ଜମି କାଗଜ କରାଇବା ପାଇଁ ଟଙ୍କା: ଆର୍‌ଆଇ ଛନ୍ଦି ହେଲେ କ୍ୟାମେରାରେ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସୁଧୀର ବେହେରାଙ୍କ ଜମି କାଗଜପତ୍ର କରାଇବାର ଥିଲା। ତେଣୁ ସେ ତୁରେକେଲା ଓ ମହଖଣ୍ଡ ଆର୍‌ଆଇ ନନ୍ଦକିଶୋର ମଲ୍ଲିକଙ୍କ ସହ କଥା ହୋଇଥିଲେ। ଟଙ୍କା ଦେଲେ ଯାଇ କାମ ହେବ ବୋଲି କହିଥିଲେ। ତେଣୁ ପ୍ରଥମ କିସ୍ତିରେ ଶ୍ରୀ ବେହେରା ୫ଶହ ଟଙ୍କା ଦେଇଥିଲେ ଆର୍‌ଆଇ ଶ୍ରୀ ମଲ୍ଲିକଙ୍କୁ। ତା’ପରେ ବି ଶ୍ରୀ ବେହେରାଙ୍କ ଜମି କାଗଜପତ୍ର କାମ ହୋଇ ନଥିଲା। ଓଲଟି ଆର୍‌ଆଇ ଶ୍ରୀ ମଲ୍ଲିକ ଅଧିକ ୨ହଜାର ଟଙ୍କା ଲାଗିବ ବୋଲି କହିଥିଲେ। ଶ୍ରୀ ବେହେରା ନିଜର ଅସହାୟତା ପ୍ରକାଶ କରି ଟଙ୍କା ଦେଇ ପାରିବେ ନାହିଁ, କାମ କରିଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। ତା’ପରେ ବି କିଛି ନହେବାରୁ ୨ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। କିନ୍ତୁ ଶ୍ରୀ ମଲ୍ଲିକଙ୍କ ଟଙ୍କା ଲୋଭ ତାଙ୍କୁ ଏବେ ଅଡୁଆରେ ପକାଇଛି।

 

ଶ୍ରୀ ବେହେରା ଶ୍ରୀ ମଲ୍ଲିକଙ୍କ ହୀନ ଉଦ୍ଦେଶ୍ୟ(ଟଙ୍କା ନେବା) ଧରାଇବା ପାଇଁ ଉଦ୍ୟମ କରି ସଫଳ ହୋଇଛନ୍ତି। କିଛି ଦିନ ତଳେ ଶ୍ରୀ ବେହେରାଙ୍କଠାରୁ ଆର୍‌ଆଇ ଶ୍ରୀ ମଲ୍ଲିକ ୨ହଜାର ଟଙ୍କା ନେଉଥିବା କ୍ୟାମେରାରେ ରେକର୍ଡ ହୋଇଛି। ଆଉ ଏହି ରେକର୍ଡ ଆର୍‌ଆଇଙ୍କ ପାଇଁ ଅଡୁଆ ହୋଇଛି। କଣ୍ଟାବାଞ୍ଜି ତହସିଲଦାର ସୁବାସ ଚନ୍ଦ୍ର ସେଠିଆଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗର ସତ୍ୟତା ଯାଞ୍ଚ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ; ଜିଲ୍ଲାପାଳ ଏନେଇ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ତହସିଲଦାର ଶ୍ରୀ ସେଠିଆ।

ସମ୍ବନ୍ଧିତ ଖବର