ପାଟଣାଗଡ଼ ପାର୍ସଲ ବୋମା ମାମଲା:ମାସେ ପରେ ହାତ ମାରିବ କ୍ରାଇମବ୍ରାଞ୍ଚ

ପ୍ରେମ ପ୍ରସଙ୍ଗକୁ ନେଇ ଲାଗି ରହିଛି ଚର୍ଚ୍ଚା

ବଲାଙ୍ଗୀର: ଠିକ ମାସେ ତଳେ ପାଟଣାଗଡ଼ ବ୍ରହ୍ମପୁରାସ୍ଥିତ ଅଧ୍ୟାପକ ରବିନ୍ଦ୍ର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ ହେଲା। ପୁଅ ସୌମ୍ୟଶେଖର ଓ ଜେଜେ ମା’ ଜେମାମଣିଙ୍କର ମୃତ୍ୟୁ ହେଲା। ନବ ବିବାହିତା ରୀମା ଗୁରୁତର ହୋଇ ବୁର୍ଲାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ। ବିବାହର ମାତ୍ର ୪ ଦିନ ପରେ ସାହୁ ପରିବାରରେ ବିସ୍ଫୋରଣ ଭଳି ଅଘଟଣ ଘଟିଥିବା ବେଳେ ପାର୍ସଲ ବୋମାରୁ ବିସ୍ଫୋରଣ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ତେବେ ପ୍ରେମ, ପୂର୍ବ ଶତ୍ରୁତା ଏଭଳି ବିଭିନ୍ନ ଦିଗକୁ ନେଇ ଛାନବିନ ଚାଲିଲା। ମାସେ କାଳ ମାମଲା ପଛରେ ଧାଁ ଦୌଡ଼ କଲା ପୁଲିସ। ତେବେ ମୃତ ସୌମ୍ୟଶେଖରଙ୍କ ବାପା ଅନୁରୋଧ କରି କହିଥିଲେ ମୃତ ପୁଅ ନାଁରେ ଅଯଥା ଚର୍ଚ୍ଚା ନକରିବା ପାଇଁ। ପ୍ରେମ ମାମଲାରେ ମୋ ପୁଅ କେବେ ନଥିଲା ବୋଲି ପ୍ରଥମରୁ ଶୁଣାଇ ଦେଲେ ଶ୍ରୀ ସାହୁ। ସେହିପରି ବନ୍ଧୁମାନେ ମଧ୍ୟ ପ୍ରେମ ପ୍ରସଙ୍ଗରେ ଖାସ୍‌ କିଛି କହିପାରିଲେ ନାହିଁ। କଟକରେ ଚିକିତ୍ସାଧୀନ ରୀମା ବି କହିଛନ୍ତି ସୌମ୍ୟ ବହୁତ ଭଲ। ପୂର୍ବରୁ ତାଙ୍କର ସେମିତି କିଛି ଖରାପ ଅଭ୍ୟାସ ନଥିଲା। ସମସ୍ତେ ସୌମ୍ୟଙ୍କୁ ଭଲ କହୁଛନ୍ତି କିନ୍ତୁ ପୁଲିସକୁ ଏକଥା ସେତେ ସହଜ ଲାଗୁନି। ମାସେ ହେଲା ପୁଲିସ ଛୋଟରୁ ଛୋଟ ସୂଚନାକୁ ବି ଖୋଳତାଡ଼ କରିଛି। ଯିଏ ଯାହା କହିଛି ସେଥିରୁ କିଛି ବାହାରିବ କି ବୋଲି ପୁଲିସ ଚେଷ୍ଟା କରିଥିଲେ ବି ସବୁ ଗଣ୍ଡଗୋଳିଆ ହେଇଯାଇଛି।
ଭିନ୍ନ ସଂପ୍ରଦାୟର ଜଣେ ଯୁବତୀଙ୍କ ସହ ବାଙ୍ଗାଲୁରୁରେ ପ୍ରେମ। ରାୟପୁରରେ ସେହି ଯୁବତୀଙ୍କ ମାଉସୀ ଘର। ବାଙ୍ଗାଲୁରୁ ପରେ ରାୟପୁରରେ ରହଣି ସମୟରେ ବି ମୃତ ସୌମ୍ୟ ଓ ଚର୍ଚ୍ଚାରେ ଥିବା ଯୁବତୀଙ୍କ ସଂପର୍କ। ଯାହାକୁ ମୃତକଙ୍କ ପରିବାର ଲୋକେ ବିରୋଧ କରି ଆସୁଥିଲେ। ଭିନ୍ନ ସଂପ୍ରଦାୟରେ ବିବାହ ହେଲେ ସମାଜ ଗ୍ରହଣ କରିବ ନାହିଁ ବୋଲି ବୁଝାଇବା ସହ ଯୁବତୀଙ୍କୁ ନିରାଶ କରି ଫେରାଇ ଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବା ସହ ଅର୍ଥ କାରବାର କରି ମାମଲାର ଫଇସଲା କରାଯାଇଥିବା କଥା ବି ଆଲୋଚନା ହେଉଛି। ସେଇଠୁ ହିଁ ପ୍ରତିଶୋଧର ନିଆଁ। ଆଉ ଏପଟେ ରାୟପୁରରୁ ହିଁ ପାର୍ସଲ ବୋମା ବୁକ୍‌ କରାଯାଇଛି।

ତେଣୁ ଏହାକୁ ନେଇ ଅଧିକ ସନ୍ଦେହ ଦୃଢ଼ ହେଉଛି। ପାଟଣାଗଡ଼ର ଜଣେ ଏଡ଼ଭୋକେଟ ଏହି ମାମଲାର ମଧ୍ୟସ୍ଥି ବୋଲି ବି କଥା ଉଡୁଛି। ତେବେ ପୁଅର ମୃତ୍ୟୁ ପରେ ଏଭଳି ଆଲୋଚନା, ଚର୍ଚ୍ଚା ଓ ଅପପ୍ରଚାର ନକରିବାକୁ ବାରମ୍ବାର କହି ଆସୁଛନ୍ତି ମୃତ ସୌମ୍ୟଶେଖରଙ୍କ ବାପା ଅଧ୍ୟାପକ ଶ୍ରୀ ସାହୁ। ତେବେ ପୁଲିସ କଲ୍‌ ଡିଟେଲ୍‌ ଯାଞ୍ଚ, ସାଇବର୍‌ ବୈଷୟିକଙ୍କୁ ଡକାଇ ମାମଲାର ତନ୍ନ ତନ୍ନ କରି ଖୋଳତାଡ଼ କରୁଛି। କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ମାମଲାରେ ସହାୟତା କରୁଥିବା ଏସ୍‌ପି କେ.ସିଭା ସୁବ୍ରମଣି କହୁଥିବା ବେଳେ ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ମାସ ୧୮ ତାରିଖରେ ବୌଦ୍ଧ ଜିଲ୍ଲା କଣ୍ଟାମାଳର ସୁଦାମ ସାହୁଙ୍କ ଝିଅ ରୀମାଙ୍କୁ ଇଂଜିନିୟର ସୌମ୍ୟଶେଖର ବିବାହ କରିଥିଲେ। ୨୦ ତାରିଖରେ ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା। ୨୩ ତାରିଖ ଦିନ ବାପା ଶ୍ରୀ ସାହୁ ଝିଅକୁ ଦିଲ୍ଲୀ ବିମାନବନ୍ଦରକୁ ଛାଡ଼ିବାକୁ ଯାଇଥିଲେ। ମା’ ସଂଯୁକ୍ତା ଭଇଁଷା କଲେଜକୁ ଯାଇଥିଲେ। ଘରେ ଥିଲେ ସୌମ୍ୟ, ରୀମା ଓ ଜେଜେ ମା ଜେମାମଣି। କୋରିଅର୍‌ ବଏ ପାର୍ସଲ ଆଣି ଦେଇଥିଲା ଦିନ ସାଢ଼େ ୧୨ଟା ବେଳେ। ଆଉ ଦିନ ଗୋଟାଏ ବେଳେ ପାର୍ସଲ ଖୋଲିବା ପରେ ଭୟଙ୍କର ବିସ୍ଫୋରଣ ହେଇଥିଲା ସୌମ୍ୟ ଓ ଜେମାମଣିଙ୍କ ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର