ଭାଲୁମୁଣ୍ଡା: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ପୁଞ୍ଜିପଥର ଡଙ୍ଗରବୁଢା ପୀଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଓ ବିକାଶ ଏବଂ ଛତ୍ରଙ୍ଗର ଗୁମ୍ଫା ଡ୍ୟାମକୁ ଇକୋଟୁରିଜମ କରିବା ଦାବି ନେଇ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ବଲାଙ୍ଗୀର ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ଦାବି କରାଯାଇଥିଲା । ସୂଚନା ଅନୁସାରେ ,ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଅନେକ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳ ରହିଛି । ଏହାର ଭିତ୍ତିଭୂମିର ବିକାଶ ସହିତ ପାରିପାର୍ଶ୍ବିକ ଉନ୍ନତି ପ୍ରତି ଦୃଷ୍ଟି ଦିଆଗଲେ ବହୁ  ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନଂ ରାଜପଥ ପାର୍ଶ୍ଵରେ ପୁଞ୍ଜିପଥରଠାରେ ଥିବା ଡଙ୍ଗରବୁଢା ପୀଠର ବିକାଶ ଓ ପାରିପାର୍ଶ୍ବିକ ଉନ୍ନତି, ପର୍ଯ୍ୟଟକଙ୍କ ରହିବାର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଗଲେ ପର୍ଯ୍ୟଟକ ଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବ।

Advertisment

ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଳକର ସଙ୍ଗମ ସ୍ଥଳରେ ଡଙ୍ଗରବୁଢା ପୀଠ,ଏବଂ  ତା'ର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁ ଲୋକଙ୍କୁ ଟାଣି ଆଣିଥାଏ। ପୁଞ୍ଜିପଥର ଡଙ୍ଗର ଉପରେ ଥିବା  ମନ୍ଦିରକୁ ଯିବା ପାଇଁ ଆହୁରି ସୁବ୍ୟବସ୍ଥା, ଆଲୋକିକରଣ, ପାନୀୟଜଳର ବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗାର, ଶୌଚାଳୟ ଆଦି ଦିଗରେ ପଦକ୍ଷେପ ନେଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ। ବଙ୍ଗୋମୁଣ୍ଡା ବ୍ଳକ ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମରେ ଥିବା ଗୁମ୍ଫା ଡ୍ୟାମକୁ ଇକୋ ଟୁରିଜମ କରାଯାଉ। ପାହାଡ଼ରୁ ବହି ଆସିଥିବା ଚାମସିଲେଟ ଝରଣା ଜଳକୁ ଆବଦ୍ଧ କରି  ୧୯୮୫ ମସିହାରେ ଗୁମ୍ଫା ଡ୍ୟାମର  ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ।

ନୈସର୍ଗିକ ପ୍ରାକୃତିକ ପରିବେଶରେ ମଧ୍ୟରେ ଥିବା ଏହି ଗୁମ୍ଫା ଡ୍ୟାମକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଇକୋ ଟୁରିଜମ ଭାବରେ ଏହି ଡ୍ୟାମର ଉନ୍ନତି କରାଗଲେ ବଲାଙ୍ଗିର ଜିଲ୍ଲାର ଉପାନ୍ତ ଏହି ଅଞ୍ଚଳକୁ ଅନେକ ପର୍ଯ୍ୟଟକ ଆସିପାରିବେ। ପର୍ଯ୍ୟଟନର ବିକାଶ ସହିତ ଅଞ୍ଚଳରେ ଜୀବନ ଜୀବିକା କ୍ଷେତ୍ରରେ ମଧ୍ଯ ସୁଧାର ଆସିପାରିବ । ଏଣୁ ପୁଞ୍ଜିପଥର ଡଙ୍ଗରବୁଢା ପୀଠକୁ ପର୍ଯ୍ୟଟନର ମାନ୍ୟତା ଓ ବିକାଶ ,ଛତ୍ରଙ୍ଗ ର ଗୁମ୍ଫା ଡ୍ୟାମ କୁ ଇକୋ ଟୋରିଜମରେ ପରିଣତ କରିବା ପାଇଁ ପଦକ୍ଷେପ ନେବା ପାଇଁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ର ଦେବା ସମୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସଂଘର ସମ୍ପାଦକ ହୁଲେଶ୍ୱର ହଂସ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନିଲ ତ୍ରିପାଠୀ, କୋଷାଧ୍ୟକ୍ଷ ଦୀପକ ଯାଦବ, ସଦସ୍ୟ ନାରାୟଣ ମିଶ୍ର, ନିତ୍ୟାନନ୍ଦ ପୃସେଠ, ରାଧେଶ୍ୟାମ ମେହେର ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।