ଗୁଳିମାଡ଼ କରି ଲୁଟିନେଲେ ୩ ଲକ୍ଷ

ମଦ ଭାଟି ମ୍ୟାନେଜର ଆହତ

ସଇନ୍ତଲା : ସଇନ୍ତଲା-ଟିଟିଲାଗଡ଼ ରାସ୍ତାର ଭତାସର ଛକ ନିକଟରେ ବାଇକରେ ଯାଉଥିବା ୨ ଜଣ ମଦ ଭାଟି କର୍ମଚାରୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ସଇନ୍ତଲା ଥାନାରେ ଅଭିଯୋଗ ହୋଇଛି।

ବିବିନାଠାରେ ଥିବା ମଦଭାଟି ମ୍ୟାନେଜର ଗୌତମ ବର୍ମା(୪୫) ଓ ଆମ୍ପ୍ରପାଲି ଗ୍ରାମର ମଦଭାଟି ମ୍ୟାନେଜର ନଗେନ୍ଦ୍ର (୪୪) ପ୍ରସାଦ ଗୁପ୍ତା ଏକ ହୋଣ୍ତା ସାଇନ ବାଇକରେ ସକାଳ ୧୦. ୩୦ମି.ରେ ଗତ ୪ ଦିନର ବିକ୍ରି ଟଙ୍କା ଜମା କରିବାକୁ ଟିଟିଲାଗଡ଼ ଯାଉଥିଲେ। ସେମାନଙ୍କ ଅଭିଯୋଗ ହେଲା, ବାଟରେ ପୂର୍ବରୁ ଏକ କଳା ହୋଣ୍ତା ସାଇନରେ ୩ଜଣ ଭତାସର ଛକଠାରେ ଥିବା ବୁଲାଣିରେ ଜଗି ରହିଥିଲେ। ଭାଟି ମ୍ୟାନେଜରଙ୍କୁ ଦେଖିବା କ୍ଷଣି ସେମାନେ ଲାଠିରେ ଆକ୍ରମଣ କରିଥିଲେ। ସେମାନେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଲାଠିରେ ବାଡ଼େଇଥିଲେ। ନଗେନ୍ଦ୍ର ଲାଠିକୁ ଧରି ପକାଇବାରୁ ୩ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇବାକୁ କହିଥିଲେ। ଅନ୍ୟ ଜଣେ ଗୁଳି ଚଳାଇବାରୁ ନଗେନ୍ଦ୍ରଙ୍କ ଗୋଡ଼ରେ ବାଜିଥିଲା। ଗୁଳି ମାରିବା ପରେ ଦୁର୍ବୃତ୍ତମାନେ ବାଇକ ଡିକିରେ ଥିବା ୩ ଲକ୍ଷ ୬ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ପରେ ଆହତ ନଗେନ୍ଦ୍ର ଓ ଗୌତମ ସେଠାରୁ ରାସ୍ତା କଡ଼ରେ ଥିବା ବୁଦାମୂଳକୁ ଯାଇ ଲୁଚି ଯାଇଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କୁ ସେମାନେ ସହାୟତା ପାଇଁ କହିଥିଲେ ବି କେହି ଶୁଣିନଥିଲେ। ପରେ ସେମାନେ ବିବିନା ମଦଭାଟିକୁ ଫୋନ ଯୋଗେ ଜଣାଇବାରୁ, ସେଠାରୁ ଏକ କମାଣ୍ତର ଯାଇ ସେମାନଙ୍କୁ ଉଦ୍ଧ‌ାର କରି ସଇନ୍ତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସଇନ୍ତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଚିକିତ୍ସା କରି ଛାଡ଼ି ଦିଆଯାଇଥିଲା। ନଗେନ୍ଦ୍ରଙ୍କ ଗୋଡ଼ରେ ଗୁଳି ବାଜି ଥିବା ବେଳେ ଗୌତମଙ୍କ ହାତରେ ଲାଠି ମାଡ଼ ବାଜିଥିବା ଜଣାଯାଏ।

ଖବର ପାଇ ସଇନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ସିଲ୍‌ କରି ଅଧିକ ତଦନ୍ତ କରୁଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାଯାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଟିଟିଲାଗଡ଼ ନିକଟ ବିଜେପୁର ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ଟଙ୍କା ଲୁଟ ହୋଇଥିଲା। ବାରମ୍ବାର ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ପତ୍ତା ମିଳୁନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର