ଅଭିଶପ୍ତ ପମ୍ପୁ ତାଲାବ:ସରିଲାଣି ଅବଧି, ପୁନରୁଦ୍ଧାର କାମ ଅଧୁରା

ନିମ୍ନମାନର ଡ୍ରେନ ନିର୍ମାଣ

ତରବରିଆ କାମ କରାଇ ନେବାକୁ ଯୋଜନା
ମନ୍ତ୍ରୀ କହୁଛନ୍ତି ୮୦ ପ୍ରତିଶତ କାମ ସରିଲାଣି
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ କଣ୍ଟାବାଞ୍ଜି। ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିଲେ ବି ସାଧାରଣ ଲୋକେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ସହର ଭିତରେ ରହିଛି ଏକମାତ୍ର ପମ୍ପୁ ତାଲାବ(ବନ୍ଧ)। ଏହି ବନ୍ଧର ପାଣି ଉପରେ ବିଭିନ୍ନ ୱାର୍ଡର ଲୋକେ ନିର୍ଭର କରନ୍ତି। ଗତ ବର୍ଷ ଏହି ବନ୍ଧର ପୁନରୁଦ୍ଧାର ପାଇଁ ଯୋଜନା ହୋଇଥିଲା। ୨୦୧୮ ଫେବ୍ରୁଆରି ଶେଷ ଯାଏ ପମ୍ପୁ ବନ୍ଧର ସବୁ କାମ ଶେଷ ହୋଇଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବନ୍ଧରେ ନିର୍ମାଣ ହୋଇଥିବା ଡ୍ରେନ କାମ ସହ ପୁନରୁଦ୍ଧାରକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଭିଡ଼ିଓ ଭାଇରାଲ ହେଇଛି। ନିମ୍ନମାନର କାମ ଯୋଗୁଁ ଡ୍ରେନ୍‌ କେଉଁଠି ଭାଙ୍ଗି ଗଲାଣି ତ କେଉଁଠି ଡ୍ରେନ୍‌ ପାଣି ଯାଇ ବନ୍ଧରେ ପଡୁଛି। ଚଳିତ ବର୍ଷ ବି ପମ୍ପୁ ବନ୍ଧର କାମ ଶେଷ ହେବ କି ନାହିଁ? ଏହି ବନ୍ଧ କାମରେ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଯାହାର ବିଧିବଦ୍ଧ ଓ ସରଜମିନ ତଦନ୍ତ କରିବାକୁ ପୂର୍ବରୁ ଦାବି ହୋଇଛି। ତେବେ ନିମ୍ନମାନର କାମର ଭିଡ଼ିଓ ଭାଇରାଲ ହେବା ପରେ ଏହି ଦାବି ଜୋର ଧରିଛି।
ବଲାଙ୍ଗୀର ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପମ୍ପୁ ବନ୍ଧର ପୁନରୁଦ୍ଧାର ପାଇଁ ୨କୋଟ ୪୯ଲକ୍ଷ ୪୭ହଜାର ଟଙ୍କାର ଅନୁଦାନ ମିଳିିଥିଲା। ଡ୍ରେନ ଉନ୍ନୟନ ଯୋଜନା ୨୦୧୬-୧୭ରେ ଏହି କାର୍ଯ୍ୟ କରାଯାଉଛି। ୨କୋଟି ୪୯ଲକ୍ଷ ୯୩ ହଜାର ଟଙ୍କାର ଟେଣ୍ଡର ଆହ୍ଵାନ କରାଯାଇଥିଲା। ବଙ୍ଗୋମୁଣ୍ଡାର ସଚିନ ଅଗ୍ରୱାଲ ନାମକ ଠିକାଦାର ୨କୋଟି ୩୪ ଲକ୍ଷ ୪୩ ହଜାର ଟଙ୍କାରେ ଏହି ପୁନରୁଦ୍ଧାର ଓ ଡ୍ରେନ କାମ କରିବା ପାଇଁ ଚୁକ୍ତି କରିଥିଲେ। ୨୦୧୭ ମାର୍ଚ୍ଚ ୧୩ ତାରିଖରୁ କାମ ଆରମ୍ଭ ହୋଇଥିବା ବେଳେ ୨୦୧୮ ଫେବ୍ରୁଆରି ୧୫ ତାରିଖ ମଧ୍ୟରେ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ୮୬ ଏକର ପରିମିତ ଜମିରେ ପମ୍ପୁ ବନ୍ଧ ଥିବା ବେଳେ ଏହାର ପୁନରୁଦ୍ଧାର ପ୍ରକ୍ରିୟା, ପଙ୍କ ଉଦ୍ଧାର ସହ ମାଟି ଖୋଳିବା ଯୋଗୁଁ କଣ୍ଟାବାଞ୍ଜି ଏନ୍‌ଏସି ଅଞ୍ଚଳର ୧୬ଟି ୱାର୍ଡର ଲୋକେ ହଇରାଣ ହୋଇଛନ୍ତି। ପମ୍ପୁ ବନ୍ଧର ପାଣି ଛାଡି ଦିଆଯିବା ଫଳରେ ସହରରେ ଥିବା ବୋରିଙ୍ଗ ଓ କୁଅଁର ଜଳସ୍ତର ବି କମି ଯାଇଥିବା ଅଭିଯୋଗ ଆସିଛି। ଚଳିତ ବର୍ଷ ସ୍ଥାନୀୟ ଲୋକେ ନାହିଁ ନଥିବା ଜଳ ସମସ୍ୟା ଭୋଗିଛନ୍ତି। ବନ୍ଧ ଖୋଳା ଓ ଡ୍ରେନ ତିଆରି ସମୟ ଅବଧି ୨୦୧୮ ଫେବ୍ରୁଆରିରୁ ସରି ଯାଇଥିବା ବେଳେ ବିଶେଷ କିଛି କାମ ହୋଇ ନାହିଁ। ଖେଳ ପଡିଆ ଭଳି ଦିଶୁଛି ବିରାଟ ବନ୍ଧଟି। କିଛି ଦିନ ତଳେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ ମିଥ୍ୟା ବିଲ୍‌ କରି ଠିକାଦାରଙ୍କ ଦ୍ୱାରା ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ଡ୍ରେନ କାମ ବି ନିମ୍ନମାନର। ଜଣେ ପ୍ରତ୍ୟକ୍ଷଦର୍ଶୀ ଡ୍ରେନ କାମକୁ ନିକଟରୁ ଦେଖିଲେ ହିଁ ବୁଝିପାରିବ କେମିତି ହୋଇଛି କାମ।
ଏହି ପରିପ୍ରେକ୍ଷୀରେ ଗତ ଏପ୍ରିଲ ୩୦ ତାରିଖରେ ବିଧାନସଭା ବି ପମ୍ପୁ ବନ୍ଧ ପୁନରୁଦ୍ଧାର ନେଇ ଉଠିଥିଲା ପ୍ରଶ୍ନ। ଜଳସଂପଦ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ କହିବା ଅନୁସାରେ, ପମ୍ପୁ ବନ୍ଧରେ ପାଣି ଥିବାରୁ ପାଣି ନିଷ୍କାସନ କରାଯାଇ କାମ କରାଯାଇଥିଲା। ୨୦୧୭ ବର୍ଷା ପୂର୍ବରୁ ପଙ୍କୋଦ୍ଧାର କାମ ଠିକ ଭାବେ ହୋଇ ନଥିଲା। ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ୬୦ ପ୍ରତିଶତ ଶେଷ ହୋଇଥିବା ବେଳେ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଉତ୍ତର ରଖିଛନ୍ତି। କୌଣସି ଦୁର୍ନୀତି ହୋଇ ନଥିବା ବିଭାଗର ଦୃଷ୍ଟିକୁ ଆସି ନଥିବା ଦର୍ଶାଇଛନ୍ତି ମନ୍ତ୍ରୀ। ତଦନ୍ତ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବା ପାଇଁ ସୂଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ପୂଜାରୀ। ତେବେ ପମ୍ପୁ ବନ୍ଧର କାମ ସରଜମିନ ଯାଞ୍ଚ କରାଗଲେ ହିଁ କିଭଳି କାମ ହୋଇଛି ତାହା ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର