ଦେଓଗାଁ: ଦେଓଗାଁ ଥାନ୍ତା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡି ଅଧୀନସ୍ଥ ବନ୍ଧପଡ଼ା-ଦେଓଗାଁ ରାସ୍ତା ଉପରେ ଥିବା ବନ୍ଧପଡ଼ା ଢ଼ାବାରୁ କିଛି ଦୂରରେ ଥିବା ଏକ ମହୁଲ ଗଛରେ ଏକ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ମୃତଦେହଟି ଜଣେ ଅଚିହ୍ନା ଯୁବକର ହୋଇଥିବା ବେଳେ ଏହି ମୃତଦେହ ଦୁଇ ତିନି ଦିନର ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

Advertisment

ମୃତଦେହ ଝୁଲୁଥିବା ସ୍ଥାନରେ ଗୋଟିଏ ଚିରା ସାର୍ଟ ପଡ଼ିଥିବା ବେଳେ ଏକ ଲାଲ କପଡ଼ାରେ ବାନ୍ଧି ମୃତଦେହକୁ ଝୁଲାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏପରିକି ଶବର କିଛି ସ୍ଥାନରେ ରକ୍ତ ଛିଟା ଲାଗିଥିବାରୁ କିଏ ମାଡ଼ ମାରି ହତ୍ୟା କଲା ପରେ ଏହାକୁ ଆଣି ଟାଙ୍ଗି ଦେଇଥିବ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ଏପରି କି ବନ୍ଧପଡ଼ା ଢାବା ନିକଟରୁ ଏକ ବାଇକକୁ ପୁଲିସ ଉଦ୍ଧାର କରିଛି। ଏହି ବାଇକଟି କାହାର ତାକୁ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ମୃତଦେହ ଝୁଲୁଥିବା ସ୍ଥାନକୁ ପହଞ୍ଚି ଛାନଭିନ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଜଣାପଡ଼ିବ ଆତ୍ମହତ୍ୟା କି ହତ୍ୟା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।