ଦେଓଗାଁ/ତୁଷୁରା : ପାଗଳ କୁକୁର କାମୁଡ଼ାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁପରେ ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଚିଚେଡ଼ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେହିପରି ଗୋଟିଏ ଗାଈ, ଦୁଇଟି ମେଣ୍ଢା ଓ ୯ଟି ଛେଳିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ତେବେ ଏତେ ବଡ଼ ଘଟଣା ସତ୍ତ୍ବେ ବଲାଙ୍ଗୀର ସ୍ଵାସ୍ଥ୍ୟ ବିଭାଗ କି ପ୍ରାଣୀ ଚିକିତ୍ସା ବିଭାଗ କେହି ପାଖ ମାଡ଼ିନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୨୩ ତାରିଖ ଚିଚେଡ଼ ଗାଁର ଯୁଗେନ୍ଦ୍ର ଛତ୍ରିଆଙ୍କୁ କୁକୁର କାମୁଡ଼ିଥିଲା। ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଗାଁକୁ ତାଙ୍କ ଶବ ପହଞ୍ଚିଥିଲା। ଯୋଗେନ୍ଦ୍ର ଜଣେ ଜଣାଶୁଣା କବାଡ଼ି, ହକି, ଫୁଟବଲ ଖେଳାଳି ହୋଇଥିବାରୁ ତାଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ଦେଖାଦେଇଛି। ସେହିପରି ଗାଁର ହୃଷୀକେଶ ରଣା (୪୫)ଙ୍କୁ ମଧ୍ୟ ସେହିଦିନ ପାଗଳ କୁକୁର କାମୁଡ଼ିଥିଲା। ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଗୋଟିଏ ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେଶବ ନାଗ, ଫୁଲ ଛତ୍ରିଆ, ମେଘନାଦ ଛତ୍ରିଆ, ରାଜୀବ ରଣାଙ୍କ ପତ୍ନୀ, ପ୍ରେମସାଗର ଛତ୍ରିଆ, ରାଧିକା ଛତ୍ରିଆ ପ୍ରମୁଖ କୁକୁର କାମୁଡ଼ାରେ ଆହତ ହୋଇ ଟିକା ନେଇ ଘରେ ଚିକିତ୍ସିତ ହେଉଛନ୍ତି। ତେବେ ଏତେବଡ଼ ଅଘଟଣ ପରେ ବି ପ୍ରଶାସନ ଗାଁ କିମ୍ବା ମୃତକ ପରିବାରର ପାଖ ମାଡ଼ିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।