୪ ମାସର ଶିଶୁକୁ ହୃଦରୋଗ, ସହାୟତା ଲୋଡ଼ିଲା ପରିବାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମୁଣ୍ଡା ଗାଁର ରାଣାପ୍ରତାପ ବିଭାର ଓ ଯାଜ୍ଞସେନୀଙ୍କର ୪ ମାସର ପୁଅ ଜ୍ୟୋତିର୍ମୟ। ସେ ବର୍ତ୍ତମାନ ହୃଦରୋଗରେ ପୀଡ଼ିତ। ତାର ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ହେଉଛି। ଆର୍ଥିକ ଭାବେ ସ୍ୱଚ୍ଛଳ ନୁହନ୍ତି ବିଭାର ପରିବାର। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ୪ମାସର ଶିଶୁପୁତ୍ର ଜ୍ୟୋତିର୍ମୟର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି। ସୂଚନା ଅନୁସାରେ, ୩ ମାସର ହୋଇଥିବା ବେଳେ ଜ୍ୟୋତିର୍ମୟର ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ବଲାଙ୍ଗୀରରେ ପରୀକ୍ଷା କରିବାରୁ ହୃଦରୋଗରେ ସେ ପୀଡ଼ିତ ବୋଲି ଜଣାପଡିଥିଲା। ବୁର୍ଲା, ରାୟପୁର ନେଇ ଚିକିତ୍ସା କରାଇଥିଲେ ବି ସେମାନେ ଫେରାଇ ଦେଇଥିଲେ। ମୁମ୍ବାଇରେ ତାର ଚିକିତ୍ସା କରାଯିବ ଓ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ଏତେ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିବାକୁ ସକ୍ଷମ ନୁହନ୍ତି ବିଭାର ଦମ୍ପତି। ବିଙ୍ଗ ହ୍ୟୁମାନ ସଂଗଠନ ପକ୍ଷରୁ ଜ୍ୟୋତିର୍ମୟର ଚିକିତ୍ସା ପାଇଁ ବିଭିନ୍ନ ସଂସ୍ଥାର ସହାୟତା ଲୋଡାଯାଇଛି। ଏଥିସହିତ ସହୃଦୟ ବ୍ୟକ୍ତି ସହାୟତା କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବି ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ରାଣାପ୍ରତାପ ଓ ଯାଜ୍ଞସେନୀଙ୍କର ବିବାହର ୭ ବର୍ଷ ପରେ ଏହି ଶିଶୁପୁତ୍ର ଜନ୍ମ ହେଇଥିଲା। ଯାହାକୁ ନେଇ ବିଭାର ପରିବାରରେ ଖୁସି ଖେଳିଯାଇଥିଲା। ଏବେ ଶିଶୁଟି ହୃଦରୋଗରେ ପୀଡ଼ିତ ଥିବାରୁ ପରିବାର ଲୋକେ ଚିନ୍ତାରେ।

ସମ୍ବନ୍ଧିତ ଖବର