ପାଟଣାଗଡ଼: ପାଟଣାଗଡ଼ରେ ସର୍ବପୁରାତନ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଇ ଆସୁଛନ୍ତି ମାଁ ପାଟଣେଶ୍ବରୀ। ଏହାକୁ କୁଆଁରୀ ପାଟଣା ବି କୁହାଯାଏ। ଏହା ଏକ ତନ୍ତ୍ରପୀଠ ଭାବେ ସମଗ୍ର ଦେଶରେ ବେଶ ପରିଚିତ। ତେଣୁ ତନ୍ତ୍ର ସାଧନ କରୁଥିବା ସାଧକମାନେ ମାଁ ପାଟଣେଶ୍ବରୀଙ୍କଠାରେ ଯନ୍ତ୍ରତନ୍ତ୍ର ଓ ମନ୍ତ୍ର ଦ୍ବାରା ସିଦ୍ଧି ଲାଭ କରି ନିଜର ପାରଙ୍ଗମ ହାସଲ କରିଥାନ୍ତି। ମାଁ ପାଟଣେଶ୍ବରୀଙ୍କ ଆଶିର୍ବାଦରେ ସାଧକ ଓ ସାଧାରଣ ଲୋକେ ବେଶ ସୁରକ୍ଷିତ ଭାବେ ରହି ଆସୁଛନ୍ତି ବୋଲି ଅଞ୍ଚଳବାସୀ ବିଶ୍ବାସ କରନ୍ତି।
ଖ୍ରାଷ୍ଟପୂର୍ବ ୫୪ ରୁ ୩୬ ମଧ୍ୟରେ ରାଜା ମାଧବ ଚନ୍ଦ୍ର ଦେବ କୋଶଲଗଡ(କୁଆଁରୀ ପାଟଣା)ର ରାଜା ଭାବେ ଏଠାରେ ଶାସନ କରୁଥିଲେ। ଜଙ୍ଗଲ ପରିବେଷ୍ଟିତ ଏହି ରାଜ୍ୟରେ ବହୁ ମାତ୍ରାରେ ହିଂସ୍ର ଜନ୍ତୁ ରହୁଥିବାରୁ ରାଜ୍ୟରେ ସେମାନଙ୍କ କୋପ ଦୃଷ୍ଟି ପଡୁଥିଲା। ଥରେ ଏକ ଗଣ୍ଡା (ହିଂସ୍ର ଜନ୍ତୁ) ବହୁ ଉବଦ୍ରବ କରୁଥିଲା। ସେ ଗାଈଗୋରୁ ଆଦି ସହ ମଣିଷଙ୍କୁ ମଧ୍ୟ ଖାଇ ଯାଉଥିଲା। ଏଥିରେ ରାଜା ବିବ୍ରତ ହୋଇ ଗଣ୍ଡାର ଅନୁସନ୍ଧାନରେ ବାହାରିଲେ। ଜଙ୍ଗଲରେ ଗଣ୍ଡାକୁ ଖୋଜି ଖୋଜି ସେ ଯାଇ ବୁଠି କୁଢେର ଜଙ୍ଗଲରେ ପହଞ୍ଚିଥିଲେ। ସେହି ଜଙ୍ଗଲରେ କ୍ଲାନ୍ତ ଅନୁଭବ କରି ସେଠାରେ ଏକ ବିଶାଳ ଗଛ ମୂଳେ ବିଶ୍ରାମ ନେଇଥିଲେ। ଏହି ସମୟରେ ରାଜା ମାଧବ ଚନ୍ଦ୍ର ଦେବଙ୍କୁ ମାଁ ବନଦୁର୍ଗା ଦେଖା ଦେଇଥିଲେ। ମାଁ ବନଦୁର୍ଗାଙ୍କୁ ଦେଖି ରାଜା ତାଙ୍କୁ ନିଜ ଗଡର ଇଷ୍ଟଦେବୀ ଭାବେ ଅଧିଷ୍ଠିତ କରିବା ପାଇଁ ଅନୁରୋଧ କରିଥିଲେ। ମାଁ ବନଦୁର୍ଗା ବନ ବା ଜଙ୍ଗଲର ଦେବୀ ସେ ନଗରକୁ ଯିବା ପାଇଁ ଇଚ୍ଛା କରି ନ ଥିଲେ। ହେଲେ ରାଜାଙ୍କ ପ୍ରାର୍ଥନା ଓ ଅନୁରୋଧ କୁ ରକ୍ଷା କରି ମାଁ ବନଦୁର୍ଗା ଏକ ସର୍ତ୍ତ କରିଥିଲେ। ସେ ବନରେ ରହିବା ସହ ରାଜାଙ୍କ ଗଡର ଅଧିଷ୍ଠାତ୍ରୀ ଦେବୀ ହେବା ପାଇଁ ରାଜି ହୋଇଥିଲେ। ମାଁ ବନଦୁର୍ଗା ରାଜାଙ୍କୁ କହିଲେ ଯେ ଏହି ବୁଠି କୁଢେର ଜଙ୍ଗଲରେ ଏକ ନିରୋଳା ସ୍ଥାନରେ ୩ ଗୋଟି ସାହାଡା ବୃକ୍ଷ ରହିଛି। ଯାହା ପୂର୍ବରୁ ପଶ୍ଚିମକୁ ରହିଛି। ତାହା ହିଁ ମୋର ବାସସ୍ଥାନ। ଯଦି ତୁ ଚାହୁଁଛୁ ମୁଁ ତୋ ନଗରକୁ ଯିବି, ତା ହେଲେ ବର୍ଷକୁ ଥରେ ବରୁଆ ଦେହରେ ପ୍ରବେଶ କରି ଆଶ୍ବିନ ମାସରେ ଲୋକଙ୍କ ପାଖକୁ ଯାଇ ଦର୍ଶନ ଦେବି। ସେ ହିସାବରେ ଆଶ୍ବିନ ମାସ ପ୍ରତିପଦା ତିଥିରେ ମାଁ ବନଦୁର୍ଗାଙ୍କୁ ଜଙ୍ଗଲରୁ ନିମନ୍ତ୍ରଣ କରି ନବମୀ ତିଥିରେ ମାଁ ବରୁଆ ଦେହରେ ପ୍ରବେଶ କରି ରାଜ୍ୟବାସୀଙ୍କ ଦୁଃଖ ଦୂର କରିବା ସହ ଦର୍ଶନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ।
ତେବେ ପ୍ରତିପଦା ଦିନ ରାତିରେ ମାଁ ବନଦୁର୍ଗାଙ୍କୁ ପୂଜା କରାଯାଇ ବରୁଆକୁ ଯନ୍ତ୍ରରେ ବସାଇ ମାଁଙ୍କ ପ୍ରବେଶ କରାଇ ମନ୍ଦିରକୁ ଅଣା ଯାଇଥାଏ। ଏହାକୁ ଝାର୍ ବଏଲ୍ ବୋଲି କୁହାଯାଏ। ନବମୀ ତିଥି ରାତିରେ ମାଁ ପାଟଣେଶ୍ବରୀ ମନ୍ଦିରରେ ବରୁଆକୁ ପୁଣି ଯନ୍ତ୍ରରେ ବସାଇ ମାଁଙ୍କୁ ପ୍ରବେଶ କରାଇ ବଏଲ୍ ଯାତ୍ରାରେ ବାହାରି ନଗରବାସୀଙ୍କ ଦର୍ଶନ ଦେବା ସହ ନଗର ପରିକ୍ରମା କରିଥାନ୍ତି।
ପାଟଣାଗଡ଼ ସହରର ଗଡଭିତରେ ମନ୍ଦିର ରହିଛି ମାଁଙ୍କ ପ୍ରତିମୂର୍ତ୍ତି। ମାଁ ଦକ୍ଷିଣମୁହାଁ ହୋଇ ରହିଛନ୍ତି। ତାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମାଁ ଙ୍କ ଛତର, ଖଣ୍ଡା ଆଦି ମଧ୍ୟ ପୂଜା କରାଯାଇଥାଏ।
ଅନ୍ୟ ଏକ ତଥ୍ୟ ବା ଇତିହାସରୁ ଜଣାପଡେ ଯେ, ଖ୍ରୀଷ୍ଟପୂର୍ବ ୭୧ ବେଳକୁ ପାଟଣାଗଡ଼କୁ ପତ୍ତନଗଡ ଓ ଅଧିଷ୍ଠାତ୍ରୀ ଦେବୀଙ୍କୁ ମାଁ ପତ୍ତନେଶ୍ବରୀ ଭାବେ ମଧ୍ୟ କୁହା ଯାଉଥିଲାା ସେ ସମୟରେ ଏଠାରେ ଏକ କଣ୍ଡରା ରାଜା “ମଧୁ” ଶାସନ କରୁଥିଲେ। ସେ ଦକ୍ଷିଣରୁ ଏକ ଜଣେ ସାଧକ ଧନ୍ବନ୍ତରୀକୁ ଆଣି ସାଧନାକୁ ବ୍ୟାପକ କରୁଥିଲେ। ତାଙ୍କ ଆରାଧ୍ୟା ଦେବୀ “କାମଚଣ୍ଡୀ” ଥିଲେ। ତାଙ୍କ ସ୍ତ୍ରୀ ରାଣୀ ପଦ୍ମବତୀ ବହୁତ ବଡ ସାଧିକା ଥିଲେ। ରାଣୀ ପଦ୍ମବତୀ ମାଁ ବନଦୁର୍ଗାଙ୍କୁ କୁଆଁରୀ କାମଚଣ୍ଡୀଙ୍କୁ ସାଧନା କରି ସିଦ୍ଧି ଲାଭ କରି ଅଦ୍ଦ୍ଭୂତ ଶକ୍ତି ହାସଲ କରିଥିଲେ। ସେ ସମୟରେ ଏଠାରେ ୭ ଜଣ କୁଆଁରୀ କନ୍ୟା ଧନ୍ବନ୍ତରୀକୁ ଗୁରୁ କରି ମାଁ କାମଚଣ୍ଡୀକୁ ସାଧନା କରି ସିଦ୍ଧି ଲାଭ କରିଥିଲେ। ସେମାନଙ୍କ ତନ୍ତର ବିଦ୍ୟ ଓ ଯାଦୁ ବିଦ୍ୟା ଚରମ ସୀମାରେ ରହିଥିଲା। ଫଳରେ ସେମାନେ ସମଗ୍ର ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ସମୟରେ ପାଟଣା ସହ କୁଆଁରୀ ମିଶାଇ କୁଆଁରୀ ପାଟଣା ବୋଲି ମଧ୍ୟ କୁହା ଯାଉଥିଲାା
ପର୍ଯ୍ୟାୟ କ୍ରମେ ଚୌହାନ ବଂଶର ରାଜା ରମାଇଁ ଦେଓ ପାଟଣାଗଡ଼ରେ ଶାସନ କରୁଥିଲେ। ରାମାଇଁ ଦେଓ ଅଷ୍ଟ ମଲ୍ଲିକକୁ ବଧ କରି ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଗଡଭିତର ସ୍ଥିତ ମାଁ ପାଟଣେଶ୍ବରୀ ମନ୍ଦିର ନିକଟବର୍ତ୍ତି ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋତି ଦେଇଥିଲେ। ଅଷ୍ଟ ମଲ୍ଲିକଙ୍କ ଅତୃପ୍ତ ଆତ୍ମା ମଝି ମଝିରେ ଅଶାନ୍ତ ହୋଇ ଉଠୁଥିଲା। ଫଳରେ ମାଁ ପାଟଣେଶ୍ବରୀ ନବମୀ ତିଥିରେ ବଏଲ ଯାତ୍ରାରେ ବାହାରି ହାତରେ ଖଣ୍ଡା ଧରି ବିଭିନ୍ନ ଅଂଶ ପୋତା ଯାଇଥିବା ସ୍ଥାନକୁ ଖଣ୍ଡାରେ ପ୍ରହାର କରିବା ପରମ୍ପରା ରହିଛି। ଯାହାକୁ ଖପର ଚୁପା ବୋଲି କୁହା ଯାଇଥାଏ।
ଆଶ୍ବିନ ମାସ ମୂଳାଷ୍ଟମୀ ଦିନ ବିଳମ୍ବିତ ରାତିରେ ଖଣ୍ଡଧୂଆ ହୋଇଥାଏ। ଖଣ୍ଡା ଧୁଆ ହୋଇ, ଖଣ୍ଡ ବସା ଯାଇ ପୂଜା କରାଯାଇ ମାଁଙ୍କ ଠାରେ ଷୋଡଶ ଉପଚାର ପୂଜା କରା ଯାଇଥାଏ। ଆଶ୍ବିନ ମାସ ଶୁକ୍ଳପକ୍ଷ ପ୍ରତିପଦା ଦିନ ରାତିରେ ବରୁଆ ଦେହରେ ସିନ୍ଦୂର ଚନ୍ଦନ ଲେପ କରାଯାଇ ଝାର୍ ବା ଜଙ୍ଗଲକୁ ନିଆ ଯାଇଥାଏ। ସେଠାରେ ଯନ୍ତ୍ର ଉପରେ ବସାଯାଇ ଦେବୀଙ୍କୁ ବରୁଆ ଦେହରେ ପ୍ରବେଶ କରାଇ ମନ୍ଦିରକୁ ଅଣା ଯାଇଥାଏ।