ମହୁଲପାଟି ପଞ୍ଚାୟତ ମନରେଗା ଦୁର୍ନୀତି:୪୦ ଲକ୍ଷ ଟଙ୍କା ହେରଫେର, ଏତଲାରେ ୨୦

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ପର୍ଦ୍ଦାଫାସ ହୋଇଥିଲା। ବେସରକାରୀ ଭାବେ ଖୋଳତାଡ ସହ ସୂଚନା ଅଧିକାର ଜରିଆରେ ଦିଆଯାଇଥିବା ତଥ୍ୟକୁ ଭିତ୍ତି କରି ଯାଞ୍ଚ ବେଳେ ଜମି ମରାମତି ନାଁରେ ବେଧଡକ ଦୁର୍ନୀତି ହୋଇଥିବା ଜଣାପଡିଥିଲା। ମରିଯାଇଥିବା ବୁଢାବୁଢୀ, ସ୍କୁଲ, କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ନାଁରେ ଟଙ୍କା ଉଠାଯାଇଥିବା ସରଜମିନ ତଦନ୍ତ ବେଳେ ମିଳିଥିଲା। ୨୦୧୭ ଜୁନ୍‌ ମାସରେ ଏହି ଦୁର୍ନୀତି ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ଆଉ ୬ ମାସ ପରେ କାର୍ଯ୍ୟାନୁଷ୍ଠାନ କଥା ମନେ ପଡିଲା। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତିକୁ ବ୍ଲକ କର୍ତୃପକ୍ଷ ବେଫିକର ଭାବେ ନେଇଥିବା ଏତଲାରୁ ଏବେ ସ୍ପଷ୍ଟ ହେଉଛି।
‘ସମ୍ବାଦ’ରେ ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତରେ ଜମି ମରାମତି ନାଁରେ ମନରେଗା ଯୋଜନାରେ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଠିକ୍‌ ଭାବେ କାମ ହୋଇ ନଥିବା ଅଭିଯୋଗ ହୋଇଥିଲା। ସୂଚନା ଅଧିକାର ଜରିଆରେ ତଥ୍ୟ ମଗାଯାଇଥିଲା। ଆଉ ସୂଚନା ଅଧିକାର ତଥ୍ୟକୁ ଆଧାର କରି ଗାଁକୁ ଗାଁ ବୁଲି ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା। ଦୀର୍ଘ ବର୍ଷ ହେଲା ମରିଯାଇଥିବା ଲୋକଙ୍କ ମୃତ୍ୟୁ ପ୍ରମାଣପତ୍ର ଥିବା ବେଳେ ସେମାନଙ୍କ ନାଁରେ ଟଙ୍କା ଉଠାଣ କରାଯାଇଛି। ସେହିପରି ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ନାଁ ଉଲ୍ଲେଖ କରି ଟଙ୍କା ଆତ୍ମସାତ କରାଯାଇଥିବା ଯାଞ୍ଚ ବେଳେ ମିଳିଥିଲା। କେବଳ ‘ସମ୍ବାଦ’ ନୁହେ, ଅନ୍ୟ ଗଣମାଧ୍ୟମ ମଧ୍ୟ ଏହି ଦୁର୍ନୀତି ନେଇ ରିପୋର୍ଟ କରିଥିଲେ। ଜୁନ୍‌ ଯାଇ ଡିସେମ୍ବର ହେଇଗଲା, ହେଲେ ମହୁଲପାଟି ପଞ୍ଚାୟତରେ ହୋଇଥିବା ଦୁର୍ନୀତି ନେଇ କୌଣସି ଠୋସ୍‌ ପଦକ୍ଷେପ ନିଆଗଲା ନାହିଁ। ୨୦୧୭ ନଭେମ୍ବର ୯ ତାରିଖରେ ବଲାଙ୍ଗୀର ପିଡି ଡିଆର୍‌ଡିଏ ଡ.ମହେଶ୍ୱର ସ୍ୱାଇଁ ୩୮୪୩ ନମ୍ବର ଚିଠି ତୁରେକେଲା ବିଡିଓଙ୍କୁ କରିଥିଲେ।

ଏଥିରେ ମନରେଗା ଦୁର୍ନୀତି ନେଇ କେଉଁମାନେ ଦୋଷୀ ତାହା ଜଣାଇବାକୁ କହିଥିଲେ। ଏହି ଚିଠିକୁ ଆଧାର କରି ବିଡିଓ ତୁରେକେଲା ୧୫ ନଭେମ୍ବରରେ ୩୬୮୯ ଚିଠି ପିଡିଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ଏଥିରେ ମହୁଲପାଟି ଗାଁ ସାଥୀ ମିତା ସାହୁ, ଗଇନ୍ଦିମାଲ ଗାଁ ସାଥୀ ପ୍ରଦୀପ ସାହୁ, ଜିଆର୍‌ଏସ୍‌ ଲବକୁମାର ମାଝୀ, ସରପଞ୍ଚ ହୀରାଧର ପୁଟା, ପଞ୍ଚାୟତ ଇଓ ଗୁଣନିଧି ପାଇକ, ବ୍ଲକ ଜେଇ ଧନଞ୍ଜୟ ତନ୍ତୀଙ୍କୁ ପକ୍ଷଭୁକ୍ତ କରିଥିଲେ। ସେହି ମାସ ୨୨ ତାରିଖରେ ପିଡି ଡିଆର୍‌ଡିଏ ବଲାଙ୍ଗୀର ଚିଠି ସଂଖ୍ୟା ୪୦୨୦ ଜରିଆରେ ବିଡିଓ ତୁରେକେଲାଙ୍କୁ ଅର୍ଥ ହେରଫେରକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ୨୩ ତାରିଖରେ ତୁରେକେଲା ବିଡିଓ ତୁରେକେଲା ଥାନାକୁ ପତ୍ର ସଂଖ୍ୟା ୪୨୭୨ ଜରିଆରେ ମନରେଗା ଦୁର୍ନୀତିରେ ସରପଞ୍ଚ ହୀରାଧର ପୁଟା, ଇଓ ଗୁଣନିଧି ପାଇକ, ଜିଆର୍‌ଏସ୍‌ ଲବକୁମାର ମାଝୀଙ୍କ ସଂପୃକ୍ତ ଦର୍ଶାଇ ଏତଲା ଦେଲେ। ଆଉ ଏତଲା କପି ସହ କିଛି ମଷ୍ଟର ରୋଲ୍‌ ବି ଯୋଡିଥିଲେ। ପ୍ରାଥମିକ ଆକଳନ ଅନୁସାରେ ୨୦ହଜାର ଟଙ୍କାର ହେରଫେର ହୋଇଥିବା ଦର୍ଶାଇଥିଲେ।
ମହୁଲପାଟି ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ଜମି ଉନ୍ନୟନ କାମ ନାଁରେ ପ୍ରାୟ ୪୦ ଲକ୍ଷ ଟଙ୍କାର ହେରଫେର ଆକଳନ କରାଯାଉଥିବା ବେଳେ ତରବରିଆ ଭାବେ ତୁରେକେଲା ବିଡ଼ିଓ ମାତ୍ର ୨୦ ହଜାର ଟଙ୍କାର ହେରଫେର ଦର୍ଶାଇବା ସନ୍ଦେହ ସୃଷ୍ଟି କରୁଛି। ଯେଉଁଠି ମରିଯାଇଥିବା ବୁଢାବୁଢୀ, ବହୁ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସରକାରୀ, ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ନାଁରେ ହଜାର ହଜାର ଟଙ୍କା ଆତ୍ମସାତ କରାଯାଇଥିଲା, ସେଠି ବ୍ଲକ କତୃର୍ପକ୍ଷ ସରଜମିନ ଯାଞ୍ଚ ନକରି ମନଇଚ୍ଛା ଆକଳନ କରି ପୁଲିସ ଏତଲା ଦେଇଥିବା ଅଭିଯୋଗ ହେଉଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମହୁଲପାଟି ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ କେଉଁମାନେ ସଂପୃକ୍ତ ତାର ଖୋଳତାଡ କଲେ ହାତ ଗଣତି ନୁହେଁ, ଅନ୍ୟମାନଙ୍କ ଭୂମିକା ବି ସାମ୍ନାକୁ ଆସିପାରିବ।

ସମ୍ବନ୍ଧିତ ଖବର