କଂଟାବାଞ୍ଜି: କଂଟାବାଞ୍ଜି ଡାକ୍ତରଖାନା ଉପରେ କଂଟାବାଞ୍ଜି ସହର ସମେତ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସହ ଆଖ ପାଖ ବ୍ଲକର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ରୋଗୀ ଅନୁପାତରେ ଆବଶ୍ୟକ ଡାକ୍ତର ସହ ଅନ୍ୟ ସମସ୍ୟାକୁ ନେଇ ଅନେକ ଥର ‘ସମ୍ବାଦ’ରେ ଖବର ପରିବେଷିତ ହୋଇଆସୁଛି। ଗୁରୁବାର ସିଡିଏମ୍ଓ ସଂଯୁକ୍ତା ସାହୁ କଂଟାବାଞ୍ଜି ଡାକ୍ତରଖାନା ପରିଦର୍ଶନ କରିଥିଲେ। ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲିଥିଲେ ଓ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଡାକ୍ତରଖାନା ପରିସରରେ ଅନେକ ଦିନରୁ ଅଳିଆ ଅବର୍ଜନା ପଡ଼ି ରହିଥିବା ମଧ୍ୟ ସେ ଜାଣିପାରି ଅସନ୍ତୋଷ ପ୍ରକାଶ କରିଥିଲେ।
ରକ୍ତ ପାଇଁ ଡାକ୍ତରଖାନା ପରିସରରେ ଥିବା ବ୍ଲକ ବ୍ୟାଙ୍କରେ ଟଙ୍କା ଅସୁଲି କରାଯାଉଥିବା ଅଭିଯୋଗର ତଦନ୍ତ କରିଥିଲେ। ଏଥିପାଇଁ ବ୍ଲଡ ବ୍ୟାଙ୍କ ଟେକନିସିଆନ ନରେଶ ମିଶ୍ରଙ୍କୁ ପଚାରି ବୁଝିଥିଲେ। ଶ୍ରୀ ମିଶ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନୁହେଁ, ନର୍ସିଂହୋମ୍ରେ ଥିବା ରୋଗୀଙ୍କୁ ଫି’ ମଗାଯାଇଥିଲା ବୋଲି କହିଥିଲେ। ପୁଣି ଏଠକାର ରୋଗୀଙ୍କଠାରୁ ନିଆଯାଉଛି ବୋଲି ଅଭିଯୋଗ ହେବାରୁ ସଠିକ ଉତ୍ତର ଦେଇ ପାରି ନଥିଲେ। ପରେ ଡାକ୍ତର ପାତ୍ରଙ୍କ ନିର୍ଦେଶରେ ଏଭଳି କରାଯାଉଥିବା କହି ଶ୍ରୀ ମିଶ୍ର କିଛି କାଗଜ ପତ୍ର ଦେଖାଇଥିଲେ। ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୌଣସି ରୋଗୀଙ୍କ ଠାରୁ ଫି’ ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ପୂର୍ବରୁ ଯାହାଙ୍କ ଟଂକା ନିଆଯାଇଛି ଫେରସ୍ତ କରିବାକୁ ଆଦେଶ ଦେଇଥିଲେ। ଆଗକୁ ସମସ୍ୟା ଯାହା ଅଛି ତାହା ଧୀରେ ଧୀରେ ଠିକ କରାଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଥିଲେ। ଅନେକ ଦିନରୁ ରୋଗୀମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ଆସୁଥିଲେ ମଧ୍ୟ ଡାକ୍ତରଖାନା ଅଧିକାରୀ କୌଣସି ପଦକ୍ଷେପ ନେଉ ନାହାନ୍ତି। କହିଲେ ଟେଣ୍ଡର କରାଯାଇଥିଲା, କିନ୍ତୁ କେହି ଆବେଦନ କଲେ ନାହିଁ ବୋଲି ସଫେଇ ଦେଉଛନ୍ତି। ଏ ଉପରେ ମଧ୍ୟ ଆଉ ଥରେ ଟେଣ୍ଡର କରାଯିବ ବୋଲି ସିଡିଏମଓ କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp