ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି। ଏ ନେଇ ସେ ରାଜ୍ୟ ସରକାରଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି। ପରିବାରର ଜଣେମାତ୍ର ରୋଜଗାରକ୍ଷମ ଥିଲେ ବୀଣାପାଣି। ଏଣୁ ସେହି ପରିବାରକୁ ସହାୟତା ଯୋଗାଇବାକୁ ସେ ପତ୍ର ଲେଖିଛନ୍ତି। ଗାଁ ଲୋକ ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ବଲାଙ୍ଗୀର-ସୋନପୁର ରାସ୍ତାର ପୁଇନ୍ତଳା ତହସିଲ ଅଫିସ ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ଦୁଇଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବ୍ରାହ୍ମଣୀପାଲି ଗାଁର ବାପା ବୀଣାପାଣି ପାଣ୍ଡେ (୫୦ ବର୍ଷ) ଓ ତାଙ୍କ ଦୁଇଝିଅ ରେଖା ପାଣ୍ଡେ (୧୭ ବର୍ଷ) ଓ ଶିଖା ପାଣ୍ଡେ (୧୪ ବର୍ଷ)। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୮ଟାରେ ବ୍ରାହ୍ମଣୀପାଲି ଗାଁର ବୀଣାପାଣି ତାଙ୍କ ଦୁଇ ଝିଅ ଶିଖା ଓ ରେଖାଙ୍କୁ ବାଇକ୍ (ଓଡି-୦୩-୦୨୬୩)ରେ ବସାଇ ପୁଇନ୍ତଳା ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ। ବ୍ଲକ୍ ଅଫିସରେ ଆଧାରକାର୍ଡ ସଂଶୋଧନ କରିବାର ଥିଲା। ପୁଇନ୍ତଳା ତହସିଲ ଅଫିସ ନିକଟରେ ପଛପଟୁ ଆସୁଥିବା ଗଣପତି ନାମକ ଘରୋଇ ବସ୍ (ଓଡି-୦୩ଆର୍-୯୯୭୫) ସେମାନଙ୍କୁ ଜୋର୍ରେ ଧକ୍କା ଦେଇଥିଲା। ବାଇକ୍ର ପଛପଟେ ବସିଥିବା ରେଖାଙ୍କୁ ବସ୍ ଅଧକିଲୋମିଟର ଘୋଷାଡ଼ି ଆଣିଥିଲା। ଘଟଣା ସ୍ଥଳରେ ହିଁ ରେଖାଙ୍କ ମୃତ୍ୟୁ ଘଟିଥିଲା। ବୀଣାପାଣି ଓ ଶିଖା ବାଇକ୍ରୁ ଛିଟିକି ପଡ଼ିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଅଣାଯାଇଥିଲା।
ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏସ୍ଡିପିଓ ତୋଫାନ ବାଗ, ଆଇଆଇସି ଯଶୋବନ୍ତ ପଧାନୀ, ତହସିଲଦାର ରୋହିତ ଦାସ ଓ ଅନ୍ୟ ଅଧିକାରୀ ଯାଇ ବୁଝାସୁଝା କଲେ ବି ଆନ୍ଦୋଳନ ଅପରାହ୍ଣ ୪ଟା ଯାଏଁ ଚାଲିଥିଲା। ପରେ ରେଡକ୍ରସ ପାଣ୍ଠିରୁ କିଛି ସହାୟତା ଦେବା ସହ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଲୋକେ ଓହରିଥିଲେ। କ୍ଷତିପୂରଣ ସହ ବସ୍ ଡ୍ରାଇଭର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୋଟିଏ ପରିବାରର ବାପା ଓ ଦୁଇ ଝିଅଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୀଣାପାଣିଙ୍କ ପରିବାରରେ ସ୍ତ୍ରୀଙ୍କ ସମେତ ୪ ଝିଅ। ଏବେ ବୀଣାପାଣି ଓ ଦୁଇ ଝିଅ ଆରପାରିକୁ ଚାଲିଯାଇଥିବା ବେଳେ ମା’ ଓ ଦୁଇ ଝିଅଙ୍କ କାନ୍ଦବୋବାଳିରେ ପୂରା ଗାଁ ଫାଟି ପଡୁଛି। ପୁଇନ୍ତଳା ଥାନା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ବସ୍ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରିରଖିଛି।