ଥମୁନି ପୁଞ୍ଜିଲାଲ୍‌ ପାଲା, ଶରୀରରେ ନାହିଁ କରୋନା ଲକ୍ଷଣ

ବଲାଙ୍ଗୀର/ପାଟଣାଗଡ: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମାର ମୁଖ୍ୟ କାର୍ପଟଦାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପୁଣି ଥରେ ଚର୍ଚ୍ଚାରେ । ଏଥର ପୁଞ୍ଜିଲାଲ ପାଲା ଟିକିଏ ଭିନ୍ନ ଧରଣର । ବାର ବାର କିଛି ନା କିଛି ପ୍ରସଙ୍ଗକୁ ନେଇ ପୁଞ୍ଜିଲାଲ ଜେଲ ଭିତରୁ ନାନା ଅଭିଯୋଗ ଉଠାଇ ଆସୁଛି । ଏଥର ବି ଠିକ ସେମିତି ପୁଞ୍ଜିଲାଲ ଭିନ୍ନ ଏକ ପାଲା କରିଥିଲା । ପୁଞ୍ଜିଲାଲକୁ ଜେଲ ଭିତରେ ମାଡ ମରାଯିବା ସହ ଅମାନବିକ ଅତ୍ୟାଚାର କରାଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ଓକିଲ । ହେଲେ ପାଟଣାଗଡ ଏଡିଜେ କୋର୍ଟ ମାମଲାର ବିଚାର କରି ମାନ୍ୟବର ଏଡିଜେ ଅଭିଯୋଗକୁ ଖାରଜ କରିଛନ୍ତି । ବର୍ତ୍ତମାନ ଏହି ଘଟଣା ପରେ ପାର୍ସଲ ବୋମାରେ ମୃତ ସୌମ୍ୟଶେଖରଙ୍କ ପରିବାର ଶୀଘ୍ର ପୁଞ୍ଜିଲାଲକୁ କଠୋର ଦଣ୍ଡବିଧାନ ଦେବାକୁ ଦାବି କରିଛନ୍ତି । ପୁଞ୍ଜିଲାଲର ଏଭଳି ପାଲା ପ୍ରଥମ ଘଟଣା ନୁହଁ । ପୂର୍ବର କିଛି ଘଟଣାକୁ ଦେଖିଲେ ପୁଞ୍ଜିଲାଲର ନାଟକ ଅନେକ ।
୨୦୧୮ ମସିହା ଫେବୃୟାରୀ ୨୩ ତାରିଖ ପାଟଣାଗଡରେ ଫୁଟିଥିଲା ପାର୍ସଲ ବୋମା । ଏଥିରେ ନବବିବାହିତା ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମାଁଙ୍କ ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଘଟଣାର ଦୁଇ ମାସ ପରେ ପାର୍ସଲ ବୋମାର ଏକମାତ୍ର ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଜାମିନ ନାମଂଜୁର ପରେ ପାଟଣାଗଡ ଜେଲରେ ଥିଲା ପୁଞ୍ଜିଲାଲ । ୨୦୧୯ ଜାନୁୟାରୀ ମାସରେ ପାଟଣାଗଡ ଜେଲରେ ଘଟିଥିଲା ଏକ ବଡ ଘଟଣା । ପାଟଣାଗଡ ଜେଲ ଭିତରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରି ପୁଞ୍ଜିଲାଲ ଫେରାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ଜେଲ କର୍ତ୍ତୃପକ୍ଷ ।

ତାପରେ ଫେବୃୟାରୀ ୮ ତାରିଖ ବଲାଙ୍ଗୀର ଜେଲକୁ ପୁଞ୍ଜିଲାଲ ସ୍ଥାନାନ୍ତରିତ ହୋଇଥିଲା । ବଲାଙ୍ଗୀର ଜେଲ ଆସିବା ପରେ ବି ପୁଞ୍ଜିଲାଲ ନୀରବ ରହିନଥିଲା । ଆମରଣ ଅନଶନ କରିଥିଲା ପୁଞ୍ଜିଲାଲ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲ।  ମଧ୍ୟବର୍ତ୍ତିକାଳୀନ ଜାମିନରେ ଆସି ପାଟଣାଗଡରେ ଚର୍ଚ୍ଚାରେ ରହିଥିଲା ପୁଞ୍ଜିଲାଲ । ଏପରି ମଝିରେ ମଝିରେ ଜେଲ ଭିତରେ ପୁଞ୍ଜିଲାଲର ହରକତକୁ ନେଇ ଅନେକ ଅଭିଯୋଗ ସବୁ ଆସେ । ଆଉ ଏବେ ଗତ ୨୪ ତାରିଖ ବଲାଙ୍ଗୀର ଜେଲ ଭିତରେ ପୁଞ୍ଜିଲାଲକୁ ଜେଲ ଅଧିକ୍ଷକ ଓ ଜେଲର ମାଡମାରି ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଥିଲେ ପୁଞ୍ଜିଲାଲଙ୍କ ଓକିଲ । ଏହି ଅଭିଯୋଗକୁ ସିଧାସିଧା ଖଣ୍ଡନ କରିଥିଲେ ଜେଲ ଅଧିକ୍ଷକ ।

ନିକଟରେ ପୁଞ୍ଜିଲାଲକୁ କରୋନା ହୋଇଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ହେଲେ ଜେଲ ଡାକ୍ତରଙ୍କ ରିପୋର୍ଟ କହୁଛି କରୋନାର କୌଣସି ଲକ୍ଷଣ ନାହିଁ । କରୋନା କେଉଁଠୁ ଆସିବ? ପୁଞ୍ଜିଲାଲକୁ ହଠାତ ମାଡ, ଅମାନବୀୟ ଅତ୍ୟାଚାର, କରୋନା ହୋଇଥିବା ନେଇ ନାନା କଥା ଚର୍ଚ୍ଚା ହୋଇଥିଲା । କିନ୍ତୁ ସେସବୁ ଉପରୁ ଏବେ ପର୍ଦ୍ଦା ହଟିବାରେ ଲାଗିଛି । ପୁଞ୍ଜିଲାଲର ସ୍ୱାସ୍ଥ୍ୟପରୀକ୍ଷା ଯାଞ୍ଚ ପରେ ତା ଦେହରେ କୌଣସି ବାହ୍ୟ କ୍ଷତ ନାହିଁ । କରୋନାର ଲକ୍ଷଣ ବି ନାହିଁ ବୋଲି ଡାକ୍ତର ଦେଇଛନ୍ତି ରିପୋର୍ଟ ।

ସମ୍ବନ୍ଧିତ ଖବର