ବଲାଙ୍ଗୀର: ବଲାଙ୍ଗୀର ସହର ମଝିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅନେକ ଅବ୍ୟବସ୍ଥା। ଲୋକଙ୍କ ସେବା ପାଇଁ ସମର୍ପିତ ଏସ୍ବିଆଇ। ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଏଭଳି ବାର୍ତ୍ତା ଦିଆଯାଉଥିବା ବେଳେ ଅସଲରେ ହିତାଧିକାରୀ ତାଙ୍କ ଘଣ୍ଟା ଘଣ୍ଟା ସମୟ ସମର୍ପି ଦେଉଛନ୍ତି ବ୍ୟାଙ୍କ ପାଇଁ।
ଏସ୍ବିଆଇ ମୁଖ୍ୟ ଶାଖା ବାହାରେ ଏଟିଏମ୍ କାଉଣ୍ଟର ରହିଛି। ଟଙ୍କା କାଢିବା ଓ ଜମା ପାଇଁ ମେସିନ୍ ରହିଛି। ଟଙ୍କା ଜମା କରା ମେସିନ୍ ଅନେକ ସମୟରେ ଖରାପ(ଆଉଟ୍ ଅଫ ଅର୍ଡର)। ସେହିପରି ଗୋଟିଏ ଏଟିଏମ୍ ବି ଅଚଳ ରହୁଛି। ଯେଉଁ ଏଟିଏମ୍ ଚାଲୁଛି, ସେଥିରେ ଟଙ୍କା ନାହିଁ କହି ଫେରାଇ ଦେଉଛନ୍ତି ନିୟୋଜିତ ସୁରକ୍ଷା କର୍ମୀ। ଏହା ହେଉଛି ସୋମବାର ଦିନ ୧୧ଟା ବେଳର ସ୍ଥିତି। ଏଟିଏମ୍ ଛାଡି ବ୍ୟାଙ୍କ ଭିତରକୁ ଗଲେ ସେଠି ବି ଅବସ୍ଥା ଖରାପ। ଅନେକ କାଉଣ୍ଟରରେ କର୍ମଚାରୀ ନାହାନ୍ତି। କାଉଣ୍ଟର ଚେୟାରରେ ଜ୍ୟାକେଟ୍ ଥୁଆ ହୋଇଛି ହେଲେ କର୍ମଚାରୀ ନାହାନ୍ତି।
ଏଇଠିକି ଯାଇଥିବେ ବୋଲି ଠିଆ ହେବେ। କିନ୍ତୁ କର୍ମଚାରୀଜଣଙ୍କ ଆସୁ ନାହାନ୍ତି। ବୁଝିବା ବେଳକୁ ବାବୁ ଜଣଙ୍କ ଅନ୍ୟ ଏକ କାଉଣ୍ଟରରେ ଦେଖାରେଖା କରୁଛନ୍ତି। ବ୍ୟାଙ୍କର ଉପରେ ଆଧାର ସଂଯୋଗ, ଅନ୍ୟାନ୍ୟ କାମ ପାଇଁ ଲୋକେ ଯାଉଛନ୍ତି। ସେଠି ତ ପୂରା ବଜାର ବସିଛି। ନୂଆ ଲୋକ ଗଲେ ଭୁଲରେ ବ୍ୟାଙ୍କ ଭାବି ଗାଁ ହାଟକୁ ଆସିଥିବା ଆଶଙ୍କା କରିବ!
ବଲାଙ୍ଗୀର ଏସ୍ବିଆଇ ମୁଖ୍ୟ ଶାଖାର ବୟସ ୬୦ ପାରିହେଲାଣି। ୯୦ହଜାରରୁ ଅଧିକ ଗ୍ରାହକ ଥିବା ବେଳେ ଲୋଇସିଂହାରୁ ଆରମ୍ଭ କରି ତୁଷୁରା ଯାଏ ଥିବା ବ୍ୟାଙ୍କଗୁଡ଼ିକ ଏହି ଶାଖା ଉପରେ ନିର୍ଭର କରନ୍ତି। ସୂଚନା ଅନୁସାରେ, ବ୍ୟାଙ୍କରେ ୨୦ରୁ ଅଧିକ କିରାଣି କର୍ମଚାରୀ ରହିବାର ନିୟମ ଥିବା ବେଳେ ବର୍ତ୍ତମାନ ୧୨ରୁ ୧୩ ଜଣ ରହୁଛନ୍ତି। ସେହିପରି ୩ଜଣ ଅଧିକାରୀଙ୍କର ବି ବଦଳି କରିଦିଆଯାଇଛି। ଛୁଟିରେ ଜଣେ, ଦୁଇଜଣ ରହୁଛନ୍ତି। ୧୦/୧୧ଜଣ କର୍ମଚାରୀ କେମିତି ହଜାର ହଜାର ସଂଖ୍ୟକ ଗ୍ରାହକଙ୍କ କାମ ଦେଖିବେ? ଗତ କିଛି ମାସ ହେଲା, ଆର୍ବିଓର ଆଞ୍ଚଳିକ ପରିଚାଳକ(ଆର୍ଏମ୍) ଅଫିସ୍ ଗତ କିଛି ମାସ ହେଲା ଏସ୍ବିଆଇ ମୁଖ୍ୟ ଶାଖା ଉପରକୁ ଆସିଛି। ଏସ୍ବିଆଇର ବିଭିନ୍ନ ଶାଖା ଉପରେ ଆର୍ବିଓର ନିୟନ୍ତ୍ରଣ ଥିବା ବେଳେ ବିଭାଗୀୟ ଆଞ୍ଚଳିକ ପରିଚାଳକ(ଆର୍ଏମ୍) ଗ୍ରାହକଙ୍କ ସମସ୍ୟା ଦେଖି ନପାରିବା ତାଜୁବ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/SBI-.jpg)