟ ହାତେଇଥିଲେ। ପ୍ରାୟ ୧୦ ଜଣଙ୍କ ଡକ୍ୟୁମେଣ୍ଟ ହାତେଇଥିବା ଜଣାପଡ଼ିଥିଲା। ତାପରେ ହିଁ ସବୁ କାରନାମା ସେ କରିଥିଲେ। ନିଜ ପୁଅ ନାଁରେ ଏକ ଟ୍ରାନ୍ସପୋର୍ଟ କମ୍ପାନିର ଏଗ୍ରିମେଣ୍ଟ କରି ଭୂତ କମ୍ପାନି କରିଥିଲେ। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ଜିଏସ୍ଟି ଅଧିକାରୀଙ୍କ ଖୋଳତାଡ଼ରେ ଏକାଧିକ ଭୂତ କମ୍ପାନି ଥିବା ଜଣାପଡ଼ିଥିଲା। ଏବେ ପୁଣି ଜିଏସ୍ଟି ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲାକୁ ଯାଇ ସେଠାରେ ତନାଘନା ଚଳାଇଛନ୍ତି। କଟକ ଲିଙ୍କ୍ ଥିଲେ ବି ଏ ପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ପାଖକୁ କେହି ପହଞ୍ଚିପାରି ନାହାନ୍ତି। ଏଥିରେ ଅନେକ ଲୋକଙ୍କ ସଂପୃକ୍ତି ଥିବା ବେଳେ ଏହି ମାମଲାକୁ ଗୁରୁତ୍ବର ସହ ନେଇ ପୁଲିସ ବିଭାଗ ବି ତଦନ୍ତକୁ ଆଗକୁ ବଢ଼ାଇବାକୁ ଦାବି ହେଉଛି।