ବଲାଙ୍ଗୀର: ମାଫିଆ ଡନ ଟିମନର ରାଜୁତିର ଅନ୍ତ ଘଟିଥିଲା। ବହୁ ଦିନ ପାଇଁ ଜେଲ୍କୁ ଯାଇଥିଲା ଟିମନ ଓରଫ ଶ୍ରୀକାନ୍ତ କୁମ୍ଭାର। ପୁଲିସ ତାର କଳା ସାମ୍ରାଜ୍ୟର ଖୋଲତାଡ଼ କରି ଜିରୋ ଟୁ କୋଟିପତି ସାଜିଥିବା ଡନ ଟିମନକୁ ଏକ ବଡ଼ ଝଟକା ଦେଇଥିଲା। ଏହାରି ଭିତରେ ଟିମନ ସର୍ତ୍ତମୂଳକ ଜାମିନରେ ବାହାରି ପୁଣି ଆରମ୍ଭ କରିଛି ତାର ଦାଦାଗିରି। ଜମି କାରବାରରେ ସଂପୃକ୍ତ ହୋଇ ନିଜର ଗ୍ୟାଙ୍ଗକୁ ପୁଣି ସକ୍ରିୟ କରିଛି। ଗତ କିଛି ଦିନ ତଳେ ସଦର ଥାନା ପୁଲିସ ଟିମନ ଓ ତାର ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି। ଏଯାଏଁ ଦୁଇ ଜଣ ସହଯୋଗୀଙ୍କୁ ପୁଲିସ ଜେଲ୍ ପଠାଇ ସାରିଥିବା ବେଳେ ଟିମନକୁ ଟାର୍ଗେଟରେ ଏବେ ପୁଲିସ ରଖିଛି। ଟିମନକୁ ଗିରଫ କରିବାକୁ ପୁଲିସର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଏକଦା ବଲାଙ୍ଗୀରରେ ଗୁଣ୍ଡାଗର୍ଦ୍ଦି ଚାଲିଥିଲେ ହେଁ ସବୁ ମହଲ ନିରବରେ ରହୁଥିଲେ। ଟେଣ୍ଡର ମାଫିଆ ଟିମନ ବିରୋଧରେ କଥା ଉଠୁନଥିଲା। ଟିମନ ପୁଲିସକୁ ବି ହାତରେ ରଖିଥିଲା। ଏପଟେ କୋଟିକୋଟି ଟଙ୍କାର ମାଲିକ ସାଜିଥିଲା ଡନ ଟିମନ। ଟିମନ ଗ୍ୟାଙ୍ଗରେ ଶତାଧିକ ଯୁବକ ରହିଥିଲେ। କିନ୍ତୁ ତତ୍କାଳୀନ ଆଡିସିନାଲ ଏସପି ଶଶିଭୂଷଣ ଶତପଥୀଙ୍କ ଏକ୍ସନ ଟିମନକୁ ମହଙ୍ଗା ପଡ଼ିଥିଲା। ଟିମନ ଗିରଫ ହୋଇ ଜେଲ୍ ଯିବା ପରେ ତା ନାଁରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ପରେ ରିମାଣ୍ଡରେ ଟିମନକୁ ଅଣାଯାଇ ଘଟିଥିବା କିଛି ହତ୍ୟା ମାମଲାରେ ପଚରାଉଚୁରା କରାଯାଇ ସେଥିରେ ମଧ୍ୟ ତାର ସଂପୃକ୍ତିର ପ୍ରମାଣ ପାଇଥିଲା ପୁଲିସ। ଅନ୍ୟପଟେ ଟିମନ ଗଢ଼ିଥିବା ସାମ୍ରାଜ୍ୟକୁ ବି ପୁଲିସ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା। ଟିମନ ସରକାରୀ ଜମି ଉପରେ କରିଥିବା ଘର ସବୁକୁ ଡୋଜର ଲଗାଇ ଭଙ୍ଗାଯାଇଥିଲା। ଯେଉଁ ସବୁ ଜମି ଟିମନ କବଜା କରି ରଖିଥିଲା ତାକୁ ପୁଲିସ ଖାଲି