ଛେଳି ଚୋରି ମହଙ୍ଗା ପଡ଼ିଲା : ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ

ବଲାଙ୍ଗୀର : ଛେଳି ଚୋରିକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଭାଲେର ଗାଁରେ ଉତ୍ତେଜନା ଦେଖା ଦେଇଛି।

ପୁଇଁତଳା ବ୍ଲକ ଫଟକରା ଗାଁର ରାଜୁ ନାଗଙ୍କ ସ୍ତ୍ରୀ ଛେଳି ଚରାଉଥିଲେ। ଦିନ ବେଳା ଦୁଇଟି ବାଇକ୍‌ରେ ୪ଜଣ ଯୁବକ ଆସିଥିଲେ। ଦୁଇଟି ଛେଳିକୁ ଉଠାଇ ନେଇ ଫେରାର୍‌ ହୋଇଯାଇଥିଲେ। ରାଜୁ ଭାଲେର ଗାଁ ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ଗାଁ ଲୋକେ ଛେଳି ଚୋରକୁ ଧରିବା ପାଇଁ ଅପେକ୍ଷା କରିଥିଲେ। ବାଇକ୍‌ ଓଆର ୩୧- ୨୫୩୯ରେ ଦୁଇଜଣ ଯୁବକ ଗୋଟିଏ ଛେଳି ନେଇ ଆସୁଥିବା ବେଳେ ସେମାନଙ୍କୁ ଅଟକାଇ ଥିଲେ। ତୁଷୁରା ଥାନା ନୂଆପଡ଼ା ଗାଁର ଅକ୍ଷୟ ମାଝୀ ଓ ସଇଁତଳା ଥାନା ବଡ଼ମୁଣ୍ଡା ଗାଁର ରାଜେନ୍ଦ୍ର ମିର୍ଦ୍ଧାଙ୍କୁ ଲୋକେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଚୋରି ଛେଳିକୁ ବି ସେମାନଙ୍କ ନିକଟରୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଆଉ ଗୋଟିଏ ଛେଳି ଚୋରି କରି ପଳାଇଥିବା ଦୁଇ ଯୁବକଙ୍କ ଖୋଜଖବର ମିଳି ନାହିଁ। ପୁଇଁତଳା ପୁଲିସ ଘଟଣା ସଂପର୍କରେ ସୂଚନା ପାଇ ଭାଲେରରେ ପହଞ୍ଚିବା ସହ ଦୁଇ ଯୁବକଙ୍କୁ ଥାନାକୁ ନେଇ ଆସିଛି। ଛେଳି ଚୋରି ସଂପର୍କରେ ରାଜୁ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରୁ ମଧ୍ୟ ଦୁଇଜଣ ଯୁବକ (ପୁଇଁତଳା ବ୍ଲକ ଅଞ୍ଚଳର) ବାଇକ୍‌ରେ ଯାଇ ଛେଳି ଚୋରି କରିଥିଲେ। ସେମାନେ ଦ୍ରୁତ ଗତିରେ ଫେରୁଥିବା ବେଳେ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ନଳକୂଅକୁ ଧକ୍କା ଦେଇଥିଲେ। ଜଣେ ଯୁବକଙ୍କର ଏହି ଛେଳି ଚୋରି ଘଟଣାକୁ ନେଇ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଆଜି ଫଟକରାରୁ ଛେଳି ଚୋରି କରି ଗୋଟିଏ ଗୋଷ୍ଠୀ ଧରାପଡ଼ିଥିବା ବେଳେ ଅନ୍ୟ ଗୋଷ୍ଠୀରେ ଥିବା ଦୁଇଜଣ କିଏ ତାହା ଜାଣିବାକୁ ଖୋଳତାଡ଼ ଚଳାଇଛି ପୁଇଁତଳା ପୁଲିସ।

ସମ୍ବନ୍ଧିତ ଖବର