‘ଗଣତନ୍ତ୍ରର ପୂଜାରୀ ଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ’

‘ଏ ମ୍ୟାନ୍‌ ଏମଙ୍ଗ୍‌ ପ୍ରିନ୍‌ସେସ୍‌’ ଉନ୍ମୋଚିତ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉପରେ ଆଧାରିତ ପୁସ୍ତକ ‘ଏ ମ୍ୟାନ୍‌ ଏମଙ୍ଗ ପ୍ରିନ୍‌ସେସ୍‌’ ଆଜି ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ଏନେଇ ଆୟୋଜିତ ଏକ ସଭାରେ ଲେଖକ, କୂଟନୀତିଜ୍ଞ ଓ ରାଜନେତା ପୱନ କେ. ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମହାରାଜା ସିଂହଦେଓ ଗଣତନ୍ତ୍ରର ଜଣେ ପ୍ରକୃତ ପୂଜାରୀ ଥିଲେ। ସେ ଲୋକଙ୍କ ପାଇଁ ସଦାସର୍ବଦା କାମ କରୁଥିଲେ। ସେ ନିଜ ସଂସ୍କୃତି ଓ ପରମ୍ପରା ସହ ଗଭୀର ଭାବେ ଜଡ଼ିତ ଥିଲେ। ଜଣେ ପ୍ରକୃତ ପ୍ରଜାପ୍ରେମୀ ରାଜା ଥିଲେ।

ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ, ବାପାଙ୍କଠାରୁ ମୁଁ ମାନବିକତା ଶିଖିଛି। ସେ ଜଣେ ଅତ୍ୟନ୍ତ ସରଳ ଓ ଅମାୟକି ବ୍ୟକ୍ତି ଥିଲେ। ପିଲାମାନଙ୍କୁ ବହୁତ ସ୍ନେହ କରୁଥିଲେ। ବ୍ୟକ୍ତିଗତ ଜୀବନ ଭଳି ରାଜନୈତିକ ଜୀବନରେ ମଧ୍ୟ ସେ କେବେ କ୍ରୋଧର ବଶବର୍ତ୍ତୀ ହୋଇ ନଥିଲେ।

ଅନ୍ୟତମ ଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ମହାରାଜାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ଲେଖକ ପବିତ୍ର ମୋହନ ନାୟକ ଓ ଭି.ଆର୍ ସିଂହ ନିଜର ଲେଖକୀୟ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ଏନ୍‌ ସିଂହଦେଓ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ସମେତ ସାରା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପୁସ୍ତକକୁ ଲେଖକ ପବିତ୍ର ମୋହନ ନାୟକ ଓ ଭି.ଆର୍ ସିଂହ ଲେଖିଛନ୍ତି।

ସମ୍ବନ୍ଧିତ ଖବର