ଦୁଷ୍କର୍ମ ମାମଲାରେ ସାତ ବର୍ଷ ଜେଲ ଦଣ୍ଡାଦେଶ

ଟିଟିଲାଗଡ଼ : ୨୦୧୧ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଶୁକ୍ରବାର ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀକାନ୍ତ ମିଶ୍ର ମାମଲାର ମୁଖ୍ୟ ଅଭିଯୁକ୍ତ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିସିରା ଗାଁର ମୋହନ ଘିଭେଲାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଏକଲକ୍ଷ ଏକ ଜହାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଉକ୍ତ ଅର୍ଥ ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଟିଟିଲାଗଡ଼ ଥାନା ରୁଗଡ଼ିପାଲି ଗାଁର ଜଣେ ଯୁବତୀ ୨୦୧୧ ମସିହା ନଭେମ୍ବର ୨୯ ତାରିଖ ରାତିରେ ଶୌଚ ପାଇଁ ଘରୁ ବାହାରକୁ ଆସିଥିଲେ। ଏହି ସମୟରେ ମୋହନ ତାଙ୍କୁ ଅପହରଣ କରି ନେଇଥିଲା। ପ୍ରଥମେ ସେ ଯୁବତୀଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରିବା ପରେ ରାୟପୁର ଓ ପରେ ତାଙ୍କ ସଂପର୍କୀୟ ରହୁଥିବା ଡଙ୍ଗାପଦର ଗାଁକୁ ଆଣି ମଧ୍ୟ ଦୁଷ୍କର୍ମ କରିଥିଲା। ପରେ କୌଣସି ମତେ ଯୁବତୀ ଜଣକ ମୋହନ କବଳରୁ ଖସି ଆସି ପରିବାର ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ଏହାକୁ ନେଇ ପରିବାର ଲୋକ ୨୦୧୨ ଡିସେମ୍ବର ୭ ତାରିଖ ଦିନ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ନଂ ୨୧୫/୧୨ରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ମାମଲାର ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ମୋଟ ୧୫ ଜଣଙ୍କ ସାକ୍ଷ୍ୟ ପ୍ରମାଣ ତଥା ୧୪ଟି ଦସ୍ତାବେଜ ସହ ଡାକ୍ତରୀ ପରୀକ୍ଷା ରିପୋର୍ଟ, ରାସାୟନିକ ପରୀକ୍ଷା ରିପୋର୍ଟ ଆଦି ପ୍ରସ୍ତୁତ କରା ଯାଇଥିଲା। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରାଧାକାନ୍ତ ପାଢ଼ୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର