ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ମିସନ ଶକ୍ତି ବିପିସି ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜାମୁଟର ସମିତିସଭ୍ୟ ଅଶୋକ ଦୋରାଙ୍କୁ ବଲାଙ୍ଗୀର ପୁଲିସ୍ ଗିରଫ କରିଛି। ଗତ ୧୦ ତାରିଖ ଗୁଡ଼ଭେଲା ବ୍ଲକ ପରିସରରେ ଅଧ୍ୟକ୍ଷାଙ୍କ କକ୍ଷରେ ଅଶୋକ ଓ ତାଙ୍କ ସମର୍ଥକ ମିସନ ଶକ୍ତି ବିପିସି ଶ୍ରୀ ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ତୁଷୁରା ପୁଲିସ୍ ଏସ୍ଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ଅଶୋକଙ୍କ ୬ ଜଣ ସମର୍ଥକଙ୍କୁ ପୂର୍ବରୁ ଗିରଫ କରିଥିଲା। ଏଥିସହ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଅଶୋକଙ୍କୁ ଧରିବାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା।
ଶୁକ୍ରବାର ରାତିରେ କଳାହାଣ୍ତି ଜିଲ୍ଲା ନର୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଲୁଚିଥିବା ପୁଲିସ୍ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏଥିସହ ଅଶୋକ ବାବାଧାମକୁ ପଳାୟନ କରିବା ନେଇ ଉଦ୍ୟମ କରୁଥିବା ବେଳେ ପୁଲିସ୍ ଚଢ଼ଉ କରି ଅଶୋକଙ୍କୁ ଗିରଫ କରିଥିଲା। ବଲାଙ୍ଗୀର କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ ପୂର୍ବରୁ ମଧ୍ୟ ଅଶୋକଙ୍କ ନାଁରେ ବହୁ ମାମଲା ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ବଳରେ ପ୍ରତ୍ୟେକ ଥର ଗିରଫ ହେବାରୁ ବଞ୍ଚିତ ହେଉଥିଲେ। ହେଲେ ଏଥରର ଘଟଣାରେ ପୁଲିସ୍ ତାଙ୍କୁ ଗିରଫ କରିଛି।
ସୂଚନାଥାଉକି, ବିପିସିଙ୍କ ମାଡ଼ ଘଟଣା ପୂର୍ବରୁ ଗୁଡ଼ଭେଲା ବ୍ଲକର ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ସ୍ମୃତିରେଖା ବହଳିଆଙ୍କୁ ଫୋନ୍ ଯୋଗେ ଧମକଚମକ ଦେବା ସହ ଗାଳିଗୁଲଜ କରିଥିବାରୁ ସେ ତୁଷୁରା ଥାନାରେ ଅଭିଯୋଗ କରିଥିଲେ। ଏଥିସହ ସଂପୃକ୍ତ ଯନ୍ତ୍ରୀ ଜଣକ ଭୟରେ ଗୁଡ଼ଭେଲା ବ୍ଲକରୁ ଅନ୍ୟତ୍ର ବଦଳି ପାଇଁ ବିଭାଗକୁ ଲେଖି ଜଣାଇଥିଲେ। ଏପରିକି ଶ୍ରୀ ଦୋରାଙ୍କ ଧମକଚମକ ଯୋଗୁଁ ବ୍ଲକରେ କାମ କରୁଥିବା ଅନ୍ୟ ଅଧିକାରୀ ତଥା କର୍ମଚାରୀ ମଧ୍ୟ ଅନ୍ୟତ୍ର ବଦଳି ଯିବାପାଇଁ ସର୍ବଦା ଚେଷ୍ଟା କରୁଥିବା ଆଲୋଚନା ହେଉଛି।