ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଜଣେ ଡାକ୍ତରଙ୍କ ଘରେ ପଶି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଲକ୍ଷେ ଟଙ୍କା ଧରି ଫେରାର ମାରୁଥିବା ଠକକୁ ପୁଲିସ୍ କାବୁ କରିଛି। ପ୍ରକାଶ ଯେ, ବଲାଙ୍ଗୀର ରୋଡ ନିକଟରେ ରହୁଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କ ଘରକୁ ଏକ ଧଳା କାର୍ରେ ଜଣେ ବ୍ୟକ୍ତି ପହଞ୍ଚିଥିଲେ। ସେ ନିଜକୁ ସିବିଆଇ ଅଫିସର ପରିଚୟ ଦେବା ସହ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା କହିଥିଲେ।
ସଂପୃକ୍ତ ଡାକ୍ତର ଜଣକ ଆୟକର ଫାଙ୍କୁଥିବା ଓ ତାଙ୍କ ନାମରେ ଗୁରୁତର ଅଭିଯୋଗ ହୋଇଥିବା କହିଥିଲେ। ଆୟ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ସହ କାର୍ଯ୍ୟାନୁଷ୍ଠାନ ବାହାନାରେ ଡାକ୍ତରଙ୍କ ଆଲମାରିରେ ଥିବା ୧ ଲକ୍ଷ ଟଙ୍କା ଜବତ କରି ଫେରାର ମାରିଥିଲା। ତେବେ ଡାକ୍ତର ଶ୍ରୀ ସାହୁଙ୍କ ସ୍ତ୍ରୀ ତାଙ୍କ ଭାଇଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଠକେଇର ଶିକାର ହୋଇଥିବା ଜାଣି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ଏନେଇ ପୁଲିସ୍ ତ୍ବରିତ ପଦକ୍ଷେପ ଗ୍ରହଣ କରି ସଇନ୍ତଲା ପୁଲିସ୍କୁ ଖବର ଦେଇଥିଲା। ପରେ ସଇନ୍ତଲା ପୁଲିସ୍ ନବୀନ ଛକଠାରେ ତାକୁ କାବୁ କରିଥିଲା। ପରେ ଟିଟିଲାଗଡ଼ ଥାନାକୁ ଅଭିଯୁକ୍ତକୁ ଅଣାଯିବା ସହ ବ୍ୟବହୃତ କାର୍ ଜବତ କରାଯାଇଛି। ଅଭିଯୁକ୍ତର ପରିଚୟ ଜଣାପଡ଼ି ନଥିବା ବେଳେ ତା’ର ନାମ ସ୍ମିତା କୁମାର ସେଠ୍ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସହରର ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଲିଥିବା ବେଳେ ଏହି ନକଲି ଚଢ଼ଉ ଚର୍ଚ୍ଚାର ବିଷୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/57bdc7e0-b7b8-4a51-a24c-04db1ce918fa.jpeg)