ସଇଁତଳା: କଳାକାରଙ୍କ କଳିରେ ବଳି ପଡ଼ୁଛି ଯାତ୍ରା। ଏମିତି  ପ୍ରଥମେ ପାଟଣାଗଡ଼ ନୁନହାଣ୍ଡିରେ ଯାତ୍ରାକୁ ବିରୋଧ କରି କୋଶଳ ସେନା ବନ୍ଦ କରିଥିବା ବେଳେ ପରେ ବିଭିନ୍ନ ସ୍ଥାନରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବନ୍ଦ କରାଯାଇଥିଲା। ଏହିକ୍ରମରେ ଗତକାଲି ରାତ୍ରିରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ତିଣ୍ଡାପାଲି ଗ୍ରାମରେ ସାବିତ୍ରୀ ଅପେରା ପଡ଼ିଥିବା ବେଳେ ଏହି ଅପେରା ଚାରି ଦିନ ପାଇଁ ଯାତ୍ରା କରିବାର ଥିଲା। କିନ୍ତୁ କୋଶଳ ସେନାର କର୍ମକର୍ତ୍ତାମାନେ ପ୍ରଥମ ଦିନରେ ହିଁ ଯାତ୍ରା ଚାଲୁଥିବା ସମୟରେ ପହଞ୍ଚି ଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଥିଲେ।

Advertisment

କଳାକାରଙ୍କ କଳିରେ ଯାତ୍ରା ଜଗତ ପ୍ରଭାବିତ ହୋଇଥିବା ବେଳେ ଯାତ୍ରାପାର୍ଟିମାନେ କ୍ଷତି ସହୁଥିବା କୁହାଯାଉଛି।

କିଛି ଦିନ ହେଲା ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା ଭିତରେ ଆଞ୍ଚଳିକ ବାଦ ଦେଖାଦେଇଥିବା ବେଳେ ପୂର୍ବ ଓଡ଼ିଆ ଅପେରା ପାର୍ଟିକୁ ବିରୋଧ କରୁଛି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, କୋଶଳ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା। ଗତ ରାତିରେ କୋଶଳ ମୁକ୍ତି ମୋର୍ଚ୍ଚାର ସଂପାଦକ ବୁଲୁ ବଗର୍ତ୍ତିଙ୍କ ନେତୃତ୍ୱରେ ସଇଁତଳା ବ୍ଲକ ଡୁଙ୍ଗୁରି ପାଲି ପଞ୍ଚାୟତର ତେଣ୍ଡିପାଲି ଗାଁରେ ଅପେରା ଚାଲୁଥିବା ବେଳେ ହଠାତ ଅପେରା ପେଣ୍ଡାଲକୁ "ଜୟ କୋଶଳ".... "ଜୟ ମା ସମଲେଶ୍ଵରୀ" ନାରା ସହ ମାଡ଼ି ବସିଥିଲେ କୋଶଳ ସଂଗ୍ରାମୀ। ଚାଲୁଥିବା ଅପେରା ମଧ୍ୟ ବନ୍ଦ ହୋଇଯାଇଥିଲା ଗୋଟାଏ ଘଣ୍ଟା ପାଇଁ। ତେବେ ଅପେରା ପେଣ୍ଡାଲରେ କୋଶଳ ସଂଗ୍ରାମୀମାନେ କାହିକି କୋଶଳ ରାଜ୍ୟ ଦରକାର ସେ ନେଇ ଉପସ୍ଥିତ ସଧାରଣ ଲୋକଙ୍କୁ ବୁଝାଇଥିଲେ। ପରେ ସ୍ଥାନୀୟ ସରପଞ୍ଚ ଗଜପତି ସାହୁ ଓ କୋଶଳ ସଂଗ୍ରାମୀମାନଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। କିଛି ସମୟ ପରେ ବାଧ୍ୟ ହୋଇ ଗଜପତି ସାହୁ ମଧ୍ୟ ପେଣ୍ଡାଲରେ "ଜୟ କୋଶଳ"ର ନାରା ଦେବା ପାଇଁ ବାଧ୍ୟ ହୋଇଥିଲେ। ତେବେ ସଇଁତଳାର ଯେ କୌଣସି ସ୍ଥାନରେ ଅପେରା କରାଗଲେ ଆମେ  ତାକୁ ବିରୋଧ କରିବୁ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।