ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୃଷି ଜିଲ୍ଲା ଅଧିକାରୀ

ବଲାଙ୍ଗୀର: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଭିଜିଲାନ୍ସ ହାତରେ ଧରା ପଡ଼ିବା ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ପଏଣ୍ଟ ଅପ୍ ସେଲ୍ ମେସିନ କରାଇ ଦେବା ପାଇଁ ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନସ ହାତରେ ଧରାପଡ଼ିଛନ୍ତି। ଦୁର୍ଯ୍ୟୋଧନଙ୍କର ଏକ ସାର ଦୋକାନ କରିଥିବା ବେଳେ ସାର ବିକ୍ରି କରିବା ପାଇଁ ମାଗଣାରେ ପି.ଓ.ଏସ ବା ପଏଣ୍ଟ ଅଫ ସେଲ ମେସିନ ପାଇବା କଥା। କିନ୍ତୁ ମାଗଣା ମେସିନ ଦେବା ପାଇଁ ବଲାଙ୍ଗୀର କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସାର ଦୋକାନୀ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ନିଜ ଅଫିସରେ କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢୀ, ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି କାବୁ କରିଥିଲା । ପରେ ପାଢୀ ରହୁଥିବା ହାତୀଶାଳପଡା ଭଡ଼ାଘରକୁ ଯାଇ ଭିଜିଲାନ୍ସ ଖାନତଲାସି କରିଥିଲା। ଭଡ଼ାଘରୁ ଛୋଟ ଗଞ୍ଜେଇ ପୁଡ଼ିଆଟିଏ ମଧ୍ୟ ମିଳିଥିଲା। ଭିଜିଲାନ୍ସ କୃଷି ଜିଲ୍ଲା ଅଧିକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ଲାଞ୍ଚ ନେବା କଥାକୁ ଅସ୍ୱୀକାର କରିଛନ୍ତି ହିମାଂଶୁ ଶେଖର ପାଢୀ।

ସମ୍ବନ୍ଧିତ ଖବର