ପାଟଣାଗଡ଼ ହତ୍ୟା ମାମଲା, ଗଣହତ୍ୟାର ଗ୍ୟାଙ୍ଗଲିଡର୍‌ ଗଙ୍ଗୁୱା !ପତିଆରା ପାଇଁ ହେଉଥିଲା ଗଣ୍ତଗୋଳ

ଅଟକଙ୍କୁ ଜେରା କରୁଛି ପୁଲିସ , ମୋପେଡ ଓ ସ୍କୁଟିରେ ଫେରାର ମାରିଥିଲେ ହତ୍ୟାକାରୀ

ବଲାଙ୍ଗୀର/ପାଟଣାଗଡ଼ : ବଲାଭ୍ଗୀର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ା ଗଣହତ୍ୟା ମାମଲାର ଗ୍ୟାଙ୍ଗଲିଡର ପଛରେ ଏବେ ବଲାଙ୍ଗୀର ପୁଲିସ। ଗ୍ୟାଙ୍ଗ ଲିଡର ଆଉ କେହି ନୁହଁ, ମୃତ ବୁଲୁ ଜାନୀଙ୍କ ପାଖପଡ଼ୋଶୀ ଗଙ୍ଗୁୱା ମାଝୀ। ବଲାଙ୍ଗୀର ପୁଲିସ ଏବେ ଗଙ୍ଗୁୱା ଓ ତା ପୁଅଙ୍କୁ ଖୋଜୁଛି। ଆଉ ହତ୍ୟା ମାମଲାରେ ଗଙ୍ଗୁୱାଙ୍କ ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ଆଣି ମାରାଥନ ଜେରା ଚଳାଇଛି। ହତ୍ୟାକାରୀମାନେ ଘଟଣା ଦିନ ୬ ଜଣଙ୍କୁ ହତ୍ୟା କରିବା ପରେ ମୋପେଡ, ସ୍କୁଟି ଗାଡ଼ିରେ ଫେରାର ମାରିଥିବା ପୁଲିସ ସୂଚନା ପାଇଛି। ହତ୍ୟାକାଣ୍ତରେ ବ୍ୟବହୃତ ତିନିରୁ ୪ଟି ବାଇକକୁ ପୁଲିସ ଜବତ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ପାଖାପାଖି ସପ୍ତାହେ ହେଲାଣି ଗଣହତ୍ୟା ମାମଲାର ତଦନ୍ତ କରୁଛି ପୁଲିସ। ଜଣ ଜଣଙ୍କୁ ଉଠାଇ ଆଣି ଜେରା କରାଯାଉଛି। ବର୍ତ୍ତମାନ ଯାଏ ଆଠରୁ ନଅ ଜଣଙ୍କୁ ପୁଲିସ ଅଟକ ରଖି ତନାଘନା କରୁଛି। ହତ୍ୟାକାଣ୍ତ ପଛର କାହାଣୀ ଏତେ ବଡ଼ କାରଣ ନୁହେଁ। ସଅଁରାପଡ଼ା ଭିତରେ ପତିଆରା ପାଇଁ ପଡ଼ୋଶୀ ସହିତ ବୁଲୁଙ୍କ ଗଣ୍ତଗୋଳ ହେଉଥିଲା। ଆଉ ସେହି ଗଣ୍ତଗୋଳ ହିଁ ପ୍ରତିଶୋଧର ରୂପ ନେଇଥିଲା। ରକ୍ତମୁଖା ହତ୍ୟାକାରୀ ଛୁଆମାନଙ୍କୁ ବି ଛାଡ଼ିନଥିଲେ। ସଅଁରାପଡା ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜଣାଯାଏ ଯେ, କିଛି ଦିନ ତଳେ ମୃତ ବୁଲୁ ଜାନୀ ଓ ଗଙ୍ଗୁୱା ମାଝୀଙ୍କ ଭିତରେ ଗଣ୍ତଗୋଳ ହୋଇଥିଲା। ଗଙ୍ଗୁୱାର ଅନୁପସ୍ଥିତିରେ ତାର ଘରର ତାଲା ଭାଙ୍ଗୁଥିଲେ ମୃତ ବୁଲୁ ଜାନୀ। ଆଉ ଏହି ସମୟରେ ଗଙ୍ଗୁୱାଙ୍କ ଜଣେ ପଡ଼ୋଶୀ ମନା କରିଥିଲେ। ପୂର୍ବରୁ ବି କିଛି ଗଣ୍ତଗୋଳ ହୋଇଥିଲା। ଆଉ ତାଲାଭଙ୍ଗା ଘଟଣା