ହତ୍ୟାକାରୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଟିଟିଲାଗଡ଼ : ୨୦୧୨ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ଶୁଣାଣି କରି ଗୁରୁବାର ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ୨୦ ହଜାର ଟଙ୍କା ଜରିମାନା ଏବଂ ତାହା ଅନାଦେୟ ହେଲେ ଅତିରିକ୍ତ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ମୃତକଙ୍କ ପରିବାର ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି।

ସଇନ୍ତଲା ଥାନା କୁଶମାଲ ଗାଁର ମୀନକେତନ ଭୋଇଙ୍କ ଦୁଇ ପୁଅ ଗୌର ଭୋଇ ଓ ଭୀମରାଜ ଭୋଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗି ରହିଥିଲା। ୨୦୧୨ ସେପଟେମ୍ବର ୩୦ ତାରିଖ ସଂଧ୍ୟାରେ ଏହି ଝଗଡ଼ା ଉଗ୍ର ରୂପ ନେବା ପରେ ଭୀମରାଜ ଗୌରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ଗୌରଙ୍କ ମୁଣ୍ଡରେ ଏକ ଲୁହା ରଡ଼ରେ ବାଡ଼େଇ ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ଗୌର ପ୍ରାଣ ହରାଇଥିଲେ।

ଏହାକୁ ନେଇ ତାଙ୍କ କାକା ଶକୁନୀ ଭୋଇ ସଇନ୍ତଲା ଥାନାରେ ଏକ ଅଭିଯୋଗ ଦାଖଲ କଲା ପରେ ପୁଲିସ ସଇନ୍ତଲା ଥାନା କେସ୍‌ ନଂ ୧୬୬/୧୨ରେ ଏକ ମାମଲା ରୁଜୁ କରି ଭୀମରାଜକୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ଏଡିଜେ ଶ୍ରୀକାନ୍ତ ମିଶ୍ର ଅଭିଯୁକ୍ତ ଭୀମରାଜ ଭୋଇକୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରାଧାକାନ୍ତ ପାଢ଼ୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର