ଟ୍ରକ୍‌କୁ ପିଟିଲା ପିକନିକ୍‌ ବସ୍‌, ୯ ଆହତ

ବଲାଙ୍ଗୀର: ବଲାଙ୍ଗୀର ସହରରେ ଗୁରୁବାର ଦୁଇଟି ଦୁର୍ଘଟଣା ଘଟିଛି। ସକାଳେ ଟିଟିଲାଗଡ଼ ରୋଡ୍‌ରେ ଓ ଅପରାହ୍ନରେ ସମ୍ବଲପୁର ରୋଡ୍‌ରେ ଘଟିଥିବା ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ବସ୍‌ ଦୁର୍ଘଟଣା ମାମଲାରେ ପୁଲିସ ଟ୍ରକ ଓ ବସ୍‌କୁ ଜବତ କରି ଥାନାରେ ରଖିଛି।
ସ୍ଥାନୀୟ ଆୟୁର୍ବେଦିକ କଲେଜର ଛାତ୍ରଛାତ୍ରୀମାନେ ଜଗଦଲପୁରକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଗୁରୁବାର ସକାଳେ ସେମାନେ ଓଆର୍‌ ୧୬ଇ ୧୨୫୫ ନମ୍ବର ରାଧେଶ୍ୟାମ ବସ୍‌ରେ ଫେରୁଥିଲେ। ଟିଟିଲାଗଡ଼ ରୋଡ୍‌ରେ ବସ୍‌ ଆଗେ ଆଗେ ଓଆର ୦୫ଏଏଲ୍‌ ୯୨୦୯ ଟ୍ରକ୍‌ ଆସୁଥିଲା। ଟିଟିଲାଗଡ଼ ରୋଡ୍‌ କଦଳୀମୁଣ୍ଡା ନର୍ସରି ନିକଟ ବନ ବିଭାଗ ଫାଟକରେ ତନଖି ପାଇଁ ଗେଟ୍‌ର କର୍ମଚାରୀ ଟ୍ରକଟିକୁ ଅଟକାଇଥିଲେ। ସାମ୍ନାରେ ଟ୍ରକ୍‌କୁ ଗେଟ୍‌ କର୍ମଚାରୀ ଅଟକାଇଥିବା ବେଳେ ଜାଣି ପାରି ନଥିଲେ ବସ୍‌ ଚାଳକ। ଫଳରେ ଟ୍ରକ୍‌ର ପଛପଟୁ ବସ୍‌ଟି ଜୋର୍‌ରେ ଧକ୍କା ହୋଇଥିଲା। ଏଥିରେ ଗାଡ଼ି ଚାଳକ ଶ୍ରୀ ସାଙ୍କ ସହ ଲୋପାମୁଦ୍ରା ସାହୁ, ସୋନାଲି ମୁଣ୍ଡ, ରୁବିସ୍ମିତା ଭୋଇ, ଇତିଶ୍ରୀ ଦାଶ ଓ ଅନ୍ୟ କେତେଜଣ ଆହତ ହୋଇଥିଲେ। ଆହତଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସିଡିଏମ୍‌ଓ ଡା.ସୁଜ୍ଞାନେନ୍ଦ୍ର ମିଶ୍ର ଡାକ୍ତରଖାନାକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦିନ ୨ଟା ଯାଏ ବସ୍‌ଟି ଦୁର୍ଘଟଣା ସ୍ଥଳରେ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ସେହିପରି ଅଏଁଲାସାରି ଗାଁର କିରଟି ସା ନିଜ ୬ ବର୍ଷର ପୁଅ ଗଣପତି ସାକୁ ସାଇକଲରେ ବସାଇ ବଲାଙ୍ଗୀରରୁ ଫେରୁଥିବା ବେଳେ ମାଧିଆପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଏଥିରେ ଗଣପତି ଆହତ ହୋଇଥିଲେ। ଆହତ ଗଣପତିଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବାପା କିରଟି।
ଦୁଇ ବାଇକ ଧକ୍କା,୨ ଗୁରୁତର
ସଇନ୍ତଲା, ୨୮|୧୨(ଇମିସ): ସଇନ୍ତଲା ନିକଟସ୍ଥ ସମରା ଛକରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ଗୁରୁତର ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ବାଇକ୍‌ରେ ୩ ଜଣ ଯୁବକ ସଇନ୍ତଲାରୁ ଧୂମାପାଲିକୁ ଯାଉଥିଲେ। ବିପରୀତ ଦିଗରୁ ଏକ ବାଇକ୍‌ରେ ୨ ଜଣ ସଇନ୍ତଲା ଆଡ଼କୁ ଆସୁଥିଲେ। ସମରା ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ସଇନ୍ତଲା ଥାନାର ଏସ୍‌ଆଇ ସୁନୀଲ ସୋରେନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଧୁମାପାଲି ଗ୍ରାମର କନ୍ଧ ବାଗ(୨୬) ଓ ଜଲିଆ ଗ୍ରାମର ଖୀରସିନ୍ଧୁ ସୁନା(୨୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ସଦର ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଏ।

ସମ୍ବନ୍ଧିତ ଖବର