ଖପ୍ରାଖୋଲ: ସମଗ୍ର ରାଜ୍ୟରେ ଅଗଣତାନ୍ତ୍ରିକ ସରକାର ଚାଲିଥିବା, ପ୍ରତି ବ୍ଲକ୍ରେ ପିସି କାରବାର ହେଉଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ସୋମବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଫିସ ଘେରାଉ କରିଛି ବିଜେପି। ଏହି ଘେରାଉରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ। ଆଜିର କାର୍ଯ୍ୟକ୍ରମ ସଂପର୍କରେ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ସିଂହଦେଓଙ୍କ ସହ କର୍ମୀମାନେ ଧାରଣାରେ ବସିଥିଲେ। ବିଡିଓ କିମ୍ୱା ତାଙ୍କ ଉପରିସ୍ଥ ଅଧିକାରୀ ବ୍ଲକ୍ କାର୍ଯ୍ୟାଳୟକୁ ଆସି ଦାବିପତ୍ର ଗ୍ରହଣ କରିକରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଶ୍ରୀ ସିଂହଦେଓ ଧମକ ଦେଇଛନ୍ତି।
ସ୍ଥାନୀୟ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଓ ଆକାଉଣ୍ଟ ଅଫିସର ହରେକୃଷ୍ଣ ମେହେର ଦାବିପତ୍ର ଗ୍ରହଣ କରିବାକୁ ଯାଇଥିଲେ ମଧ୍ୟ ବିଡିଓଙ୍କୁ ହିଁ ଦାବିପତ୍ର ଦେବେ ବୋଲି ବିଜେପି କର୍ମୀମାନେ ଜିଦ୍ ଧରିଥିଲେ। ଏହି ଆନ୍ଦୋଳନରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ଶଶି ପୂଝାରୀ, ଦେବାକାନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ଭୋଇ, କର୍ଣ୍ଣ ସିଂ ଠାକୁର, ବାବାଜୀ ମେହେର, ବୁଲୁ ଯୋଶୀ, ଶିବା ସୁନା, ଭାରତ ସାହୁ, ଦେବାନନ୍ଦ ଭୋଇ, ସତ୍ୟାନନ୍ଦ ସେନ୍ଦ୍ରିଆ, ମଧୁ ବରିହା, ନୀଳ ପାଣିଗ୍ରାହୀ, ପ୍ରଶାନ୍ତ ଦାଶ, କୁନୁ ମୁଣ୍ଡା ପ୍ରମୁଖ ସାମିଲଥିଲେ। ଏନେଇ ବିଡିଓ ଆକାଶ ରଞ୍ଜନ ସାହୁଙ୍କୁ ପଚାରିବାରୁ ସରକାରୀ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଖପ୍ରାଖୋଲ ଫେରୁଥିବା କହିଛନ୍ତି।