ପୁଅ ପାଇଁ ସକ୍ରିୟ ରାଜନୀତିରୁ ଓହରିବେ ଯୋଗେନ୍ଦ୍ର!

ବଲାଙ୍ଗୀର : ଆଉ ମାସ କେତେଟା ପରେ ନିର୍ବାଚନ। ବଲାଙ୍ଗୀର ଜିଲ୍ଲାରେ ତା’ ପୂର୍ବରୁ ଆରମ୍ଭ ହୋଇଯାଇଛି ସରଗରମ ରାଜନୀତି। ଜିଲ୍ଲାର ଜଣେ କି ଦୁଇ ଜଣ ନୁହେଁ, ତିନିଜଣ ବରିଷ୍ଠ ନେତା ଏବେ ନିଜ ପୁଅମାନଙ୍କ ପାଇଁ ପ୍ରତ୍ୟକ୍ଷ ରାଜନୀତି ଛାଡ଼ୁଛନ୍ତି ବୋଲି ଘୋଷଣା କରିବା ‌ପରେ ୨୦୧୯ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାର ରୂପରେଖ ନେଇ କଳ୍ପନାଜଳ୍ପନା ଚାଲିଛି।

ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସକ୍ରିୟ ରାଜନୀତିରୁ ଅବସର ନେବେ ବୋଲି କହି ଆସୁଥିଲେ। କିନ୍ତୁ କଂଗ୍ରେସ ପକ୍ଷରୁ ପୁଣିଥରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା ହେବା ପରେ ତାଙ୍କ ଭବିଷ୍ୟତ ଯୋଜନା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଭଳି ପୂର୍ବ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ରୋକଠୋକ ଭାବେ କହି ସାରିଛନ୍ତି ଯେ ସକ୍ରିୟ ରାଜନୀତିରେ ସେ ରହିବେ ନାହିଁ। ଏହି କ୍ରମରେ ଲୋଇସିଂହା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ବେହେରା ମଧ୍ୟ ସକ୍ରିୟ ରାଜନୀତିରୁ ଦୂରେଇ ରହିବେ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ବୟସାଧିକ କାରଣରୁ ସେମାନେ ରାଜନୀତି କରିବାକୁ ଚାହୁଁ ନଥିବା ଏହି ନେତାଏ କହୁଥିଲେ ବି ନିଜ ପୁଅମାନଙ୍କ ପାଇଁ ପଥ ସୁଗମ କରୁଥିବା ଆଲୋଚନା ଆରମ୍ଭ ହୋଇଛି।

୫ଥର ବିଧାୟକ ଯୋଗେନ୍ଦ୍ର ବେହେରା ଗତ ନିର୍ବାଚନରେ ଲୋଇସିଂହା ଆସନରୁ ପ୍ରାର୍ଥୀ ହୋଇଥିଲେ। ୨୦୦୯ରେ ଏହି ଆସନରୁ ବିଜେଡି ପାଇଁ ପ୍ରାର୍ଥୀ ଥିଲେ ରମାକାନ୍ତ ସେଠ। ସେ ବିଧାୟକ ଭାବେ ବିଜୟୀ ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଥିଲେ। ଶ୍ରୀ ସେଠଙ୍କ ସମୟରେ ବି ବିଦେଶୀ ହଟାଓ, ଲୋଇସିଂହା ବଞ୍ଚାଅ ଆହ୍ବାନ ଦେଇଥିଲେ ଦଳୀୟ ନେତା ଓ କର୍ମୀମ‌ାନେ। ୨୦୧୪ ନିର୍ବାଚନରେ ଶ୍ରୀ ବେହେରା ଲୋଇସିଂହା ଆସନରୁ ପ୍ରାର୍ଥୀ ହେଇଥିଲେ ବି ତାଙ୍କୁ କେହି ବିରୋଧ କରି ନଥିଲେ ସେତେବେଳେ। କିନ୍ତୁ ଗତ ବର୍ଷେ ହେବ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ସେମାନଙ୍କର ସମାନ୍ତରାଳ ସଂଗଠନ(ଲୋଇସିଂହା ସ୍ବାଭିମାନ ମଞ୍ଚ) ଗଠନ କରି ବିଦେଶୀ ହଟାଅ, ଲୋଇସିଂହା ବଞ୍ଚାଅ ଅଭିଯାନକୁ ଜୋରଦାର କରିଛନ୍ତି। ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଆଗଲପୁର, ଲୋଇସିଂହା, ପୁଇଁନ୍ତଲା ବ୍ଲକରେ ବିଧାୟକ ଶ୍ରୀ ବେହେରାଙ୍କ ବିରୋଧୀ ସମାବେଶ କରି ଆସିଛନ୍ତି। ତେବେ ଗତକାଲି ଲୋଇସିଂହାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଦଳୀୟ ବରିଷ୍ଠ ନେତାଙ୍କ ସମ୍ମୁଖରେ ଅପଦସ୍ତ ହେବାକୁ ପଡିଥିଲା