ପରେ ଗଙ୍ଗୁଆ ମାଝୀ ପରିବାର ଓ ମୃତ ବୁଲୁ ଜାନୀଙ୍କ ପରିବାର ଭିତରେ ଉଗ୍ରରୂପ ନେଇଥିଲା ଶତ୍ରୁତା। ମୃତ ବୁଲୁ ଜାନୀଙ୍କ ପୁଅଙ୍କ କହିବାନୁସାରେ, ସବୁ ହତ୍ୟାକାଣ୍ତ ପଛରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁଆ ମାଝୀ। ଗଙ୍ଗୁୱା ଓ ତାର ପୁଅ ମର୍ଡର ପ୍ଲାନ କରିଛନ୍ତି। ଗଙ୍ଗୁଆ ଓ ସଂପର୍କୀୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପାଖପଡ଼ୋଶୀ ଓ ମୃତ ବୁଲୁଙ୍କ ପୁଅମାନଙ୍କୁ ପଚରାଉଚରା କରି ସୁରାକ ପାଇଥିଲା ପୁଲିସ। ଏପଟେ ମାଝୀ ପରିବାର ଫେରାର ବି ରହିଥିଲେ। ଘଟଣା ଦିନ ଅର୍ଥାତ ଗତ ୧୧ ତାରିଖ ଶିବା ଓ ଭୋଲାଙ୍କୁ ଥାନାକୁ ଆଣି ଅଟକ ରଖି ପୁଲିସ ପଚରାଉଚୁରା କରିଥିଲା। ୧୨ ତାରିଖ ଦିନ ବାବଲୁ ଜାନୀ, ସୁରେଶ ଜାନୀଙ୍କୁ ପୁଲିସ ଉଠାଇଥିଲା। ୧୫ ତାରିଖ ପୁଲିସ ଟିମ ମୃତ ବୁଲୁଙ୍କ ପୁଅଙ୍କୁ ନେଇ ନବରଙ୍ଗପୁର ଯାଇଥିଲା। ଝରିଗାଁ ଥାନା ଅନ୍ତର୍ଗତ ଦେଉଲକୋଣା ଗାଁରୁ ୪ ଜଣ ମନୀଷ, ନରସିଂହ, ପୂର୍ଣ୍ଣ ତିନି ଭାଇ ଓ ଆଉ ଜଣଙ୍କୁ ପୁଲିସ ବଲାଙ୍ଗୀର ଆଣିଥିଲା। ମିଳିଥିବା ସୂଚନା ଅନୁସାରେ, ଏମାନେ ଫେରାର ମାରିବା ସମୟରେ ବ୍ୟବହାର କରିଥିବା ଦୁଇଟି ମୋପେଡ ଓ ଦୁଇଟି ସ୍କୁଟି ଗାଡ଼ିକୁ ପୁଲିସ ଜବତ କରିଛି। ଗଇଁତି, ଶାବଳ, ଲୁହାରଡ଼, ଟାଙ୍ଗିଆରେ ସମସ୍ତଙ୍କୁ ଏମାନେ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାଣ୍ତର ପ୍ରାୟ ସମସ୍ତ ଅଭିଯୁକ୍ତ ଧରାପଡ଼ି ସାରିଥିବା ବେଳେ ଗଙ୍ଗୁୱା ମାଝୀ ଓ ତାର ପୁଅ ଦେବରାଜ ମାଝୀ ଫେରାର ରହିଛନ୍ତି। ବଲାଙ୍ଗୀର ପୁଲିସର ସ୍ବତନ୍ତ୍ର ଟିମ ଏବେ ଗ୍ୟାଙ୍ଗଲିଡରକୁ ଧରିବାକୁ ଉଦ୍ୟମ ଚଳାଇଛି। ତଦନ୍ତ ଜାରି ରହିଥିବାରୁ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ଗଛ ତଳେ ରହି ନ୍ୟାୟ ମାଗୁଛନ୍ତି
ମୃତ ବୁଲୁ ଜାନୀଙ୍କ ପାଞ୍ଚ‌ ପୁଅ ଓ ସେମାନଙ୍କ ପରିବାର ଏବେ ନ୍ୟାୟ ମାଗୁଛନ୍ତି। ପାଟଣାଗଡ଼ରେ ଏବେ ମୃତ ବୁଲୁଙ୍କ ପା‌ଞ୍ଚ ପୁଅ ସରୋଜ, ଫିରୋଜ, ବିକାଶ, ଶ୍ରୀଲାଲ, ସମୀର ଓ ଅନ୍ୟ ପରିବାର ସଦସ୍ୟ ଅଛନ୍ତି। ସେମାନେ ନ୍ୟାୟ ନପାଇବା ଯାଏ ପାଟଣାଗଡ଼ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ବୁଲୁ ଯେଉଁଘରେ ରହୁଥିଲେ ସେମାନେ ସେଠାରେ ରହୁ ନାହାନ୍ତି।  ଦିନ ସାରା ଗଛ ମୂଳେ ଆଶ୍ରୟ ନେଇଥିବାବେଳେ ପୁଲିସର କହିବାନୁସାରେ ରାତିରେ ଧର୍ମଶାଳାରେ ରହୁଛନ୍ତି। ଧର୍ମଶାଳାରେ ଗୋଟିଏ ରାତି ରହିବାକୁ ପ୍ରତ୍ୟହ ଚାରିଶହ ଟଙ୍କା ଦେଉଛନ୍ତି। ଏପଟେ ସରକାରୀ ସହାୟତା ୧୮ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ୯ ହଜାର ଟଙ୍କା ଦିଆଯାଇଥିବା ବେଳେ ବାକି ୯ ହଜାର ଟଙ୍କା ପାଇଁ ଏନ୍‌ଏସି ଇଓଙ୍କ ପାଖକୁ ପରିବାର ଲୋକ ଯାଇ ଗୁହାରି କରୁଛନ୍ତି। ଖାଇବା ପିଇବା ବି ଠିକରେ ସେମାନେ ପାଉନଥିବା କହିଛନ୍ତି। ଚାଉଳକାର୍ଡ, ଆଧାରକାର୍ଡ ଥିଲେ ବି କୌଣସି ସହାୟତା ସେମାନଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି। ହତ୍ୟାକାରୀମାନେ ଧରାପଡ଼ନ୍ତୁ ଓ ତାଙ୍କୁ ଫାଶୀଦଣ୍ତ ଦିଆଯାଉ ବୋଲି ମୃତ ବୁଲୁଙ୍କ ପୁଅମାନେ ଦାବି କରିଛନ୍ତି।

ଗଙ୍ଗୱାର ପୁଲିସକୁ ଚ୍ୟାଲେଞ୍ଜ ଭରା ଚିଠିକୁ ନେଇ ଚର୍ଚ୍ଚା!
ପାଟଣାଗଡ଼ ସଅଁରାପଡ଼ା ସଂଲଗ୍ନ କୁସୁମତଲରେ ରହୁଥିବା ବୁଲୁ ଜାନୀଙ୍କ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତ କରି ବଲାଙ୍ଗୀର ପୁଲିସ ଝରିଗାଁ ବ୍ଲକ୍‌ ଦେଉଲକଣା ଗାଁରେ ପହଞ୍ଚିଥିଲା। ସେଠାରେ ତଦନ୍ତ କରୁଥିବା ବେଳେ ପୁଲିସ ସେଠାରୁ ଏକ ଚିଠି ପାଇଥିଲା। ଉକ୍ତ ଚିଠିରେ ‘ମୋତେ ତୁମ ଭଳିଆ ପୁଲିସ ଧରି ପାରିବ ନାହିଁ’ ବୋଲି ଲେଖାଥିବା ଓ ଏହି  ଚିଠିଟି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗଙ୍ଗଓ୍ବା ମାଝୀ ଲେଖି ସେଠାରେ ପକାଇ ପଳାଇ ଯାଇଥିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଗଙ୍ଗଓ୍ବାର ଏପରି ଚ୍ୟାଲେଞ୍ଜ ଭରା ଚିଠି ପୁଲିସ ହାତରେ ଲାଗିଥିବା ବେଳେ ଗଙ୍ଗଓ୍ବାକୁ ପୁଲିସ କେବେ ଧରିବ ସେ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର