ବଲାଙ୍ଗୀର : ମଦ ପିଇବାବେଳେ ଯୁକ୍ତିତର୍କ, ଗୁଳିମାଡ଼ରେ ଜଣେ ଗୁରୁତର

ବଲାଙ୍ଗୀର/ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବେଲଗାଁ ବିଦେଶୀ ମଦ ଦୋକାନ ସମ୍ମୁଖରେ ଗୁଳି ଫୁଟିଛି। ତିନିଜଣ ଯୁବକ ହଠାତ୍‌ ବଲାଙ୍ଗୀର ଗାନ୍ଧୀନଗରପଡ଼ାର ମମିଲ ମହାଲିଙ୍ଗ(୩୪ବର୍ଷ)ଙ୍କୁ ଗୁଳିକରି ଫେରାର୍‌ ହୋଇଯାଇଥିଲେ। ଏଥିରେ ମମିଲ ଗୁରୁତର ଆହତ ହୋଇଛନ୍ତି। ସଇନ୍ତଳା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ପ୍ରାୟ ୩ଟା ସମୟରେ ମମିଲ ବିଦେଶୀ ମଦ ଦୋକାନ ନିକଟରେ ବସିଥିଲେ। ଏହି ସମୟରେ ତିନିଜଣ ଯୁବକ ମଦ ପିଇବାକୁ ଆସି ନିଜ ନିଜ ଭିତରେ ଯୁକ୍ତିତର୍କ କରୁଥିଲେ। ମମିଲ ସେମାନଙ୍କୁ ବାରଣ କରିବାରୁ ଜଣେ ପିସ୍ତଲ କାଢ଼ି ମମିଲଙ୍କୁ ଫାୟାରିଂ କରିଥିଲା। ମମିଲଙ୍କ ବାମ ହାତ ପାପୁଲିରେ ଗୁଳି ବାଜି ବାହାରକୁ ଚାଲିଯାଇଥିଲା। ଏହି ଘଟଣା ପରେ ଯୁବକମାନେ ଫେରାର୍‌ ହୋଇଯାଇଥିଲେ। ମମିଲ ରକ୍ତକ୍ତା ଅବସ୍ଥାରେ ସଇନ୍ତଳା ଥାନାକୁ ଯାଇ ଅଭିଯୋଗ କରିଥିଲେ। ସଇନ୍ତଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ଅଣାଯାଇଥିଲା। ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର