ବଲାଙ୍ଗୀର: ରାଜ୍ୟ ସରକାରଙ୍କ ମଦ ନୀତି ଉପରେ ବର୍ଷିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ। ସ୍ଥାନୀୟ ସର୍କିଟହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆୟକର ବିଭାଗ ଜବତ କରିଥିବା ଟଙ୍କା ୩୦୦କୋଟି ପାର କରିବ। ଆଉ ଏଭଳି ଟଙ୍କା ଜମା କରିବା ଗୋଟିଏ ଦିନର କଥା ନୁହେଁ। ସମାନ ଏଜେନ୍ସିକୁ ବାରମ୍ବାର ସରକାର ଓ ଜିଲ୍ଲା ପ୍ରଶାସନ ଲାଇସେନ୍ସ ପ୍ରଦାନ କରି ଚାଲିଛି। ତେଣୁ ସରକାର ଓ ପ୍ରଶାସନ ଉଭୟେ ଏନେଇ ଅଜଣା ଥିବା ଅସମ୍ଭବ ଲାଗୁଛି। ତେଣୁ ମଦ ମାଫିଆଙ୍କୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସୁରକ୍ଷା ରହିଛି। ଆୟକର ଭଳି କେନ୍ଦ୍ରୀୟ ଏଜେନ୍ସି ତନାଘନା କରି ଏତେ ଗୁଡ଼ାଏ ଟଙ୍କା ବାହାର କରିପାରିଥିବା ବେଳେ ଏଯାଏଁ ରାଜ୍ୟ ସରକାର କାହିଁକି କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ଶ୍ରୀମତୀ ସିଂହଦେଓ ପ୍ରଶ୍ନ କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ ଗଞ୍ଜେଇ ଚୋରାଚାଲାଣର ଅବସ୍ଥା ମଧ୍ୟ ସମାନ ରହିଛି। ତାହାକୁ ଠିକ ଭାବେ ତଦନ୍ତ କରାଗଲେ ସେଠି ମଧ୍ୟ ଧନ କୁବେର ମିଳିବାର ସମ୍ଭାବନା ରହିଛି। ରାଜ୍ୟ ଏହି ଘଟଣାରୁ ଶିକ୍ଷା ନେଇ ଗଞ୍ଜେଇ ଉପରେ କିପରି ଲଗାମ ଲଗାଇବେ ଚିନ୍ତା କରିବା କଥା। ରାଜ୍ୟ ସରକାର ଶସ୍ତା ରାଜନୀତି ନକରି ଜନସାଧାରଣଙ୍କ ହିତ ପାଇଁ କାମ କରନ୍ତୁ ବୋଲି କହିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଲଜୀ ପାଣିଗ୍ରାହୀ, ଦିନେଶ ଶର୍ମା T ପଙ୍କଜିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।