ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ବାହାରିଲା ଆଦିବାସୀ ସଂଘ

ବିଧାୟକ ସରୋଜ ମେହେର ଓ ଅଷ୍ଟରତ୍ନ ବରିହାଙ୍କ କୁଶପୁତ୍ତଳିକା ଦାହ

ପାଟଣାଗଡ଼: ପାଟଣାଗଡ଼- ଖପ୍ରାଖୋଲ ରାସ୍ତାର ବନକାବିଅର ଛକ ନିକଟରେ ସହିଦ ମାଧୋ ସିଂ ବରିହାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଶିଶୁ ଉଦ୍ୟାନ କରାଯିବାକୁ ଏକ ଫଳକ ରହିଛି। ତେବେ ସେଥିରେ ଥିବା ନାଁ’ଗୁଡ଼ିକ ମଧ୍ୟରୁ ଦୁଇ ଜଣଙ୍କ ନାଁ’କୁ ଛାଡ଼ି ଅନ୍ୟଗୁଡ଼ିକରେ ଲାଲ ଗାର ଟଣାଯାଇଥିବାରୁ ଏହାକୁ ତୀବ୍ର ନିନ୍ଦା କରିଛି ଆଦିବାସୀ ସଂଘ। ଏ ନେଇ ଶନିବାର ସଂଘ ପକ୍ଷରୁ ସ୍ଥାନୀୟ ଆଦିବାସୀ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ସେଥିରେ କରାଯାଇଥିବା ଅଭିଯୋଗ ଅନୁସାରେ, ଗତ ଏପ୍ରିଲ ୧୪ ତାରିଖରେ ବିଞ୍ଝାଲ ଓ ଆଦିବାସୀ ସାମଜର କିଛି କର୍ମକର୍ତ୍ତା ବନକାବିଅର ଛକରେ ପ୍ରସ୍ତାବିତ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ପାଇଁ ଜମି ଚିହ୍ନଟ କରିବାକୁ ପାଟଣାଗଡ଼ ତହସିଲଦାରଙ୍କୁ କହିବା ପାଇଁ ଅନୁରୋଧ କରିବାକୁ ବିଧାୟକଙ୍କ ପାଖକୁ ଯାଇଥିଲେ। ଏହା ସହିତ ସେମାନେ ସମ୍ପୃକ୍ତ ସ୍ଥାନରେ ଲାଗିଥିବା ଫଳକର ଫଟୋ ବି ପ୍ରଦାନ କରିଥିଲେ। ମାତ୍ର ବିଧାୟକ ସରୋଜ ମେହେର ସେମାନଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ସହ ଫଳକର ଫଟୋରେ ଥିବା ସ୍ବର୍ଗତ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା, ତତ୍କାଳୀନ ଓବ୍ଲୁଓଡିସି ଅଧ୍ୟକ୍ଷ ସ୍ବର୍ଗତ ସୁବାସ ଚୌହାନ, ତତ୍କାଳୀନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବର୍ଗତ ଭକ୍ତବନ୍ଧୁ ନାଏକ, ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ବିଜୟ ପଧାନୀଙ୍କ ନାମରେ ଲାଲ ଗାର ଟାଣି ଦେଇଥିଲେ। ଏହାକୁ ବିଞ୍ଝାଲ ସମାଜ ଓ ଆଦିବାସୀ ସଂଘ ତୀବ୍ର ବିରୋଧ କରିଥିଲେ। ଏହା ଏକ ବେଆଇନ କାର୍ଯ୍ୟ ବୋଲି କହି ପ୍ରଶାସନ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଆଦିବାସୀ ସଂଘ ଆନ୍ଦୋଳନ କରିବାକୁ ଧମକ ଦେଇଛି। ସେହିପରି ବିଧାୟକ ଗତ ୨୮ ତାରିଖରେ କିଛି ଆଦିବାସୀଙ୍କୁ ଡକାଇ ଏକ ସଭା କରିଥିଲେ। ସେଥିରେ ଆଦିବାସୀ ନେତା ଅଷ୍ଟରତ୍ନ ବରିହା ବିଧାୟକଙ୍କ ପ୍ରରୋଚନାରେ ଆଦିବାସୀ ସଂଘକୁ କଟୁ ସମାଲୋଚନା କରିଥିବା ଅଭିଯୋଗ କରି ସଂଘ ତାଙ୍କୁ ସଂଘ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ପାଟଣାଗଡ଼ ବ୍ଲକ୍ ସଭାପତି ପଦରୁ ହଟାଇ ଦେଇଛି।

ସେହିପରି ଖପ୍ରାଖୋଲ ବ୍ଲକ୍‌ ସଭାପତି ପଦରୁ ବିପ୍ର ବିଶି ଓ ବଲାଙ୍ଗୀରର ସତ୍ୟନାରାୟଣ ଭୋଇଙ୍କୁ ସଂଘର ପଦରୁ ହଟା ଯାଇଥିବା ନେଇ ଏକ ପ୍ରସ୍ତାବ କପି ଏଡିଏମ୍‌ଙ୍କୁ ପ୍ରଦାନ କରିଛି। ବିଧାୟକ ଆଦିବାସୀ ସଂଘକୁ ଦୁଇ ଫାଳ କରୁଛନ୍ତି। ତେଣୁ ଏଥର ନିର୍ବାଚନରେ ଗାଁ ଗାଁ’ରେ ତାଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀ ପରେ କର୍ମକର୍ତ୍ତାମାନେ ଛକରେ ବିଧାୟକ ଶ୍ରୀ ମେହେର ଓ ଶ୍ରୀ ବରିହାଙ୍କ ଫଟୋରେ କାଳି ଲଗାଇବା ସହ ଉଭୟଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସମ୍ମିଳନୀ ଓ କୁଶପୁତ୍ତଳିକା ଦାହ ବେଳେ ଗିରିଧାରୀ ଭୋଇ, ରସିକ ଧରୁଆ, ଚନ୍ଦ୍ର ଶେଖର ବରିହା, ଧନିରାମ ମିର୍ଦ୍ଧା, ଲକ୍ଷ୍ମୀ ଶବର, ଜଗଜ୍ଜୀବନ ଭୋଇ, ଦୁର୍ଯ୍ୟୋଧନ ବରିହା, ପିଣ୍ଟୁ ବୁଡ଼େକ, ହୃଷୀକେଶ ଭୋଇ, ଚୂଡ଼ାମଣି ଧରୁଆ, ଗୁଣନିଧି ବର୍ଗେ, ସନ୍ନ୍ୟାସୀ ନାଏକ, ମୀନକେତନ ଧରୁଆ, ଟିକେଶ୍ବର ମିର୍ଦ୍ଧା, ଗଙ୍ଗାଧର ବରିହା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର