ବଲାଙ୍ଗୀର : ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଲୋଇସିଂହା ତହସିଲର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳଙ୍କୁ ଲାଞ୍ଚ ନେବା ମାମଲାର ବିଚାର କରି ଜେଲ୍ ଓ ଜରିମାନା ଦଣ୍ଡ ଶୁଣାଣି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜମିକୁ ପାଣି ମଡ଼ାଇବା ନେଇ ଏକ ବିବାଦ ରହିଥିଲା। ଏହି ବିବାଦର ସମାଧାନ କରିବା ପାଇଁ ଲୋଇସିଂହା ବ୍ଲକ ଦୁମଦୁମି ଗାଁର ସୁବଳ କରନ ଲୋଇସିଂହାର ତତ୍କାଳୀନ ତହସିଲଦାର ବିଜୟିନୀ ବିଶ୍ୱାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଶ୍ରୀମତୀ ବିଶ୍ୱାଳ। ୨୦୧୩ ମାର୍ଚ୍ଚ ୨୫ ତାରିଖ ସଂଧ୍ୟାରେ ଶ୍ରୀମତୀ ବିଶ୍ୱାଳ ଲାଞ୍ଚ ଟଙ୍କା ନେଇଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଏନେଇ ଏକ ମାମଲା ଭିଜିଲାନ୍ସ ବଲାଙ୍ଗୀରରେ ହୋଇଥିଲା।
ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ରମାକାନ୍ତ ସାଏ ୨୦୧୪ ମାର୍ଚ୍ଚ ୧୪ ତାରିଖରେ ଚାର୍ଜସିଟ୍ ଦେଇଥିଲେ। ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲାର ବିଚାର ଚାଲିଥିଲା। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଚିନ୍ତାମଣି ପଣ୍ଡା ଶ୍ରୀମତୀ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ସଶ୍ରମ କାରାଦଣ୍ଡ ଓ ୨ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଉମେଶ ମିଶ୍ର ମାମଲା ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ଲୋଇସିଂହା ତହସିଲରେ କାମ କଲା ବେଳେ ଶ୍ରୀମତୀ ବିଶ୍ୱାଳଙ୍କୁ ଦୁଇଥର ଭିଜିଲାନ୍ସ ଧରିଥିଲା। ବର୍ତ୍ତମାନ ଶ୍ରୀମତୀ ବିଶ୍ୱାଳ କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ବିଭାଗରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।