ବିଧାୟକ ଶ୍ରୀ ବେହେରାଙ୍କୁ। ଏହାର ପ୍ରତିଫଳନ ତାଙ୍କ ବକ୍ତବ୍ୟରେ ବି ଦେଖିବାକୁ ମିଳିଥିଲା। ସେ ଆଉ ସକ୍ରିୟ ରାଜନୀତିରେ ରହିବେ ନାହିଁ ବୋଲି କହିଥିଲେ ବୈଠକରେ।

ଏବେ ଶ୍ରୀ ବେହେରାଙ୍କ ଦୁଇ ପୁଅ ସେମାନଙ୍କ ସଂଗଠନ କରିବାରେ ଲାଗିଛନ୍ତି। ବଡପୁଅ ରାମଚନ୍ଦ୍ର ଓ ସାନପୁଅ ନିହାର ବାପା ଶ୍ରୀ ବେହେରାଙ୍କ ରାଜନୈତିକ କାର୍ଯ୍ୟକ୍ରମର ଦେଖାରେଖା କରୁଛନ୍ତି। ଏ ଦୁଇଜଣ ରାଜନୀତିରେ ସୁଯୋଗ ପାଇବେ ବୋଲି ଆଶାୟୀ। ତେବେ ରାମଚନ୍ଦ୍ର ଓ ନିହାରଙ୍କ ରାଜନୀତିରେ ଭବିଷ୍ୟତ କ’ଣ ହେବ ତାହା ସମୟ କହିବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବଲାଙ୍ଗୀର ସଦର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସକ୍ରିୟ ରାଜନୀତିରେ ରହିବେ ନାହିଁ ବୋଲି କହୁଥିଲେ। ତାଙ୍କ ବଦଳରେ ସାନପୁଅ ସମରେନ୍ଦ୍ରଙ୍କୁ ସେ ପ୍ରୋଜେକ୍ଟ କରି ଆସୁଥିଲେ। କିନ୍ତୁ କଂଗ୍ରେସ ପକ୍ଷରୁ ନିର୍ବାଚିତ ବିଧାୟକଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇଥିବାରୁ ସମରେନ୍ଦ୍ର ନୁହଁ, ବାପା ନରସିଂହ ପୁଣି ଏଠାରେ ପ୍ରାର୍ଥୀ ହେବେ ବୋଲି ଆଲୋଚନା ଚାଲିଛି। ଦଳ ଯଦି ଚାହେଁ ତା’ହେଲେ ସେ ନିର୍ବାଚନ ଲଢିବେ ବୋଲି ପ୍ରତିକ୍ରିୟାରେ କହି ସାରିଛନ୍ତି ବିଧାୟକ ଶ୍ରୀ ମିଶ୍ର। ଅନ୍ୟପଟ ସାନପୁଅ ଅର୍କେଶ ନାରାୟଣଙ୍କ ରାଜନୈତିକ କ୍ୟାରିଅର ସଜାଡିବାରେ ଲାଗିଛନ୍ତି ବାପା ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ। ସେ ବି ସକ୍ରିୟ ରାଜନୀତିରେ ରହିବେ ନାହିଁ ବୋଲି ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧିତ ଖବର