ବିକ୍ରି ପାଇଁ ମୁଲଚାଲ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ୨ ଅଭିଯୁକ୍ତ ଗିରଫ, ଜଣେ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବିକ୍ରି ପାଇଁ ମୁଲଚାଲ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ପାଟଣାଗଡ଼ ସବଜିଭିଜନର ମହାରପଦର-ବନମାଳ ରାସ୍ତାକଡ଼ ପଡ଼ିଆରେ ଦୁଇଜଣ ବଜ୍ରକାପ୍ତା ବେପାରୀ ମୁଲଚାଲ କରୁଥିବା ବେଳେ ବନବିଭାଗ କର୍ମଚାରୀ ଉଭୟଙ୍କୁ ଧରିଥିଲା। ଘଟଣାସ୍ଥଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ଲାଠୋର ବନ କର୍ମଚାରୀମାନେ ଗ୍ରାହକ ସାଜି ବାହାରିଥିଲେ।
ଖପ୍ରାଖୋଲ ବ୍ଲକ ମହାପଦର ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ହେବାକୁ ଥିବା ସୂଚନା ପାଇ ଗତକାଲି ରାତିରେ ଲାଠୋର ରେଞ୍ଜର ପ୍ରଭାତୀ ସେଠ କର୍ମଚାରୀମାନଙ୍କୁ ନେଇ ବାହାରିଥିଲେ। ଯୋଜନା ମୁତାବକ ସେ ଚୋରା ଚାଲାଣକାରୀମାନଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ କରିଥିଲେ। ସେ ଖପ୍ରାଖୋଲ ବ୍ଲକ ବନମାଲ ଓ ମହାପଦର ଗ୍ରାମରେ ଥିବା ଏକ ପଡ଼ିଆଠାରେ ପହଞ୍ଚିଥିଲେ।

ସେଠାରୁ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡ଼ିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ମହାପଦର ଗ୍ରାମର ଶୁଶୁଲ ଧରୁଆ ଏବଂ ସର୍ଗିପାଲି ଗ୍ରାମର ଭୋଜରାଜ ଧରୁଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେହିପରି ଏଥିରେ ଆଉ ଜଣେ ସଂଶ୍ଳିଷ୍ଟ  ଜଣାପଡ଼ିଥିବା ବେଳେ ବର୍ତ୍ତମାନ ତାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର