ବେଲପଡ଼ା: ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ଥିବା ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପଞ୍ଚାୟତ ମାଲିମୁଣ୍ଡା ୟୁପିସ୍କୁଲରେ ସୋମବାର ଗ୍ରାମବାସୀ ତାଲାପକାଇ ଦେଇଛନ୍ତି। ସେମାନଙ୍କ କହିବା ହେଲା, ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। କିନ୍ତୁ, ଦୁଃଖର ବିଷୟ ଯେ, ଏଠାରେ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି। ସେହିପରି ମାତ୍ର ଦୁଇଟି ଶ୍ରେଣୀ କୋଠରିରେ ଏମାନଙ୍କୁ ବସାଇ ପାଠପଢ଼ା ହେଉଛି। ଉକ୍ତ କୋଠରି ଦୁଇଟିର ଛପର ମଧ୍ୟ ଭାଙ୍ଗିବାକୁ ବସିଲାଣି।

Advertisment

ଅନେକ ଦିନରୁ ସ୍କୁଲ କୋଠରି ନିର୍ମାଣ ଓ ନୂଆ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଆସୁଛନ୍ତି। ତଥାପି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଲୋକେ ଉତ୍‌କ୍ଷିପ୍ତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି। ଖବର ପାଇ ଏବିଇଓ ଚତୁର୍ଭୁଜ ମିର୍ଦ୍ଧା ଓ ଜଗବନ୍ଧୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଶିକ୍ଷକ ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ମଙ୍ଗଳବାର ସମସ୍ୟାର ସମାଧାନ ହୋଇଯିବ ବୋଲି ଏବିଇଓ ପ୍ରତିଶ୍ରୁତି ଦେଇଥିଲେ।