କରିଥିଲା। ଏହାରି ଭିତରେ ଟିମନ ଦବିଯିବ ବୋଲି ଲୋକେ ଭାବିଥିଲେ। ଟିମନ ବି ଜେଲ୍ ଯିବା ପରେ ଦବଦବା କମିଥିଲା। କିନ୍ତୁ କିଛି ଦିନର ନିରବତା ପରେ ପୁଣି ଡନ ଟିମନର କମବ୍ୟାକ୍ ହୋଇଛି। ଟିମନ ପୁଣି ଜମି କାରବାରରେ ପଶିଛି। ସଦର ଥାନାରେ ଗତ ୧୫ ତାରିଖ ଟିମନ ନାଁରେ ଅଭିଯୋଗ ହେବା ପରେ ପୁଲିସ ପୁଣି ଏକ୍ସନ ମୁଡକୁ ଆସିଛି। ଟିମନର ମୁଖ୍ୟ ସହଯୋଗୀ ଦିଲୀପ କୁମ୍ଭାର ଏହି ମାମଲାରେ ଗିରଫ ହୋଇଥିବା ବେଳେ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଇ ପ୍ରଦୀପ ଛତ୍ରିଆ ନାମକ ଜଣେ ଯୁବକ ମଧ୍ୟ ଗିରଫ ହୋଇଛି। ଖୁଣ୍ଟପାଲି ଗ୍ରାମର ପୁରୁଷୋତ୍ତମ ପଟେଲ ଓ ତାଙ୍କ ଭାଇ ଘନଶ୍ୟାମ ପଟେଲଙ୍କୁ ଟିମନ ଓ ତାର ଗ୍ୟାଙ୍ଗ ଅପହରଣ କରି ନେଇ ମାଡ଼ ମାରିଥିଲେ। ସେହି ସଂକ୍ରାନ୍ତରେ ସଦର ଥାନା ପୁଲିସ ମାମଲା ରୁଜୁ କରିଛି। ଉକ୍ତ ମାମଲାରେ ଟିମନ ଫେରାର ଥିବା ସଦର ଥାନା ଆଇଆଇସି ଯୋଗେଶ୍ୱର ପଣ୍ଡା କହିଛନ୍ତି। ଖୁବ ଶୀଘ୍ର ଟିମନକୁ ଗିରଫ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ପ୍ରକାଶ ଯେ, ଏଥର ଟିମନ ନାଁରେ ମାମଲା ରୁଜୁ ହେବା ପରେ କଂଗ୍ରେସ ବି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲା। ଟିମନ ନାଁରେ ହୋଇଥିବା ମାମଲାକୁ ନେଇ ନେତାମାନେ ପୁଲିସ ଉପରେ ବର୍ଷିଥିଲେ। ପୁଲିସର କେତେ ଜଣ ବରିଷ୍ଠ ଅଧିକାରୀ ପୁଣି ଅପରାଧୀଙ୍କ ସହ ସଂପର୍କ ରଖିଥିବା ନେଇ ବିଧାୟକ ନରସିଂହ ମିଶ୍ର ଅଭିଯୋଗ ଉଠାଇଥିଲେ। ଏବେ ପୁଲିସ ରାଜନେତାଙ୍କ ଚାପରେ ବି ପଡିଛି। ଡିଆଇଜି ବି ଏହାରି ଭିତରେ ବଲାଙ୍ଗୀର ଗସ୍ତ କରିଛନ୍ତି। ଏଣୁ ଅପରାଧୀ ଦମନ ଅଭିଯାନ ପୁଲିସ କିଭଳି ଆଗକୁ ନେବ ତାକୁ ସମସ୍ତଙ୍କ ନଜର ରହିଛି।
ପୁଲିସ୍ ଟାର୍ଗେଟ୍ରେ ଟିମନ୍!
ଚଢ଼ଉ ଜୋର୍ସୋର୍
/sambad/media/post_attachments/wp-content/uploads/2019/06/pcr-720x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)