ଟିଟିଲାଗଡ଼: ବହୁଚର୍ଚ୍ଚିତ ମନୀଷା ଅଗ୍ରୱାଲ ହତ୍ୟା ମାମଲାର ୧୮ ବର୍ଷ ପରେ ପରିବାର ଲୋକଙ୍କୁ ନ୍ୟାୟ ମିଳିଛି। ହାଇକୋର୍ଟଙ୍କ ଫଇସଲା ଆସିବା ପରେ ପୀଡ଼ିତ ପରିବାର ସଦସ୍ୟ ନ୍ୟାୟ ପାଇଥିବା ବୁଧବାର ରାତିରେ ସ୍ଥାନୀୟ ଡି.ଏନ୍‌. ରିସୋର୍ଟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଦେଶର ଆଇନ ବ୍ୟବସ୍ଥା ଉପରେ ମୂଳରୁ ବିଶ୍ୱାସ ରହିଥିବା ମନୀଷାଙ୍କ ବାପା ଗଜାନନ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ସ୍ଥାନୀୟ ବ୍ୟବସାୟୀ ଗଜାନନ ଅଗ୍ରୱାଲଙ୍କ ସାନଝିଅ ମନୀଷାଙ୍କ ବିବାହ ଝାରସୁଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ କୈଳାସ ଖେତାନଙ୍କ ପୁଅ ବିମଳଙ୍କ ସହ ୯.୫.୨୦୦୫ ମସିହାରେ ହୋଇଥିଲା। ବିବାହର ମାତ୍ର କିଛିଦିନ ପରେ ମନୀଷା ଯୌତୁକ ନିର୍ଯାତନାର ଶିକାର ହୋଇଥିଲେ। ବିବାହର ମାତ୍ର ୪ ମାସ ପରେ ୧.୧୦.୨୦୦୫ ତାରିଖ ଦିନ ମନୀଷାଙ୍କ ଶାଶୂଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ଶାଶୂ ଘରଲୋକେ ଆତ୍ମହତ୍ୟା କହିଥିବା ବେଳେ ମନୀଷାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଘଟଣାକୁ ନେଇ ମୃତକଙ୍କ ସ୍ୱାମୀ, ଶାଶୂ, ଶ୍ବଶୁର, ଦେଡ଼ଶୁର ଓ ଯାଆଙ୍କ ନାମରେ ଝାରସୁଗୁଡ଼ା ଥାନାରେ କେସ୍‌ ନଂ ୨୪/୨୦୦୬ ମାମଲା ରୁଜୁ ହୋଇଥିଲା। ସ୍ଥାନୀୟ କୋର୍ଟ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ସ୍ବାମୀ ବିମଳଙ୍କୁ ଆଜୀବନ କାରାଦଣ୍ଡ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଥିଲେ।

ଏହି ରାୟ ବିରୋଧରେ ଅଭିଯୁକ୍ତଙ୍କ ପକ୍ଷରୁ ଉଚ୍ଚନ୍ୟାୟାଳୟରେ ଅପିଲ କରାଯାଇଥିଲା। ପରିବାର ସଦସ୍ୟ ଜାମିନ ପାଇବାରେ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ୩ ବର୍ଷ ଜେଲ୍‌ରେ ରହି ପରେ ଜାମିନ ପାଇବାରେ ସଫଳ ହୋଇଥିଲେ। ଏହାକୁ ନେଇ ପୀଡ଼ିତ ପରିବାର ପୁଣିଥରେ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଗତ ସେପ୍‌ଟେମ୍ବର ୨୯ ତାରିଖ ଦିନ ଉଚ୍ଚନ୍ୟାୟାଳୟ ଅଭିଯୁକ୍ତଙ୍କ ଜାମିନ ଖାରଜ କରିବା ସହ ତଳ କୋର୍ଟର ରାୟକୁ କାଏମ ରଖିଥିଲେ। ୧୮ବର୍ଷର ନ୍ୟାୟିକ ଲଢ଼େଇ ପରେ ପୀଡ଼ିତ ପରିବାର ନ୍ୟାୟ ପାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।