ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା, ଜୀବନଯାତ୍ରା ଠପ୍

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର  ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ  ବନ୍ଦ ପାଳନ କରାଯିବ। ଏଥିଲାଗି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଛକମା‌ନଙ୍କରେ କମିଟିର ସଦସ୍ୟମାନେ ମେଳି ହୋଇ ରାସ୍ତା ଅବରୋଧ  କରିଛନ୍ତି। ଏହି ବନ୍ଦର ପ୍ରଭାବରେ କଣ୍ଟାବାଞ୍ଜିରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଆଜି ଏଠାକାର ସମସ୍ତ ସ୍କୁଲ କଲେଜ ବି ବନ୍ଦ ରହିଥିବା ନେଇ ସୂଚନା ମିଳିଛି। ଏଠାରେ ଜନଜୀବନ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ବୈଠକରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଗୁରୁବାର ଦିନ କଣ୍ଟାବାଞ୍ଜି ସହରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ପ୍ରତିଷ୍ଠାନ କୁ ମଧ୍ୟ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଗୁରୁବାର ଦିନ ସ୍ଥାନୀୟ ହେମାଳ ସଂଘ ଭବନଠାରୁ ଏକ ବିଶାଳ ରାଲି ଯୋଗେ କଣ୍ଟାବାଞ୍ଜି ତହସିଲ ଅଫିସରେ ପହଞ୍ଚି ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। କିଛି ଦିନ ସରକାରଙ୍କୁ ସମୟ ଦେଲା ପରେ ଜିଲ୍ଲା ସଂଘର୍ଷ ସମିତି ପୁଣି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ସଭାପତି କହିଛନ୍ତି।

ସମ୍ବନ୍ଧିତ ଖବର